ଗଗନଯାନ ପାଇଁ ପ୍ରସ୍ତୁତି: ଜାନୁୟାରୀ ଶେଷ ବେଳକ ଋଷରେ ତାଲିମ
ନୂଆଦିଲ୍ଲୀ : ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ “ଗଗନଯାନ” ପାଇଁ ଉତ୍ସାହିତ ରହିଛି ଭାରତ। ଏହି ମହାକାଶଯାନ ସାହାଯ୍ୟରେ ଭାରତ ତାହାର ପ୍ରଥମ ମାନବ ମହାକାଶଚାରୀଙ୍କୁ ମହାକାଶ ଅଧ୍ୟୟନ ଲାଗି ପ୍ରେରଣ କରିବ। ଏଥିଲାଗି ବଛା ଯାଇଥିବା ମହାକାଶଚାରୀଙ୍କୁ ଋଷରେ ତାଲିମ ଦିଆଯିବା କାର୍ଯ୍ୟକ୍ରମ ରହିଛି। ପୁଣି ଚଳିତ ଜାନୁୟାରୀ ତୃତୀୟ ସପ୍ତାହ ବେଳକୁ ଏଥିଲାଗି ଆବଶ୍ୟକ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କେନ୍ଦ୍ର ଆଣବିକ ଶକ୍ତି ଓ ମହାକାଶ ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ଡ. ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି।
ଏହି ଅଭିଯାନ ପାଇଁ ୪ ଜଣ ମହାକାଶଚାରୀଙ୍କୁ ଚୟନ କରାଯାଇଛି। କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ, ୧୧ ମାସ ଧରି ଏହି ୪ ଜଣ ମହାକାଶଚାରୀ ପ୍ରଶିକ୍ଷଣ ନେବେ। ତେବେ, ସେମାନଙ୍କ ପରିଚୟ ସର୍ବସାଧାରଣରେ ପ୍ରକାଶ କରାଯାଇପାରିବ ନାହିଁ।
ରୁଷ୍ରେ ୧୧ ମାସ ଧରି ତାଲିମ ନେବା ପରେ ଏହି ମହାକାଶଚାରୀମାନେ ଭାରତରେ ସ୍ବତନ୍ତ୍ର ମଡ୍ୟୁଲ ତାଲିମ ନେବେ। ଏଥିରେ ସେମାନେ ଇସ୍ରୋ ଦ୍ବାରା ଡିଜାଇନ ହୋଇଥିବା କ୍ରିଉ ଓ ସର୍ଭିସ୍ ମଡ୍ୟୁଲ ସମ୍ପର୍କରେ ପ୍ରଶିକ୍ଷଣ ନେବେ। ଇସ୍ରୋ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତର ସବୁଠୁ ଭାରୀ ମହାକାଶ ଉତ୍କ୍ଷେପଣ ଯାନ “ବାହୁବଳୀ” ଜିଏସ୍ଏଲ୍ଭି ମାର୍କ–ଥ୍ରୀ ଜରିଆରେ ମହାକାଶଚାରୀମାନେ ମହାକାଶକୁ ଯିବେ।