ସନାତନ ବିସିଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ

ଭୁବନେଶ୍ୱର (ଓଟି): ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ, ପ୍ରାକ୍ତନ ରାଜ୍ୟସଭା ସଦସ୍ୟ ତଥା ବର୍ଷିଆନ ରାଜନେତା ସନାତନ ବିସିଙ୍କର ମଙ୍ଗଳବାର ସକାଳେ ଦେହାନ୍ତ ହୋଇଯାଇଛି। ସନାତନଙ୍କ ବିୟୋଗରେ ରାଜନୀତିକ ଦଳ ସମେତ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ବ୍ୟକ୍ତ କରିବା ସହ ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ସୂଚନା ଅନୁସାରେ ସମ୍ବଲପୁରସ୍ଥିତ ନିଜସ୍ୱ ବାସଭବନରେ ସନାତନ ୭୭ ବର୍ଷ ବୟସରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଶୋକବ୍ୟକ୍ତ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି। ଏଭଳି ଦୁଃଖଦ ସମୟରେ ଈଶ୍ୱର ତାଙ୍କ ପରିବାରବର୍ଗକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ଶ୍ରୀ ଦାସବର୍ମା ଶୋକବାର୍ତ୍ତାରେ ଜଣାଇଛନ୍ତି। ପ୍ରକାଶ ଥାଉକି ସନାତନ ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପକ୍ଷରୁ ଦୁଇଥର ବିଧାୟକ ନିର୍ବାଚିତ ହୋଇଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ। ସେହିପରି ଜନତା ଦଳ ପକ୍ଷରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏକାଧାରରେ ସ୍ଵର୍ଗତ ବିସି ଜଣେ ବିଶିଷ୍ଟ ରାଜନେତା, କ୍ରୀଡ଼ାବିତ ଓ କ୍ରୀଡ଼ ସଙ୍ଗଠକ ଭାବେ ସୁନାମ ଅର୍ଜନ କରିପାରିଥିଲେ। ଅନ୍ୟପକ୍ଷରେ ସମ୍ବଲପୁର ଷ୍ଟାଡିୟମ ନିର୍ମାଣରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସେ ଓଡ଼ିଶା ଅଲିମ୍ପିକ ଆସୋସିଏସନ ସହ ଜଡ଼ିତ ଥିଲେ। ଛାତ୍ର ଆନ୍ଦୋଳନରୁ ରାଜନୈତିକ ଜୀବନ ଆରମ୍ଭ କରି ସମ୍ବଲପୁର ଜିଲ୍ଲା ଜନତା ଦଳର ସଭାପତି ହୋଇଥିଲେ। ପଶ୍ଚିମ ଓଡ଼ିଶା ବିକାଶର ଜଣେ ପ୍ରବୀଣ ନେତାଙ୍କୁ ବିଜେଡି ହରାଇଲା ବୋଲି ପ୍ରେସ ଇସ୍ତାହାରରେ ସଞ୍ଜୟ ଦାସବର୍ମା କହିଛନ୍ତି।

Leave a Reply

Your email address will not be published. Required fields are marked *