ମୋଦିଙ୍କୁ ବିପଦ ୫ରାଜ୍ୟ
ନରେନ୍ଦ୍ର ମୋଦି ପୁଣି ଥରେ ପ୍ରାନମନ୍ତ୍ରୀ ହେବାରେ ୫ଟି ରାଜ୍ୟ ବାଧକ ସାଜିବାକୁ ଯାଉଛନ୍ତି। ଏକଥାକୁ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଓ ବିରୋଧି ଦଳର ସମସ୍ତ ନେତାମାନେ ଭଲ ଭାବରେ ଜାଣିଛନ୍ତି। ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ଏହି ୫ଟି ରାଜ୍ୟରୁ ଅଧା ଅର୍ଥାତ୍ ୨୪୯ ସଦସ୍ୟ ରହିଛନ୍ତି। ଗତ ଥର ୨୦୧୪ ନିର୍ବାଚନରେ ଏହି ୫ଟି ରାଜ୍ୟରୁ ବିଜେପି ବହୁମତ ହାସଲ କରିଥିଲା। କିନ୍ତୁ ଗତ ୫ବର୍ଷ ଭିତରେ ଅନେ ପରିବର୍ତ୍ତନ ହୋଇଛି।
୨୦୧୪ରେ ଏହି ରାଜ୍ୟରୁ ବିଜେପିକୁ ମିଳିଥିଲା ୧୮୮ଟି ଆସନ

୨୦୧୪ ନିର୍ବାଚନରେ ବିଜେପି ଓ ଏହାର ସହଯୋଗୀ ଦଳମାନଙ୍କୁ ଏହି ୫ ରାଜ୍ୟ ମଧ୍ୟରୁ ୩ଟିରେ ବହୁତ ସଫଳତା ମିଳିଥିଲା। ବିଜେପି ଏକା କେତେ ଆସନ ପାଇଥିଲା ଏହି ପରିସଂଖ୍ୟାନରୁ ଜଣାପଡ଼ୁଛି।
୨୦୧୪ ନିର୍ବାଚନରେ ବିଜେପି କେଉଁ ରାଜ୍ୟରେ କେତେ ଆସନ ଲୋକସଭା ପାଇଥିଲା
ଉତ୍ତରପ୍ରଦେଶ-୮୦ରୁ ୭୧
ମହାରାଷ୍ଟ୍ର-୪୮ରୁ ୨୩
ପଶ୍ଚିମବଙ୍ଗ
ବିହାର-୪୪ରୁ ୨୨
ତାମିଲନାଡ଼ୁ-୩୯ରୁ୦୧
ଏନଡ଼ିଏ ଓ ଏହାର ସହଯୋଗୀ ଦଳମାନେ ଗତ ନିର୍ବାଚନରେ ଏହି ୫ରାଜ୍ୟରେ ମୋଟ ୨୪୯ ଆସନ ମଧ୍ୟରୁ ୧୮୮ ସିଟରେ ବିଜୟ ହାସଲ କରିଥିଲା। ବାକି ୬୧ ଆସନରେ କଂଗ୍ରେସ, ଟିଏମସି, ଆରଜେଡ଼ି, ଏନସିପି ଭଳି ରାଜନୈତକ ଦଳମାନେ ବିଜୟ ହାସଲ କରିଥିଲେ।
ଚଳିତ ନିର୍ବାଚନ ପାଇଁ ବିରୋଧି ବି ପ୍ରସ୍ତୁତ
ଉତ୍ତରପ୍ରଦେଶ

ଉତ୍ତରପ୍ରଦେଶର ୮୦ଟି ଲୋକସଭା ଆସନରୁ ବିଜେପି ଓ ସହଯୋଗୀମାନେ ୭୩ଟି ଆସନରେ ବିଜୟୀ ହୋଇଥିଲେ। ତା ମଧ୍ୟରୁ ବିଜେପି ୭୧ଟି ଓ ସହଯୋଗୀ ଦଳ ୨ଟି ଆସନରେ ବିଜୟୀ ହୋଇଥିଲା।
ଚଳିତ ନିର୍ବାଚନରେ ବିଜେପି ସହିତ ମୁକାବିଲ୍ଲା କରିବା ପାଇଁ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି-ରାଷ୍ଟ୍ରୀୟ ଲୋକଦଳ ମେଣ୍ଟ କରି ନିର୍ବାଚନକୁ ଓହ୍ଲାଇଛନ୍ତି। ଏହି ମେଣ୍ଟ ଏବେ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଗାଦି ହେବା ରାସ୍ତାରେ ବଡ଼ ପ୍ରତିବନ୍ଧକ ସାଜିଛି। ଯାହାକି ବିଜେପି ନେତୃତ୍ୱକୁ ଚିନ୍ତାରେ ପକାଇଛି।
୨୦୧୪ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିକୁ ମିଳିଥିବା ଭୋଟକୁ ଏକାଠି କଲେ ଯାହା ଦେବ ସେଥିରେ ବିଜେପି ରାଜ୍ୟର ୪୧ଟି ଆସନରେ ବହୁ ପଛରେ ରହିବ। ଯଦି ଆଗାମୀ ନିର୍ବାଚନରେ ଏସପି-ବିଏସପି ମେଣ୍ଟ ନିଜ ଭୋଟକୁ ଏକାଠି ରଖିପାରିବ ତେବେ ବିଜେପିକୁ ଉତ୍ତରପ୍ରଦେଶରେ ବଡ଼ ଝଟକା ଲାଗିବ।
ମହାରାଷ୍ଟ୍ର

