ଛୋଟ ଛୋଟ୍ ଭୁଲ୍ ଯୋଗୁଁ ହୋଇପାରେ ସ୍ୱାସ୍ଥ୍ୟହାନି
ଆଜିର ବ୍ୟସ୍ତ ଜୀବନଶୈଳୀ ଯୋଗୁଁ କେହି ମଧ୍ୟ ନିଜ ଶରୀର ପ୍ରତି ଉପଯୁକ୍ତ ଧ୍ୟାନ ଦେଇପାରନ୍ତି ନାହିଁ । ଶରୀରରେ ଶକ୍ତି ସଞ୍ଚାର ପାଇଁ ମେଟାବୋଲିଜିମର ସ୍ତର ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଜରୁରୀ । ମେଟାବୋଲିଜିମ୍ ସ୍ତର ଠିକ୍ ରହିଲେ ଶରୀରରେ ଶକ୍ତି ବୃଦ୍ଧି ହେବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ମୋଟ ଉପରେ କହିବାକୁ ଗଲେ ଏକ ସୁସ୍ଥ ଓ ନିରୋଗ ଶରୀର ପାଇଁ ମେଟାବୋଲିଜିମ୍ ସ୍ତର ଉପରେ ଅଧିକ ଧ୍ୟାନ ଦେବାକୁ ହେବ । କିନ୍ତୁ ଦୈନନ୍ଦିନ ଜୀବନରେ ଆମେ ଏଭଳି କିଛି ଛୋଟ ଛୋଟ ଭୁଲ୍ କରିବସୁ, ଯାହା ଫଳରେ ଶରୀରର ମେଟାବୋଲିଜିମ୍ ଲେଭଲ୍ ପ୍ରଭାବିତ ହୋଇଥାଏ ଏବଂ ଆମର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ତାହେଲେ ଆସନ୍ତୁ ଜାଣିବା ସେହି ଛୋଟ ଛୋଟ ଭୁଲ୍ କ’ଣ ଏବଂ କିପରି ତାହାର ସମାଧାନ କରିହେବ-
୧- ଓଜନ କମ୍ କରିବା ପାଇଁ ଅନେକ ବ୍ୟକ୍ତି କମ୍ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବା ସହିତ ଖାଇବା ପରିମାଣକୁ ମଧ୍ୟ କମ୍ କରିଥାନ୍ତି । କିନ୍ତୁ ଏଭଳି କରିବା ଉଚିତ୍ ନୁହେଁ । କାରଣ କମ୍ କ୍ୟାଲୋରି ଯୋଗୁଁ ମେଟାବୋଲିଜିମ୍ ସ୍ତର ଅଧିକ କ୍ଷତିଗ୍ରସ୍ତ ହୋଇଥାଏ ।
୨- ଅଧିକ ରାତି ପର୍ଯ୍ୟନ୍ତ କାମ କରିବା ଦ୍ୱାରା ଶରୀରରେ ମେଟାବୋଲିଜିମ୍ ସ୍ତର ପ୍ରଭାବିତ ହୋଇଥାଏ । ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ସଠିକ୍ କ୍ୟାଲୋରିଯୁକ୍ତ ଖାଦ୍ୟକୁ ହଜମ କରିବା ପାଇଁ ଅଧିକ ସମୟ ଶୋଇବା ନିହାତି ଜରୁରୀ। ଭଲ ଭାବେ ଖାଦ୍ୟ ହଜମ ହେବା ଦ୍ୱାରା ଏଥିରୁ ଯେଉଁ ଶକ୍ତି ମିଳିଥାଏ. ତାହା ସୁସ୍ଥ ଶରୀର ଗଠନରେ ସହାୟକ ହୁଏ । ତେଣୁ ନିଦ ନହେବା କିମ୍ବା ଅନିଦ୍ରା ହେବା ଠାରୁ ଦୂରେଇ ରହିବା ଆବଶ୍ୟକ ।
୩- ସବୁବେଳେ ଚିନ୍ତାଗ୍ରସ୍ତ ରହିବା ଦ୍ୱାରା ମେଟାବୋଲିଜିମ୍ ସ୍ତର ଉପରେ ଅଧିକ ଚାପ ପଡ଼ିଥାଏ । ଫଳରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ । ତେଣୁ ଯେତେ ସମ୍ଭବ ନିଜକୁ ଟେନ୍ସନ୍ ଫ୍ରୀ ରଖିବା ପାଇଁ ଚେଷ୍ଟା କରନ୍ତୁ । ଏହା ବ୍ୟତୀତ ଅଧିକ ଚିନି କିମ୍ବା ମିଠା ପାନୀୟରୁ ଦୂରେଇ ରହନ୍ତୁ ।