ଏନକାଉଣ୍ଟରରେ ସବ୍‍-ଇନ୍ସପେକ୍ଟର ସହିଦ; ୪ ନକ୍ସଲ ମୃତ

ଭୁବନେଶ୍ୱର,(ଓଡ଼ିଶା ଟାଇମ୍‍): ଛତିଶଗଡର ରାଜନନ୍ଦଗାଓଁ ଜିଲାରେ ଶୁକ୍ରବାର ରାତିରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ସବ୍‍ ଇନ୍ସପେକ୍ଟର ସହିଦ ହୋଇଥିବାବେଳେ ୪ଜଣ ନକ୍ସଲ ପ୍ରାଣ ହରାଇଛନ୍ତି । ଶୁକ୍ରବାର ରାତି ପ୍ରାୟ ୧୦ଟା ୩୦ରେ ମାନପୁର ଥାନା ଅଧୀନ ପରଧୋନୀ ଗ୍ରାମ ନିକଟ ଜଙ୍ଗଲ ମଧ୍ୟରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ରାଜନନ୍ଦଗାଓଁ ଆରକ୍ଷୀ ଅଧୀକ୍ଷକ (ଏସପି) ଜିତେନ୍ଦ୍ର ଶୁକ୍ଳା କହିଛନ୍ତି ଯେ ଗୁଳିବିନିମୟରେ ସବ୍‍ ଇନ୍ସପେକ୍ଟର ଏସକେ ଶର୍ମା ସହିଦ ହୋଇଛନ୍ତି ।

ସହିଦ ଶର୍ମାଙ୍କ ଘର ସୁରଗୁଜା ଜିଲା । ସେ ମଦନବଡା ଥାନା ଅଧିକାରୀ ଭାବେ ଦାୟିତ୍ୱରେ ଥିଲେ । ପୁଲିସର ଗୁଳିରେ ମାଓବାଦୀ ଡିଭିଜନାଲ କମିଟି ସଦସ୍ୟ ଅଶୋକ, ସିପିଆଇ ଆଞ୍ଚଳିକ କମିଟି ସଦସ୍ୟ କ୍ରିଷ୍ଣା ଓ ଦୁଇ ମହିଳା ନକ୍ସଲ ସରିତା ଓ ପ୍ରମିଳା ପ୍ରାଣ ହରାଇଛନ୍ତି । ସରିତା ଓ ପ୍ରମିଳା ଜୁନୟର କ୍ୟାଡର ମାଓବାଦୀ । ସେମାନଙ୍କ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ, ଗୋଟିଏ ଏସଏଲଆର ଏବଂ ଦୁଇଟି ୩୧୫ ବୋର ରାଇଫଲ ଜବତ କରାଯାଇଛି ।

ଘଟଣାସ୍ଥଳରେ ଅଧିକ ତଲାସ ଜାରି ରହିଥିବା ଏସପି ଶୁକ୍ଳା କହିଛନ୍ତି । ପୁଲିସ କହିଛି ଯେ ନକ୍ସଲମାନେ ଶୁକ୍ରବାର ରାତିରେ ପରଧୋନୀ ଜଙ୍ଗଲରେ ଶିବିର ପକାଇଥିଲେ । ରାଜନନ୍ଦଗାଓଁ ମାଓବାଦୀଙ୍କ ଦ୍ୱାରା ପ୍ରସ୍ତୁତ ନୂଆ ଜୋନ୍‍ରେ ରହିଛି । ମାଓବାଦୀମାନେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡକୁ ନେଇ ଏକ ନୂଆ ଜୋନ ଗଠନ କରିଛନ୍ତି । ଏହା ଏକ ତ୍ରିକୋଣୀୟ ଜଙ୍କସନ । ଏହାର ନାମ ରହିଛି ଏମଏମସି । ଏହି ନୂଆ ଜୋନରୁ ନିକଟରେ ଅନେକ ମାଓବାଦୀ ପ୍ରଚାରପତ୍ର ଜବତ କରାଗଲାଣି । ପ୍ରାୟ ୧୮୦ ସଶସ୍ତ୍ର ମାଓବାଦୀ ଏହି ଅଞ୍ଚଳରେ ସର୍ବଦା ଘୂରିବୁଲୁଛନ୍ତି ।

Leave a Reply

Your email address will not be published.