ଯୋଜନା ବୋର୍ଡରେ ସଞ୍ଜୟ ଦାସବର୍ମାଙ୍କୁ ଥଇଥାନ

ଭୁବନେଶ୍ଵର, (ଓଟି): ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ପରାଜୟର ମୁହଁ ଦେଖାଇଥିବା ବର୍ତ୍ତମାନର ଦଳୀୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କୁ  ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ବାବଦରେ ସ୍ପଷ୍ଟ କରାଯାଇଛି। ଏହି ପଦବୀ ରାଜ୍ୟ ମନ୍ତ୍ରୀମଣ୍ଡଳର କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ ପଦମର୍ଯ୍ୟାଦା ସହ ସମତୁଲ୍ୟ ହୋଇଥିବାରୁ ସଞ୍ଜୟଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ଭଳି ସରକାରୀ ସ୍ତରରେ ମର୍ଯ୍ୟାଦା ମିଳିବ। 

ଏହି ନିଯୁକ୍ତିରେ ଖୁସି ବ୍ୟକ୍ତ କରି ସଞ୍ଜୟ ଗଣମାଧ୍ୟମକୁ କହିଛନ୍ତି ଯେ, ଯୋଜନା ବୋଡ଼ କିପରି କ୍ରିୟାଶୀଳ ହେବ ସେଥିଲାଗି କାର୍ଯ୍ୟ କରିବେ। ଏନେଇ ବୋର୍ଡ ପୁନର୍ଗଠନ ବାବଦରେ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ। 

୧୩ ବର୍ଷ ହେଲା ପଙ୍ଗୁ

କିନ୍ତୁ ରାଜ୍ୟ ଯୋଜନା ବୋର୍ଡ ପ୍ରଶାସନିକ ବ୍ୟବସ୍ଥା ଏକ ସ୍ଥାଣୁ ଓ ଅଦରକାରୀ ତଥା ରାଜନୀତିକ ବ୍ୟକ୍ତିଙ୍କ ଥଇଥାନ କେନ୍ଦ୍ର ଭାବେ ପରିଚିତ ହୋଇଛି। ଏହି ବୋର୍ଡ ଶେଷଥର ପାଇଁ ୨୦୧୭ ମସିହାରେ ପୁନର୍ଗଠିତ ହୋଇଥିଲା। ସେତେବେଳେ ରାମଚନ୍ଦ୍ର ପଣ୍ଡାଙ୍କୁ ବୋର୍ଡର ସଦସ୍ୟ ଭାବେ ସରକାର ନିଯୁକ୍ତ କରିଥିଲେ। କିନ୍ତୁ ପରିତାପର ବିଷୟ ଏହା ଯେ, ଏହି ବୋର୍ଡ ଗଲା ୧୩ ବର୍ଷ ହେଲା କେବେ କୌଣସି ବିଷୟରେ ବୈଠକ ଡାକି ନାହିଁ କି ସରକାରଙ୍କୁ ପରାମର୍ଶ ଦେଇ ନାହାନ୍ତି।  ବର୍ତ୍ତମାନର ୫-ଟି ସଂସ୍କାରଭିତ୍ତିକ ପ୍ରଶାସନିକ ବ୍ୟବସ୍ଥାରେ ଏହା ଏକ ଅଦରକାରୀ ବ୍ୟବସ୍ଥା ବୋଲି ପ୍ରମାଣିତ ହୋଇଛି। ଏଣୁ ସଞ୍ଜୟଙ୍କ ଏହି ନିଯୁକ୍ତି ମଧ୍‌ୟ ସେହିପରି ଭାବେ ଏକ ଥଇଥାନ ହେବ ବୋଲି ବିଶେଷଜ୍ଞମାନେ ଆଲୋଚନା କରୁଛନ୍ତି। 

ରାଜ୍ୟ ସରକାର ଗଲା କିଛିଦିନ ତଳେ ଜିଲ୍ଲା ଯୋଜନା ବୋର୍ଡଗୁଡ଼ିକର ପୁନର୍ଗଠନ କରିଥିଲେ। କିନ୍ତୁ ରାଜ୍ୟ ବୋର୍ଡ଼ କଥା କେବେ ଚିନ୍ତା କରି ନଥିଲେ। 

ସଂସ୍କାର ଜରୁରୀ

ଦେଶରେ ଯୋଜନା କମିଶନଙ୍କୁ ଭଙ୍ଗ କରାଯାଇ ନିତି ଆୟୋଗ ଗଠନ କରାଯାଇଛି। ଯୋଜନା କମିଶନଙ୍କ ଆବଶ୍ୟକତା ବର୍ତ୍ତମାନ ନାହିଁ ବୋଲି ସରକାର ଅନୁଭବ କରି ଏହି ବ୍ୟବସ୍ଥା ଆପଣାଇଛନ୍ତି। ପ୍ରଧରାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ ଗ୍ରହଣ କରିବା ପରେ ଅଧିକ ଅଂଶଗ୍ରହଣ ବୃଦ୍ଧି ପାଇଁ ଏହି ବ୍ୟବସ୍ଥା ଆପଣାଇଛନ୍ତି। ଏହି ଢାଞ୍ଚାରେ ରାଜ୍ୟରେ ମଧ୍‌ୟ ବୋର୍ଡ଼ର ନୀତି ନିୟମରେ ସଂସ୍କାର ଆସିବା ଜରୁରୀ ରହିଛି। 

ଅପରପକ୍ଷେ ଏବେ ଯେଉଁ ବ୍ୟବସ୍ଥା ରହିଛି ସେହି ଅନୁସାରେ ଯୋଜନା ବୋର୍ଡ ରାଜ୍ୟ ସୀରକାରଙ୍କ ବିଭିନ୍ନ ବିଭାଗର ଯୋଜନା ପାଇଁ ପରାମର୍ଶ ଦେବା ଉଚିତ। ଏଥିଲାଗି ସ୍ଵତନ୍ତ୍ର କମିଟି ସବୁ ଗଠନ ଓ ଏହାର କାର୍ଯ୍ୟ କାରୀତା ଉପରେ ଗୁରୁତ୍ଵ ଦିଆଯିବା ଦରକାର। କିନ୍ତୁ ରାଜ୍ୟ ସରକାର ବିଗତ ୧୩ ବର୍ଷ ହେଲା ଏହି ବୋର୍ଡର କୌଣସି ପରାମର୍ଶ ଲୋଡ଼ି ନାହାନ୍ତି। 

 

Leave a Reply

Your email address will not be published. Required fields are marked *