#କରୋନା ଆତଙ୍କ: ପାଳନ ହେବନି ରାଜଧାନୀ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର (ଓଟି): ମହାମାରୀ କରୋନାର ପ୍ରକୋପ ବ୍ୟାପୁଛି। ସଂକ୍ରମଣ ଭୟ ଲାଗି ରହିଛି। ଏହିଦୃଷ୍ଟିରୁ ଚଳିତ ବର୍ଷ ରାଜ୍ୟ ରାଜଧାନୀର ପ୍ରତିଷ୍ଠା ଦିବସ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ୧୯୪୮ ଏପ୍ରିଲ୍ ୧୩ରେ ଅନନ୍ୟ କିର୍ତ୍ତୀରାଜି ସମ୍ପନ୍ନ ମନ୍ଦିରମାଳିନୀ ସହର ଭୁବନେଶ୍ୱରକୁ ଓଡ଼ିଶାର ନୂଆ ରାଜଧାନୀ ପାଇଁ ଅୟମାରମ୍ଭ ହୋଇଥିଲା। ଶିଳାନ୍ୟାସ ଦେଇଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହରୁ। ସେହି ସ୍ମୃତିକୁ ସମ୍ମାନ ଜଣାଇ ଗତ ୩୦ବର୍ଷ ହେଲା ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ହୋଇଆସୁଥିଲା। କିନ୍ତୁ ଚଳିତବର୍ଷ ଏଥିରେ ଦାଉ ସାଧିଛି କରୋନା ଆତଙ୍କ।
ମହାମାରୀ କରୋନାର ଆତଙ୍କରେ ବିଶ୍ୱ ଥରହର ହେଉଛି। ଏଭଳି ସ୍ଥିତିରେ ଆମ ଦେଶ ସମେତ ରାଜ୍ୟ ଲକ୍ଡାଉନରେ ରହିଛି। ତେଣୁ ଚଳିତବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସ ପାଇଁ କୌଣସି କାର୍ଯ୍ୟକ୍ରମ ଆୟୋଜନ ନକରିବାକୁ ସମ୍ପୃକ୍ତ କମିଟି ନିଷ୍ପତ୍ତି ନେଇଛନ୍ତି। ତେବେ ଏଭଳି ଅନିଚ୍ଛାକୃତ ପଦକ୍ଷେପ ନିମନ୍ତେ କମିଟି ଦୁଃଖ ପ୍ରକାଶ କରିଛି। କମିଟି ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସମ୍ପାଦକ ସନତ ମିଶ୍ର ଓ ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ପ୍ରମୁଖ ଭୁବନେଶ୍ୱରବାସୀଙ୍କୁ ସ୍ଥିତି ସମ୍ପର୍କରେ ସୂଚନା ଦେବା ସହ ଶୁଭକାମନା ଜ୍ଞାପନ କରିଛନ୍ତି।