ରାଜ୍ୟ ବାହାରେ ପ୍ରଥମ ଥର ବିଜେପି ବିରୋଧି ଆନ୍ଦୋଳନର ନେତୃତ୍ୱ ନେବେ ନବୀନ

ଭୁବନେଶ୍ୱର,(ଓଟି): ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ରାଜ୍ୟ ବାହାରେ ୨୦୧୪ପରେ ନରେନ୍ଦ୍ର ମୋଦିଙ୍କ ବିଜେପି ସରକାର ବିରୋଧରେ କୃଷି ଓ କୃଷକ ସମସ୍ୟାର ସମାଧାନ ପାଇଁ ନୂଆ ଦିଲ୍ଲୀରେ ଆଗାମୀ ୮ତାରିଖ ଦିନ ଦେବାକୁ ଥିବା ଧାରଣା କାର୍ଯ୍ୟକ୍ରମର ନେତୃତ୍ୱ ନେବେ। କାରଣ ମୋଦି ସରକାର କ୍ଷମତାକୁ ଆସିବା ପରଠାରୁ କୃଷକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହିଁ ବୋଲି ବିଜେଡ଼ି ଅଭିଯୋଗ କରିଆସୁଛି।

ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବଙ୍କ କହିବା ଅନୁସାରେ, ତାଙ୍କ ଦଳ ସ୍ୱାମୀନାଥନ କମିଟି ସୁପାରିଶ ଆଧାରରେ ଚାଷୀମାନଙ୍କୁ ସହାୟକ ମୂଲ୍ୟ ଦେବାକୁ ଦାବି କରିଆସୁଛି। କୃଷି ପଦାର୍ଥର ମୂଲ୍ୟ ୫୦ ପ୍ରତିଶତ ବୃଦ୍ଧି କରିବାକୁ ଗତ ନିର୍ବାଚନରେ ଏନଡ଼ିଏର ନିର୍ବାଚନୀ ଘୋଷଣାପତ୍ରରେ ମଧ୍ୟ କୁହାଯାଇଥିଲା। କିନ୍ତୁ ମୋଦି ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରିନଥିବାରୁ ଆମେ ଦିଲ୍ଲୀରେ ଧାରଣା ଦେବାକୁ ସ୍ଥିର କରିଛୁ।

ରାଲି ନେଇ ଦିଲ୍ଲୀରେ ଯେଉଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ସେଥିରେ ବିଜେଡି ନେତାମାନେ ସ୍ପଷ୍ଟ ଭାବରେ କହିଥିଲେ ଯେ ଏହି ଧାରଣାକୁ ମୋଦି ସରକାରଙ୍କ ବିରୋଧରେ ରଣ ହୁଙ୍କାର ବୋଲି ଧରିବା ଠିକ୍ ନୁହେଁ। ବିଶେଷକରି ଆଗକୁ ନିର୍ବାଚନ ଆସୁଥିବାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଗରମ ଦେଖାଇବା ସକାଶେ ବିଜେଡି ଚାହୁଁନାହିଁ।

ରାଜ୍ୟସଭା ସାଂସଦ ଓ ଅନ୍ୟତମ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସାମ୍ବାଦିକ ସମ୍ମିଳନୀରେ  କହିଲେ, ଆମେ ଚାଷୀଙ୍କୁ ରାଜନୀତି ସହିତ ଯୋଡୁନାହୁଁ।

ଦିଲ୍ଲୀରେ ଏହି ସମାବେଶ ଆୟୋଜନ ଏଭଳି ଏକ ସମୟରେ ହେଉଛି ଯେତେବେଳେ ଅମିତ ଶାହଙ୍କ ନେତୃତ୍ୱରେ ବିଜେପି ଓଡ଼ିଶାରେ ତା’ର ପ୍ରଭାବକୁ ବିସ୍ତାରିତ କରିବା ପାଇଁ ବଦ୍ଧପରିକର। ଶାହଙ୍କ ମିଶନ ୧୨୦ ଅନ୍ତର୍ଗତ  ବିଗତ ଚାରି ବର୍ଷ ଧରି ବିଜେପି ତାର ଉଦ୍ୟମକୁ ଜାରି ରଖିବା ସହ ଶାସକ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛି।

ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରାବର କହି ଆସିଛନ୍ତି ଯେ ଉଭୟ କଂଗ୍ରେସ ଓ ବିଜେପିଠାରୁ ଦଳ ସମାନ ଦୂରତା ରକ୍ଷା କରିବ। କିନ୍ତୁ ଅସଲରେ ୨୦୧୪ ପରଠାରୁ  ବିଜେପିକୁ ବିଭିନ୍ନ ସମୟରେ ସାହାଯ୍ୟ କରିବା ପାଇଁ ସହଯୋଗର ହାତ ବଢ଼ାଇ ଆସିଛି ବିଜେଡି।

ବିମୁଦ୍ରାକରଣ, ଜିଏସ୍‌ଟି ଓ ଅନାସ୍ଥା ପ୍ରସ୍ତାବ ଭଳି ବିଭିନ୍ନ ପ୍ରସଙ୍ଗରେ ବିଜେଡି ମୋଦି ସରକାରଙ୍କୁ ସଂକଟରୁ ଉଦ୍ଧାର କରି ଆସୁଛି। ଖାଲି ସେତିକି ନୁହେଁ, ଅତୀତରେ ବାମପନ୍ଥୀ ଦଳ ପକ୍ଷରୁ ଦିଲ୍ଲୀରେ କରାଯାଇଥିବା ସମ୍ମିଳନୀରେ ବିଜେଡି ଯୋଗ ଦେଇନାହିଁ। ଏଥିରୁ ସ୍ପଷ୍ଟ ଯେ ବିଜେଡି ହାତେ ମାପି ଚାଖଣ୍ଡେ ଚାଲିବା ନୀତି ଆପଣେଇଛି।

ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ:

Leave a Reply

Your email address will not be published. Required fields are marked *