ନେତାଙ୍କୁ ଗଡ଼କରୀଙ୍କ କଟାକ୍ଷ : ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ନହେଲେ ଲୋକେ ପିଟିବେ

କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ନାଗପୁରରେ ଏପରି ଟିପ‍୍‌ପଣୀ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ କହିଛନ୍ତି ନିର୍ବାଚନ ସମୟରେ ମତଦାତାମାନଙ୍କୁ ଗୋଲାପୀ ସ୍ୱପ୍ନ ଦେଖାଇ ଭୋଟ ହାସଲ କରିବା ନେତାମାନଙ୍କୁ ଭଲ ଲାଗିଥାଏ। ପରବର୍ତ୍ତୀ ସମୟରେ ତାହା ପୂରଣ ନହେଲେ ଜନତା ନିର୍ବାଚନ ସମୟରେ ମାଡ଼ ମାରିବାକୁ ପଛାଇବେ ନାହିଁ ବୋଲି ଗଡ଼କରୀ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଗଡ଼କରୀ କହିଛନ୍ତି, ‘ସ୍ୱପ୍ନ ଦେଖାଉଥିବା ନେତା ଲୋକମାନଙ୍କୁ ଭଲ ଲାଗନ୍ତି। କିନ୍ତୁ ସେମାନେ ଦେଖାଇଥିବା ସ୍ୱପ୍ନ ପୂରଣ ନ କଲେ ଜନତା ନେତାଙ୍କୁ ପିଟିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ତେଣୁ ଯେଉଁ ସ୍ୱପ୍ନ ପୂରଣ କରି ହେବ ସେହି ସ୍ୱପ୍ନ ଲୋକମାନଙ୍କୁ ଦେଖାଇବା ଆବଶ୍ୟକ। କିନ୍ତୁ ମୁଁ ସ୍ୱପ୍ନ ଦେଖାଇବା ନେତାଙ୍କ ଭିତରେ ନାହିଁ। ମୋତେ କୌଣସି ସାମ୍ୱାଦିକ ପ୍ରତିଶ୍ରୁତି ସମ୍ପର୍କରେ ପ୍ରଶ୍ନ କରିପାରିବ ନାହିଁ। ମୁଁ ଯାହା କହିଥାଏ ତାହା ଶିପ୍ରତିଶତ କରିଦେଖାଏ’ ବୋଲି ଗଡ଼କରୀ ଦୃଢ଼ତାର ସହିତ କହିଛନ୍ତି।

ନୀତିନ ଗଡ଼କରୀ ଗତ କିଛି ଦିନ ହେଲା ନିଜର ସ୍ପଷ୍ଟ ବୟାନ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ୨୦୧୪ ନିର୍ବାଚନରେ ବିଜେପି ଜାଣିଶୁଣି ମିଛ ପ୍ରତିଶ୍ରୁତି ଦେଇଥିଲା ବୋଲି ଗଡ଼କରୀ କିଛିମାସ ତଳେ କହିଥିଲେ। ଏହାର କରଣରେ ଗଡ଼କରୀ କହିଥିଲେ, ‘ ଆମେ ଜାଣିଥିଲୁ କେବେ ବି କ୍ଷମତାକୁ ଆସିପାରିବୁ ନାହିଁ। ଏଥିପାଇଁ ଆମେ ବଡ଼ ବଡ଼ ନିର୍ବାଚନୀ ପ୍ରତିଶ୍ରୁତି ଦେବାକୁ ଦଳ ପକ୍ଷରୁ ପରାମର୍ଶ ମିଳିଥିଲା। ଆମେ କ୍ଷମତାକୁ ଆସିବା ପରେ ଲୋକମାନେ ଆମର ପ୍ରତିଶ୍ରୁତିକୁ ମନେ ପକାଇ ଦେଉଛନ୍ତି। ଏଭଳି ପ୍ରଶ୍ନରେ ଆମେ କେବଳ ହସି ଦେଇ ଆଗକୁ ପଳାଉଛୁ’ ବୋଲି ଗଡ଼କରୀ କହିଥିଲେ। ଅବଶ୍ୟ ପରେ ଗଡ଼କରୀ ଏନେଇ ସ୍ପଷ୍ଟୀକରଣ ଦେଇଥିଲେ।

Leave a Reply

Your email address will not be published. Required fields are marked *