କଣ୍ଟିଲୋ ନୀଳମାଧଵଙ୍କ ସେବାୟତଙ୍କୁ ଆର୍ଥିକ ସହାୟତା ଦାବିକଲେ ସିଦ୍ଧାର୍ଥ
ଭୁବନେଶ୍ୱର, (ଓଡ଼ିଶା ଟାଇମ୍) :ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିରର ସେବାୟତମାନଙ୍କୁ କରୋନା ମହାମାରୀ ଜନିତ ଲକଡାଉନକୁ ଦୃଷ୍ଟିରେ ରଖି 5000 ଟଙ୍କା ଆର୍ଥିକ ସହାୟତା ଦେବାର ନିଷ୍ପତ୍ତି ନିଆଯାଇଛି। ତେବେ ପୁରୀ ସେବାୟତଙ୍କ ଭଳି କଣ୍ଟିଲୋ ନୀଳମାଧଵ ମନ୍ଦିରର ସେବାୟତ ମାନଙ୍କୁ ମଧ୍ୟ ଅନୁରୂପ 5000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ସିଦ୍ଧାର୍ଥ ଶେଖର ସିଂହ।
ସେ କହିଛନ୍ତି, ନୟାଗଡ ଜିଲ୍ଲା ଖଣ୍ଡପଡାସ୍ଥିତ ଏହି ପୁରାତନ ବିଷ୍ଣୁ ମନ୍ଦିରର ଅନେକ ପୌରାଣିକ କିମ୍ବଦନ୍ତୀ ରହିଛି। ପୁରୀ ଜଗନ୍ନାଥ ମନ୍ଦିର ନିର୍ମାଣ ଓ କଣ୍ଟିଲୋ ନୀଳମାଧଵ ମନ୍ଦିରର ଗାଥା ସମ୍ପର୍କରେ ସବୁ ଓଡିଶା ବାସୀ ଅବଗତ। ମହାନଦୀ କୂଳରେ ଥିବା ଏହି ନୀଳମାଧଵ ମନ୍ଦିରକୁ ଓଡିଶାର ତ୍ରିବେଣୀ ସଙ୍ଗମ ବୋଲି ମଧ୍ୟ ଅଭିହିତ କରାଯାଇଥାଏ। ଏହି ପବିତ୍ର ସ୍ଥାନକୁ ନୀଳମାଧଵଙ୍କ ଦର୍ଶନ ନିମନ୍ତେ ବର୍ଷସାରା ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ କରୋନା ମହାମାରୀ ଯୋଗୁଁ ଏବେ ସାରାଦେଶରେ ଲକଡାଉନ ଥିବାବେଳେ ଧାର୍ମିକ ସ୍ଥାନଗୁଡିକୁ ମଧ୍ୟ ଭକ୍ତ ମାନଙ୍କୁ ଯିବାରେ ବାରଣ କରାଯାଇଛି।ଏହି ପରିପ୍ରେକ୍ଷୀରେ ନୀଳମାଧଵ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଆସିବା ବନ୍ଦ ହୋଇଯାଇଛି। ଭକ୍ତଙ୍କଠାରୁ ପୂଜାଅର୍ଚନାର ପ୍ରାପ୍ୟ ପାଇ ନିଜ ପରିବାରର ଗୁଜରାଣ ମେଣ୍ଟାଉଥିବା ନୀଳମାଧଵ ମନ୍ଦିରର ସେବାୟତ ମାନେ ଏବେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ତେଣୁ ପୁରୀ ମନ୍ଦିରର ସେବାୟତଙ୍କୁ ଆର୍ଥିକ ସହାୟତା ଦିଆଯିବା ନିଷ୍ପତିକୁ ସ୍ୱାଗତ କରିବା ସହ ଅନୁରୂପ ଭାବେ କଣ୍ଟିଲୋ ନୀଳମାଧବ ମନ୍ଦିରର ସେବାୟତ ମାନଙ୍କୁ ମଧ୍ୟ ରାଜ୍ୟ ସରକାର 5000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଖଣ୍ଡପଡା ପୂର୍ବତନ ବିଧାୟକ ତଥା ରାଜପରିବାର ସଦସ୍ୟ ସିଦ୍ଧାର୍ଥ ଶେଖର ସିଂହ।