ବିଜେପିର ନମ୍ୱର-୨ ନେତାଙ୍କ ପାଇଁ ନମ୍ୱର-୧ ଆସନ ହେଉଛି ଗାନ୍ଧୀନଗର!

ବିଜେପିର ବରିଷ୍ଠ ନେତାଙ୍କ ପାଇଁ ଗାନ୍ଧୀନଗର ଲୋକସଭା ଆସନ ୧୯୮୯ ମସିହାରୁ ଏକ ସୁରକ୍ଷିତ ଆସନ ହୋଇ ରହିଆସିଛି। ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ୧୯୯୬ ମସିହାରେ ଏହି ଆସନରୁ ଜିତିଥିଲେ। ୧୯୯୮ରେ ଲାଲକୃଷ୍ଣ ଆଡଭାନୀ ମଧ୍ୟ ଜିତିଥିଲେ ଏହି ଆସନ।

ବର୍ତ୍ତମାନ ବିଜେପିର ନମ୍ୱର -୨ ନେତା ତଥା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏହି ଆସନରୁ ନିର୍ବାଚନ ଲଢୁଛନ୍ତି। ଅମିତ ଶାହାଙ୍କ ରାଜନୈତିକ କ୍ୟାରିୟର ୧୯୮୨ରୁ ଆରମ୍ଭ ହୋଇଥିଲା ସେତେବେଳେ ସେ ନାରନପୁରାର ସଂଘଭି ହାଇସ୍କୁଲର ବୁଥ ଇନଚାର୍ଜ ଦାୟିତ୍ୱ ତୁଲାଇଥିଲେ। ଏହା ଗାନ୍ଧୀନଗର ଲୋକସଭା ଆସନର ବିଧାନସଭା କ୍ଷେତ୍ରରେ ଆସୁଛି।

ଗତ ୩ ତାରିଖରେ ଅମିତ ଶାହା ନିଜ ନାମାଙ୍କନ ପତ୍ର ଦାଖଲ ପାଇଁ ଗାନ୍ଧୀନଗର ପହଞ୍ଚିଥିଲେ। ସେ ସେଠାରେ ନିଜର ପୁରୁଣା କଥାକୁ ଉଲ୍ଲେଖ କରି କହିଥିଲେ ଯେ, ମୁଁ ଏଠାରେ ପୂର୍ବରୁ ପୋଷ୍ଟର ଲଗାଇଥିଲି। ଏବେ ସେହି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ। ମୋର ଏହି ଯାତ୍ରା ଏହାସ୍ପଷ୍ଟ କରୁଛି ଯେ, ବିଜେପିରେ ଯେକୌଣସି ବ୍ୟକ୍ତି ଶୀର୍ଷ ସ୍ଥାନରେ ପହଞ୍ଚିପାରିବେ।

୧୯୮୯ ମସିହାରେ ବିଜେପି ପ୍ରଥମ ଥର ଗୁଜୁରାଟର ସମସ୍ତ ୨୬ଟି ଆସନରେ ପ୍ରାର୍ଥୀ ଦେଇଥିଲା। ସେହିବର୍ଷ ବିଜେପି ଏହି ଆସନରୁ ବିଜୟଲାଭ କରିଥିଲା। ସେବେଠାରୁ ଏହି ଗାନ୍ଧୀନଗର ଆସନ ବିଜେପି ହାତରେ ରହିଛି। ବରିଷ୍ଠ ନେତା ଆଡଭାନୀ ଏହି ଆସନରୁ ଲଗାତାର ଜିତିଆସୁଥିଲା ବେଳେ ଚଳିତ ବର୍ଷ ବିଜେପି ଆଡଭାନୀଙ୍କ ସ୍ଥାନରେ ଅମିତ୍ ଶାହଙ୍କୁ ଟିକେଟ ଦେଇଛି। ତେଣୁ ଦଳର କର୍ମକର୍ତ୍ତାମାନେ ଅମିତଙ୍କୁ ବଡ଼ ବ୍ୟବଧାନରେ ଏଠାରୁ ଜିତାଇବା ପାଇଁ ଲାଗିପଡିଛନ୍ତି।

ତେବେ ବିଜେପିର ଏହି ନମ୍ୱର-୨ ନେତା ଆଡଭାନୀଙ୍କ ଭଳି ବଡ଼ ବ୍ୟବଧାନରେ ଜିତିପାରିବେ ନା ନାହିଁ ତାହା ଦେଖିବାର ଅଛି। କାରଣ ଆଡଭାନୀଙ୍କୁ କୌଣସି ପୂର୍ବ ସୂଚନା ନଦେଇ ଟିକଟ କାଟିବା, ତାଙ୍କ ସହ ସାମାନ୍ୟ ଆଲୋଚନା ନକରିବା, ଦଳରେ ତାଙ୍କୁ ସାଇଡ଼ ଲାଇନ କରାଯିବା ଆଦି ଘଟଣା କିଛି ଲୋକଙ୍କ ପାଇଁ ସହଜରେ ଗ୍ରହଣୀୟ ହେଉନାହିଁ।

ବିରୋଧୀ ଦଳମାନେ ମଧ୍ୟ ବିଜେପି କିପରି ନିଜର ବରିଷ୍ଠ ନେତାଙ୍କୁ ଅଣଦେଖା କରୁଛି ତାହାର ଉଦାହରଣ ଦେଇ ସମାଲୋଚନା କରିବା ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *