ପର୍ଫ୍ୟୁମ୍‌ ବୋତଲରେ ବିଦେଶୀ ନୋଟ୍

ନୂଆଦିଲ୍ଲୀ(ଓଟି): ସପ୍ତାହକରେ ଦ୍ଵିତୀୟ ଘଟଣା। ୫ ଦିନର ବ୍ୟବଧାନରେ କେନ୍ଦ୍ରୀୟ ଶିଳ୍ପାଞ୍ଚଳ ସୁରକ୍ଷା ବାହିନୀ (ସିଆଇଏସଏଫ) ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ବିଦେଶୀ ମୁଦ୍ରା ଜବତ କରିଛନ୍ତି। ପ୍ରଥମ ଘଟଣାରେ ବିସ୍କୁଟ୍‌ ଓ ବାଦାମ ଭିତରୁ ନୋଟ୍‌ ଜବତ ହୋଇଥିବାବେଳେ ଏହି ଘଟଣାରେ ପର୍ଫ୍ୟୁମ୍‌ ବୋତଲରେ ବିଦେଶୀ ନୋଟ୍‌ ଚାଲାଣ ହେଉଥିବା ଜଣାପଡ଼ିଛି। ସେହିପରି ଗତ ୧୩ ତାରିଖରେ ୪୫ ଲକ୍ଷ (ଭାରତୀୟ ଟଙ୍କାରେ) ଜବତ ହୋଇଥିବାବେଳେ ଏହି ଘଟଣାରେ ଜବତ ନୋଟ୍‌ ୪୨ ଲକ୍ଷ ହେବ ବୋଲି କୁହାଯାଉଛି। ଜଣେ ୪୦ବର୍ଷୀୟ ବ୍ୟକ୍ତି ଏହି ଘଟଣାରେ ଧରାପଡ଼ିଛନ୍ତି। ସେ ଦିଲ୍ଲୀ ବାସିନ୍ଦା ମହମ୍ମଦ ଅର୍ଶୀ ବୋଲି ସିଆଇଏସ୍ଏଫ୍‌ ଟିମ୍‌ ଆଗରେ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ ରବିବାର ଅପରାହ୍ଣରେ ବିମାନବନ୍ଦ ଟର୍ମିନାଲ ୩ରେ ଜଣେ ବ୍ୟକ୍ତି ଚେକ୍‌-ଇନ୍‌ କରାଯାଉଥିବା ସ୍ଥାନରେ ସନ୍ଦେହଜନକ ଭାବେ ଛିଡା ହୋଇଥିଲେ। ସୁରକ୍ଷାକର୍ମୀ ଓ ବିମାନବନ୍ଦର ଅଧିକାରୀ ତାଙ୍କୁ ପଚରାଉଚରା କରିଥିବାବେଳେ ତାଙ୍କ କଥାରେ ତାଳମେଳ ରହୁନଥିଲା। ପରେ ବନ୍ଦ କୋଠରି ଭିତରେ ଯାଞ୍ଚ କରିବାବଳେ ସ୍କାନର୍‌ରେ ଧରାପଡ଼ିଥିଲା ଅସଲ ଘଟଣା।   ବ୍ୟାଗ୍‌ରୁ ୧,୯୭,୫୦୦ସାଉଦି ରିଆଲ୍‌ ଓ ୨,୦୦୦ କୁଏତ ଦିନାର ଜବତ ହୋଇଥିବାବେଳେ ପର୍ଫ୍ୟୁମ ବୋତଲ ଭିତରେ ସେସବୁ ରହିଥିଲା। 

Leave a Reply

Your email address will not be published. Required fields are marked *