ଲୋକସଭା ଆସନ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ରରେ ଦ୍ୱିତୀୟ ସର୍ବାଧିକ ବଡ଼ ରାଜ୍ୟ। ମହାରାଷ୍ଟ୍ରରେ ୪୮ଟି ଲୋକସଭା ଆସନ ରହିଛି। ୨୦୧୪ ନିର୍ବାଚନରେ ବିଜେପି ଓ ଶିବସେନା ମେଣ୍ଟ ମହାରାଷ୍ଟ୍ରରେ ଖୁବ୍ ଭଲ ପ୍ରଦର୍ଶନ କରିଥିଲା। ମହାରାଷ୍ଟ୍ରରେ ବିଜେପି ୨୩ଟି ଓ ଶିବସେନା ୧୮ଟି ଆସନରେ ବିଜୟ ହାସଲ କରିଥିଲା।
ମହାରାଷ୍ଟ୍ରରେ କଂଗ୍ରେସକୁ ମାତ୍ର ୪ଟି ଆସନରେ ବିଜୟ ମିଳିଥିଲା। ଏହାଛଡ଼ା ଗୋଟିଏ ଆସନରେ ରାଜୁ ସେଟୀଙ୍କ ସ୍ୱାଭିମାନୀ ପକ୍ଷ ବିଜୟ ହାସଲ କରିଥିଲା। ଏନସିପିକୁ ୨ଟି ମିଳିଥିଲା।
ଗତ ବିଧାନସଭା ନିର୍ବାଚନରେ ବିଜେପିର ସବୁଠାରୁ ପୁରୁଣା ସହଯୋଗୀ ଶିବସେନା ମେଣ୍ଟରୁ ଓହରି ଯାଇଥିଲା। କିନ୍ତୁ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପୁଣି ଥରେ ବିଜେପି-ଶିବସେନା ମେଣ୍ଟ ହୋଇଛି।
ପଶ୍ଚିମବଙ୍ଗ

ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ପରେ ପଶ୍ଚିମବଙ୍ଗ ତୃତୀୟ ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ ରାଜ୍ୟ। ଏଠାରେ ୪୨ଟି ଲୋକସଭା ଆସନ ରହିଛି। ବର୍ତ୍ତମାନ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାର ରହିଛି।
ଗତ ନିର୍ବାଚନରେ ପଶ୍ଚିମବଙ୍ଗରୁ ବିଜେପିକୁ ମାତ୍ର ୨ଟି ଆସନ ମିଳିଥିଲା। ଉତ୍ତରପ୍ରଦେଶ ଓ ବାକି ରାଜ୍ୟରେ ବିଜେପିକୁ ହେବାକୁ ଥିବା କ୍ଷତି ପଶ୍ଚିମବଙ୍ଗରୁ ଭରଣା କରିବା ପାଇଁ ବିଜେପି ଚାହୁଁଛି।
ଗତ ଲୋକସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ୪୨ଟି ଆସନରୁ ୩୪ଟିରେ ବିଜୟ ମିଳିଥିଲା। କଂଗ୍ରେସକୁ ୪ଟି, ସିପିଏମକୁ ୨ଟି ଆସନ ମିଳିଥିଲା।
ବିହାର

