କମିବ ପେଟ୍ରୋଲ୍-ଡିଜେଲ୍ ଦର!
ନୂଆଦିଲ୍ଲୀ (ଓଟି): ଦେଶବାସୀଙ୍କ ପାଇଁ କରୋନା ଆତଙ୍କ ମଧ୍ୟରେ ଗୋଟିଏ ଖୁସି ଖବର। ସେହି କରୋନା ଭାଇରସ ଲାଗି ଦେଶରେ ତୈଳଦର ହ୍ରାସ ପାଇବାର ସମ୍ଭାବନା ଦେଖାଦେଇଛି। ସୂଚନା ଅନୁସାରେ ମାରାତ୍ମକ ଭାଇରସ୍ କରୋନା ପାଇଁ ସାରାରେ ବିଶ୍ୱ ମାନ୍ଦାବସ୍ଥା ଦେଖାଦେଇଛି। ସେହିପରି ଏହାର ପ୍ରଭାବ ତୈଳ ବଜାରରେ ମଧ୍ୟ ପଡ଼ିଛି। ଫଳସ୍ୱରୂପ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ ୩୧% ହ୍ରାସ ପାଇଛି। ଏହାରି କାରଣରୁ ଦେଶରେ ତେଳ ଦର କମିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ସୂଚନା ଅନୁସାରେ ଅଶୋଧିତ ତୈଳଦରକୁ ନେଇ ଋଷ ଓ ସାଉଦି ଆରବ ମୁଲଚାଲ କରିବା ଆରମ୍ଭ କରିଛନ୍ତି। ତେଣୁ ସାଉଦି ଆରବ ଅଶୋଧିତ ତେଲର ଦାମ କମାଇଛି। କରୋନା ପାଇଁ ଅନେକ ସ୍ଥାନରେ ଆମଦାନୀ ବନ୍ଦ ରହିଥିବାରୁ ତେଲ ଉତ୍ପାଦନକୁ କମାଇବାକୁ ଋଷକୁ କୁହାଯାଇଥିଲା। ମାତ୍ର ଋଷ ତେଲ ଉତ୍ପାଦନ ହ୍ରାସ କରିବାକୁ ରାଜି ହୋଇନଥିଲା। ଏଥିଯୋଗୁଁ ସାଉଦି ଆରବ ଦାମଠୁ ନେଇ ସମସ୍ତ ସର୍ତ୍ତ ପାଳନ କରିବାକୁ ରାଜି ହେଉଥିବା ଦେଖିବାକୁ ମିଳିଛି। ଭାରତ ସାଉଦି ଆରବ ପାଖରୁ ଅଶୋଧିତ ତୈଳ ଆମଦାନୀ କରୁଛି। ସେଠାରେ ତେଲ ଦାମ କମିଥିବାରୁ ଆଗାମୀ ଦିନରେ ଭାରତ ମଧ୍ୟ ଏହାର ଲାଭ ପାଇବ। ଏଭଳି ହେଲେ ଘରୋଇ ବଜାରରେ ପେଟ୍ରୋଲର ମୂଲ୍ୟ ହ୍ରାସ ହୋଇପାରେ।
ସମ୍ପ୍ରତି ଦେଶରେ ପେଟ୍ରୋଲ ମୂଲ୍ୟ ପ୍ରାୟ ୭୦ ଟଙ୍କା ରହିଛି। ଭାରତ ଅଶୋଧିତ ତୈଳ ଦର ବ୍ୟାରେଲ(୧୫୯ ଲିଟର) ପିଛା ୪୭.୯୨ ଡଲାର ବା ୩୫୩୦ ଟଙ୍କାରେ ଆମଦାନୀ କରୁଛି। ତୈଳଦର ୩୦ ପ୍ରତିଶତ ଶସ୍ତା ହେଲେ ଏହାର ଦାମ ୨୪୭୦ ଟଙ୍କାକୁ ହ୍ରାସ ପାଇବ।