ଲୋକସଭା ଆସନ ଦୃଷ୍ଟିରୁ ବିହାର ୪ର୍ଥ ବଡ଼ ରାଜ୍ୟ। ବିହାରରେ ୪୦ଟି ଲୋକସଭା ଆସନ ରହିଛି। ଗତ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ପୁରୁଣା ସହଯୋଗୀ ନୀତିଶ କୁମାରଙ୍କ ଜେଡ଼ିୟୁ ଏନଡ଼ିଏଠାରୁ ଅଲଗା ହୋଇଯାଇଥିଲା। ଏହା ପରେ ବି ବିଜେପି ବହାରରୁ ଆଶାଠାରୁ ଅଧିକ ଆସନ ପାଇଥିଲା।
ବିହାରରେ ଏନଡ଼ିଏକୁ ୩୧ଟି ଆସନ ମିଳିଥିଲା। ଏଥିରେ ବିଜେପିକୁ ୨୨ଟି, ଏଲଜେପିକୁ ୬ଟି, ଆରଏଲଏସପିକୁ ୩ଟି ଆସନ ମିଳିଥିଲା। ଗତ ନିର୍ବାଚନରେ ନୀତିଶ କୁମାରଙ୍କ ଜେଡ଼ିୟୁ ଖାତା ଖୋଲି ପାରିନଥିଲା।
ୟୁପିଏ ବିହାରରେ ୭ଟି ଆସନରେ ବିଜୟୀ ହୋଇଥିଲା। ଏଥିରେ ଆରଜେଡ଼ିକୁ ୪ଟି, କଂଗ୍ରେସକୁ୨ଟି ଓ ଏନସିପିକୁ ଗୋଟିଏ ଆସନ ମିଳିଥିଲା।
୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିହାରରେ ପ୍ରଥମେ ନିଜର ପୁରୁଣା ସହଯୋଗୀ ନୀତିଶ କୁମାରଙ୍କ ଜେଡ଼ିୟୁ ଓ ରାମବିଳାସ ପାଶୱାନଙ୍କ ଏଲଜେପି ସହିତ ନିର୍ବାଚନୀ ମେଣ୍ଟ ଘୋଷଣା କରିଛି।
ଚଳିତ ଥର ଏନଡ଼ିଏ ବିହାରରେ ମହାମେଣ୍ଟର ସମ୍ମୁଖୀନ ହେବ। ଏହି ମହାମେଣ୍ଟରେ କଂଗ୍ରେସ, ଆରଜେଡ଼ି, ଏନସିପି, ଉପେନ୍ଦ୍ର କୁଶବାହଙ୍କ ଆରଏଲଏସପି, ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝୀଙ୍କ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ରହିଛି।
ତାମିଲନାଡ଼ୁ

ଦକ୍ଷିଣ ଭାରତର ତାମିଲନାଡୁ କୌଣସି ପାର୍ଟି ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। କାରଣ ଦକ୍ଷିଣ ଭାରତର ସବୁଠାରୁ ବଡ଼ ରାଜ୍ୟ ସହିତ ଏଠାରେ ଦେଶର ୫ମ ସର୍ବାଧିକ ୩୯ଟି ଲୋକସଭା ଆସନ ରହିଛି।
ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ ୧୯୬୭ ପରେ ଅଧିକାଂଶ ସମ୍ରରେ ତାମିଲନାଡୁରେ ଏଆଇଏଡ଼ିଏମକେ ଓ ଡ଼ିଏମକେର ସରକାର ଦେଖିବାକୁ ମିଳିଥାଏ। ଏହି ରାଜ୍ୟରେ ଏତେ ଆଞ୍ଚଳିକବାଦ ଚିନ୍ତାଧାରା ରହିଛି ଯେ କଂଗ୍ରେସ ଓ ବିଜେପି ଭଳି ସର୍ବଭାରତୀୟ ସ୍ତରର ରାଜନୈତିକ ଦଳ ନିଜକୁ ପ୍ରତିଷ୍ଠିତ କରିବା ବଡ଼ କଷ୍ଟକର ବ୍ୟାପାର।
ଗତ ଲୋକସଭା ନିର୍ବାଚନରେ ବିଜେପି ତାମିଲନାଡୁରେ ଗୋଟିଏ ମାତ୍ର ଆସନରେ ବିଜୟୀ ହୋଇଥିଲା। କିନ୍ତୁ ବିଜେପିର ସହଯୋଗୀ ଦଳ ଏଆଇଏଡ଼ିଏମକେ ଜୟଲଳିତାଙ୍କ ନେତୃତ୍ୱରେ ତାମିଲନାଡୁରେ କ୍ଲିନ ସ୍ୱିପ କରିଥିଲା।
ଆଇଏଡ଼ିଏମକେ ୩୭ଟି ଆସନରେ ବିଜୟୀ ହୋଇଥିବାବେଳେ ପିଏମକେ ଗୋଟିଏ ଆସନରେ ବିଜୟୀ ହୋଇଥିଲା। ୨୦୧୬ରେ ଜୟଲଳିତାଙ୍କ ମୃତ୍ୟୁ ହୋଇଯାଇଛି।
ଗତ ନିର୍ବାଚନରେ ଡ଼ିଏମକେ ଓ କଂଗ୍ରେସ ତାମିଲନାଡ଼ୁରେ ଖାତା ଖୋଲିପାରିନଥିଲେ। ଇତି ମଧ୍ୟରେ ଡ଼ିଏମକେ ନେତା ଏମ. କରୁଣାନିଧିଙ୍କର ମଧ୍ୟ ପରଲୋକ ହୋଇଯାଇଛି।
ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :