କେଉଁ ଅବିବାହିତ ବା ସିଙ୍ଗଲ ନେତାଙ୍କ ହାତରେ ରହିବ କ୍ଷମତା ଚାବିକାଠି?

ବିଶ୍ୱର ସବୁଠାରୁ ବଡ଼ ଲୋକତନ୍ତ୍ର ଭାରତରେ ଅବିବାହିତ ବା ସିଙ୍ଗଲ ଥିବା ରାଜନେତାମାନେ ଏବେ ବେଶୀ ଳୋକପ୍ରିୟ ହେବା ସହିତ ସଫଳ ମଧ୍ୟ ହେଉଛନ୍ତି। ପଶ୍ଚିମ ଦେଶମାନଙ୍କରେ ରାଜନୀତିକ ହିରୋମାନଙ୍କୁ ଜଣେ ଦାୟିତ୍ୱବାନ ପାରିବାରିକ ବ୍ୟକ୍ତି ରୂପରେ ଦେଖାଯାଏ। ଏଠାରେ ପାରିବାରିକ ଅର୍ଥ ବିବାହିତ ବ୍ୟକ୍ତିଙ୍କୁ ବୁଝାଯାଏ। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେ଼ମୋକ୍ରାଟ‍୍‌ ହୁଅନ୍ତୁ କି ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ହୁଅନ୍ତୁ, ସେମାନେ ନିର୍ବାଚନ ପ୍ରଚାରବେଳେ ନିଜ ପତ୍ନୀ ଓ ପିଲାମାନଙ୍କ ସହିତ ଦେଖାଦିଅନ୍ତି। ପ୍ରାର୍ଥୀମାନେ ପତ୍ନୀଙ୍କ ହାତ ଧରି ପ୍ରଶଂସକମାନଙ୍କ ଭିଡ଼ ଭିତରକୁ ଆସି ସେମାନଙ୍କ ଅଭିବାଦନ ସ୍ୱୀକାର କରନ୍ତି। ଭାଷଣରେ ସେମାନେ ନିଜ ବ୍ୟକ୍ତଗତ ଜୀବନ ଓ ପତ୍ନୀଙ୍କୁ ଗୁରୁତ୍ୱ ଦେଇଥାନ୍ତି। ଏହା ହେଉଛି ସେମାନଙ୍କ ପ୍ରଚାର ଯୋଜନାର ଏକ ଅଂଶ। ଏହାର ଅର୍ଥ ହେଉଛି ପ୍ରାର୍ଥୀ ନିଜ ପରିବାର ପ୍ରତି ଦାୟିତ୍ୱବାନ ଥିଲେ ଦେଶ ପାଇଁ ଦାୟିତ୍ୱର ସହିତ କାମ କରିବ।

କିନ୍ତୁ ଅପର ପକ୍ଷରେ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ ଭାରତରେ ଅବିବାହିତ ବା ସିଙ୍ଗଲ ରାଜନେତାମାନେ ବେଶୀ ଲୋକପ୍ରିୟ ହେବା ସହିତ ରାଜନୀତିରେ ସଫଳ ହେଉଛନ୍ତି। ବର୍ତ୍ତମାନ ରାଜନୈତିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ଦେଖାଯାଉଛି ଯେ, ଚଳିତ ଲୋକସଭା ନିର୍ବାଚନ ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କେହି ଜଣେ ଅବିବାହିତ ନେତା ହେବେ।

ନରେନ୍ଦ୍ର ମୋଦି

ଏବେ ରାଜନୀତିକ ମହଲରେ ଯେଉଁ ଚର୍ଚ୍ଚା ହେଉଛି, ତାହା ହେଲା ଚଳିତ ନିର୍ବାଚନରେ ଯଦି ବିଜେପି ୨୦୦ ତଳକୁ ଆସନରେ ବିଜୟୀ ହୁଏ ତେବେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଥାନରେ ମେଣ୍ଟ ସରକାରର ନେତୃତ୍ୱ ନୀତିନ ଗଡ଼କରୀ ନେଇପାରନ୍ତି। କିନ୍ତୁ ଏଭଳି ଆଲୋଚନାକୁ ଗଡ଼କରୀଙ୍କ ସମେତ ରାଜନାଥ ସିଂହ ଖଣ୍ଡନ କରିବା ସହିତ ମୋଦି ପୁଣି ପ୍ରଧାନମନ୍ତ୍ରୀ ହେବେ ବୋଲି ଦୃଢ଼ତା ପ୍ରକାଶ କରିଛନ୍ତି। ଏଥିରୁ ଜଣାପଡ଼ୁଛି ବିଜେପି କ୍ଷମତାକୁ ଆସିଲେ ଏକୁଟିଆ ରହୁଥିବା ନରେନ୍ଦ୍ର ମୋଦି ପୁଣି ପ୍ରଧାନମନ୍ତ୍ରୀ ହେବେ।

କିନ୍ତୁ ନରେନ୍ଦ୍ର ମୋଦି ‘ସିଙ୍ଗଲ’ ବୋଲି ଯେଉଁ ଦାବି କରାଯାଉଛି ତାହା ଅତ୍ୟନ୍ତ ବିବାଦୀୟ। ଗତ ଲୋକସଭା ନିର୍ବାଚନ ପୂର୍ବରୁ ଏକୁଟିଆ ରହୁଥିବା ମୋଦି ବିବାହିତ ବୋଲି ଅଧିକାଂଶ ଲୋକଙ୍କୁ ଜଣାନଥିଲା। ୧୯୬୮ରେ ଯଶୋଦାବେନଙ୍କ ସହିତ ତାଙ୍କର ବିବାହ ହୋଇଛି ବୋଲି ଗତ ଲୋକସଭା ନିର୍ବାଚନ ସତ୍ୟପାଠରୁ ଜଣାପଡ଼ିଥିଲା। ସେ ବହୁତ କମ‍୍‌ ଦିନ ପାଇଁ ଯଶୋଦାବେନଙ୍କ ସହିତ ରହିବା ପରେ ଦାମ୍ପତ୍ୟ ଜୀବନରୁ ସନ୍ୟାସ ନେଇ ଆରଏସଏସ ହେବାକୁ ବିବାହ କଥା ଲୁଚାଇ ରଖିଥିଲେ।

ତେଣୁ ନରେନ୍ଦ୍ର ମୋଦି ସିଙ୍ଗଲ କି ନୁିଁନ୍ତି ଏହା ଉପରେ ବିତର୍କ ହେଉଛି। ତାଙ୍କ ବିରୋଧିମାନେ ସ୍ତ୍ରୀ ଛଡା ବିବାହିତ ନେତା କହୁଥିବାବେଳେ ସମର୍ଥକମାନେ ତାଙ୍କୁ ସମାଜ ଗଠନ ପାଇଁ ଏକୁଟିଆ ଚାଲିବାର ନିଷ୍ପତ୍ତି ନେଇଥିବା ନେତା ବୋଲି କୁହନ୍ତି।

ରାହୁଲ ଗାନ୍ଧୀ

ଲୋକସଭା ନିର୍ବାଚନ ପରେ ଯଦି ବିରୋଧି ଦଳ ସହଯୋଗରେ ସରକାର ଗଠନ ହୁଏ ତେବେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। କିନ୍ତୁ ରାହୁଲ ନିଜେ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି କି ନାହିଁ ଏହାକୁ କିଛି କହିହେବ ନାହିଁ। ଏବେ ରାହୁଲଙ୍କର ଲୋକପ୍ରିୟତା ସହିତ ପ୍ରଧାନମନ୍ତ୍ରୀ ହେବାର ଲୋକମତ ବୃଦ୍ଧି ପାଇଛି। ଦାୟିତ୍ୱ ମିଳିଲେ ସେ ପ୍ରଧାନମନ୍ତ୍ରୀ ପଦ ସ୍ୱୀକାର କରିବେ ବୋଲି କହିବା ପରେ କେତେକ ବିରୋଧି ଦଳର ବିରୋଧ ପରେ ସେ ଏହି ମନ୍ତବ୍ୟରୁ ଓହରି ଯାଇଛନ୍ତି।

ରାହୁଲ ଗାନ୍ଧୀ ବିଦେଶୀ ମହିଳାଙ୍କ ସହିତ ସମ୍ପର୍କ ରଖିଛନ୍ତି ବୋଲି ରାଜନୈତିକ ବିରୋଧିମାନେ ଅଭିଯୋଗ କରନ୍ତି। କିନ୍ତୁ ସେ ଅବିବାହିତ ବୋଲି କାହାରି ସନ୍ଦେହ ନାହିଁ। ଚଳିତ ନିର୍ବାଚନରେ ଯଦି କିଛି ଚମତ୍କାରୀତା ହୁଏ ତେବେ ପ୍ରଧାନମନ୍ତ୍ରୀ ଦାବିଦାର ଦୌଡରେ ସେ ୨ୟ ନମ୍ୱରରେ ରହିଛନ୍ତି।

ମମତା ବାନାର୍ଜୀ

ନରେନ୍ଦ୍ର ମୋଦି ଓ ରାହୁଲ ଗାନ୍ଧୀଙ୍କ ବ୍ୟବତୀତ ପ୍ରଧାନମନ୍ତ୍ରୀ ପଦ ପାଇଁ ମମତା ବାନାର୍ଜୀଙ୍କ ନାମ ବି ଆଲୋଚନା ହେଉଛି। କିନ୍ତୁ ସମଗ୍ର ବିରୋଧି ଦଳ ତାଙ୍କ ପ୍ରଦାନମନ୍ତ୍ରୀ ଭାବେ ସ୍ୱୀକାର କରିବାକୁ ରାଜି ନୁହଁନ୍ତି। ବିଶେଷ କରି କଂଗ୍ରେସ ଓ ବାମପନ୍ଥୀମାନେ ସବୁଠାରୁ ଅଧିକ ବିରୋଧ କରୁଛନ୍ତି। କଂଗ୍ରେସ ଯଦି ବି କୌଣସି ପରିସ୍ଥିତିରେ ମମତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ସ୍ୱୀକାର କଲେ ବି ବାମପନ୍ଥୀମାନେ ଆଦୌ ସ୍ୱୀକାର କରିବେ ନାହିଁ। ଲୋକସଭା ନିର୍ବାଚନରେ ମମତାଙ୍କ ତୃଣମୂଳ ସହିତ କଂଗ୍ରେସ ଓ ବାମପନ୍ଥୀମାନେ କୌଣସି ବୁଝାମଣା କରିନଥିବାରୁ ସେମାନଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି।

କଂଗ୍ରେସ ଓ ବାମପନ୍ଥୀଙ୍କ ବିରୋଧ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ଦୌଡରୁ ବାହାର ହୋଇନାହାଁନ୍ତି। ରାଜନେତା ଭାବରେ ମୋଦି ରାହୁଲଙ୍କଠାରୁ ମମତା ବାନାର୍ଜୀ କମ‍୍‌ ଲୋକପ୍ରିୟ ନୁହଁନ୍ତି। ମୁସଲମାନମାନଙ୍କର ଦୃଢ଼ ସମର୍ଥକ ହୋଇଥିବାରୁ ହିନ୍ଦୁ ମତଦାତାମାନେ ତାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ତଥାପି ମଧ୍ୟ ବିଜେପିକୁ କ୍ଷମତାଚ୍ୟୁତ କରିବା ଭୂମିକାକୁ ଅଣଦେଖା କରାଯାଇପାରିବ ନାହିଁ।

ଗତ ଲୋକସଭା ନିର୍ବାଚନରେ ବିରୋଧିଦଳଙ୍କ ମଧ୍ୟରେ କଂଗ୍ରେସକୁ ଛାଡି ଦେଲେ ମମତାଙ୍କ ତୃଣମୂଳ ୨ୟ ବୃହତ୍ତମ ଓ ସବୁଦଳଙ୍କ ମଧ୍ୟରେ ୩ୟ ବୃହତ୍ତମ ଦଳ ଥିଲା। ଗତ ୫ବର୍ଷ ମଧ୍ୟରେ ରାଜ୍ୟ ସ୍ତରରେ ହୋଇଥିବା ସମସ୍ତ ନିର୍ବାଚନରେ ମମତା ହିଁ ବିଜେପିର ଜୟ ଯାତ୍ରାରେ ଅଂକୁଶ ଲଗାଇଛନ୍ତି। ମମତା ବିବାଦିତ ହେଲେ ବି ତାଙ୍କୁ ପ୍ରଧାନମନ୍ତ୍ରୀ ପଦର ବଡ଼ ଦାବିଦାର ବୋଲି କୁହାଯାଉଛି।

ମମତା ଏହି କଥାକୁ ଜାଣିଛନ୍ତି। ସେ ଏସମ୍ପର୍କରେ ପ୍ରୟାସ ବି ଆରମ୍ଭ କରିଛନ୍ତି। ସେ ସମସ୍ତ ବିରୋଧି ଦଳ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରି ନିଜକୁ ଏଥିପାଇଁ ଯୋଗ୍ୟ ବୋଲି ଉପସ୍ଥାପିତ କରିବାକୁ ଚେଷ୍ଠା କରିଛନ୍ତି। ତେଣୁ ତାଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ସମ୍ପୁର୍ଣ୍ଣ ବିରୋଧିଦଳର ମହାରାଲି କରି ଦେଖାଇଛନ୍ତି। ଏହାପରଠାରୁ କେନ୍ଦ୍ରର ବିଜେପି ସରକାର ବିରୋଧରେ ସେ ଉଠାଉଥିବା ଯେ କୌଣସି ପ୍ର୍ରସଙ୍ଗକୁ ବିରୋଧି ଦଳମାନେ ସମର୍ଥନ କରୁଛନ୍ତି।

ଦେଶ ସେବା ପାଇଁ କୌଣସି ପ୍ରକାରର ବନ୍ଧନରୁ ମୁକ୍ତ ହେବା ପାଇଁ ମମତା ବାନାର୍ଜୀ ବିବାହ କରିନାହାନ୍ତି। ତାଙ୍କର ଚାଲିଚଳନ ବହୁତ ସାଦାସିଧା, ଯାହାକି ମୋଦି ଓ ରାହୁଲଙ୍କଠାରୁ ଭଳ ବୋଲି କୁହାଯାଇପାରେ।

ମାୟାବତୀ

ଭାରତୀୟ ରାଜନୀତିରେ ବର୍ତ୍ତମାନ ସମୟର ବିଡ଼ମ୍ୱନା ଯେ ଲେକସଭାରେ ବର୍ତ୍ତମାନ କୌଣସି ସାଂସଦ ନ ଥିବା ଦଳ ବହୁଜନ ସମାଜ ପାର୍ଟିର ନେତ୍ରୀ ମାୟାବତୀ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିଜକୁ ଉପସ୍ଥାପିତ କରୁଛନ୍ତି। ମାୟାବତୀଙ୍କ ଦାବି ଦୁର୍ବଳ ବୋଲି କୁହାଯାଉଥିବାବେଳେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏହା ଏକ କରିସ୍ମାଠାରୁ କୌଣସି ଗୁଣରେ କମ‍୍‌ ନୁହେଁ।

ତେଣୁ ପ୍ରଶ୍ନ ଉଠୁଛି, ଯଦି ମାୟାବତୀଙ୍କ କରିସ୍ମା ରହିଛି ତେବେ ସେ କାହିଁକି ନିର୍ବାଚନ ଲଢ଼ୁନାହାଁନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାୟାବତୀଙ୍କ ମତରେ ସେ ଯଦି ନିର୍ବାଚନ ଲଢ଼ିବେ ତେବେ କାର୍ଯ୍ୟକର୍ତ୍ତାମାନେ ତାଙ୍କ ବିଜୟ ପାଇଁ ସମସ୍ତ ଶକ୍ତି ଲଢ଼ାଇବେ ଯାହାକି ପାର୍ଟିର ଅନ୍ୟ ପ୍ରାର୍ଥୀଙ୍କୁ ନିରୁତ୍ସାହିତ କରିବ।

ସତ କଥା ହେଉଛି, ମାୟାବତୀ ବହୁତ ଦିନ ଧରି ନିର୍ବାଚନ ଲଢ଼ୁନାହାଁନ୍ତି। ୨୦୦୭ରେ ଯେତେବେଳେ ତାଙ୍କ ପାର୍ଟି ବହୁମତ ସହିତ କ୍ଷମତାକୁ ଆସିଥିଲା ମାୟାବତୀ ନିର୍ବାଚନ ଲଢ଼ିନଥିଲେ। ମାୟାବତୀ ଏହାକୁ ରଣନୀତି କହୁଥିବାବେଳେ ବିରୋଧମାନେ ପରାଜୟ ଭୟ ବୋଲି କହୁଛନ୍ତି।

୨୦୧୯ ନିର୍ବାଚନ ପାଇଁ ମାୟାବତୀ ସମାଜବାଦୀ ପାର୍ଟି ସହିତ ମେଣ୍ଟ କରି ଏବେ ଚର୍ଚ୍ଚାରେ ଅଛନ୍ତି। ଯଦି ନିର୍ବାଚନରେ କାହାକୁ ବହୁମତ ନ ମିଳେ ତେବେ ମାୟାବତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି। ବିଏସପିର ଏହି ନେତ୍ରୀଙ୍କୁ କେହି ବିଶ୍ୱାସ କରୁନଥିବାରୁ ତାଙ୍କୁ କିଏ ସମର୍ଥନ ଦେବ ବୋଲି ପ୍ରଶ୍ନ ଉଠୁଛି।

ଚଳିତ ନିର୍ବାଚନରେ କଂଗ୍ରେସ ଅଧିକ ଆସନରେ ବିଜୟୀ ହେଉ ବୋଲି ମାୟାବତୀ ଚାହୁଁନାହାଁନ୍ତି। କାରଣ ଏହାହେଲେ ମେଣ୍ଟ ସରକାରରେ ମାୟାବତୀଙ୍କ ଗୁରୁତ୍ୱ ହ୍ରାସ ପାଇବ। କେତେକଙ୍କ ମତରେ ମାୟାବତୀଙ୍କ ଉପରେ ଭରସା ନାହିଁ। ନିର୍ବାଚନ ପରେ ସେ ନିଜେ ବିଜେପି ସହିତ ମେଣ୍ଟ କରି ପ୍ରଧାନମନ୍ତ୍ରୀ ନ ହେଲେ ବି ଉପ-ପ୍ରଧାନମନ୍ତ୍ରୀ ପାଇଁ ଡ଼ିଲ କରିପାରନ୍ତି।

ଉତ୍ତରପ୍ରଦେଶର ୪ଥର ମୁଖ୍ୟମନ୍ତ୍ରୀ ହୋଇଥିବା ମାୟାବତୀ ବିବାହ କରିନାହାଁନ୍ତି। ତାଙ୍କ ମତରେ ସମାଜର ବଞ୍ଚିତ ବର୍ଗର ଉନ୍ନତି ହିଁ ତାଙ୍କ ମିଶନ ଯାହାକି ବିବାହଠାରୁ ବଡ଼। ତାଙ୍କର ବିଏସପି ସଂସ୍ଥାପକ କାଂଶୀରାମଙ୍କ ସହିତ ସମ୍ପର୍କ ଥିଲାବୋଲି ଅନେକ ଅଭିଯୋଗ ହୁଏ। କିନ୍ତୁ ମାୟାବତୀ ଏହାକୁ ଖଣ୍ଡନ କରିସାରିଛନ୍ତି।

ନବୀନ ପଟ୍ଟନାୟକ

ପ୍ରଧାନମନ୍ତ୍ରୀ ପଦ ପାଇଁ ଅବିବାହିତ ଦାବିଦାରଙ୍କ ମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ନମ୍ୱରରେ ରହିଛନ୍ତି। ନବୀନଙ୍କ ନାମ ଏହି ତାଲିକାରେ ସ୍ଥାନୀତ ହେବା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। ବିଜେପିକୁ ଛାଡ଼ି ଦେଲେ ସମସ୍ତ ବିରୋଧି ଦଳର ସ୍ଥିତିକୁ ଦେଖିଲେ କେହି ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କିନ୍ତୁ ଚଳିତ ନିର୍ବାଚନରେ ନବୀନଙ୍କ ଦଳ ବିଜେଡି ଓଡ଼ିଶାରେ କ୍ଷମତା ବିରୋଧି ଲହରର ସାମ୍ନା କରୁଛି।

ଯଦି ବିରୋଧି ଦଳଙ୍କ ସହଯୋଗରେ ମେଣ୍ଟ ସରକାର ଗଠନ ହୁଏ, ତେବେ ନବୀନଙ୍କ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନାକୁ ଅସ୍ୱୀକାର କରାଯାଇନପାରେ। କାରଣ ନବୀନଙ୍କଠାରୁ ମମତା ବାନାର୍ଜୀ, ରାହୁଲ ଗାନ୍ଧୀ, ମାୟାବତୀ ଅଧିକ ଚର୍ଚ୍ଚିତ ହୋଇଥିଲେ ହେଁ ସେମାନେ ସବୁ ବିରୋଧି ଦଳ ଦ୍ୱାରା ଗ୍ରହଣୀୟ ନୁହଁନ୍ତି। ରାଜନୀତିକ ବିଶାରଦଙ୍କ ମତରେ ବିରୋଧି ଦଳରେ ଅନେକ ଅଘୋଷିତ ପ୍ରଧାନମନ୍ତ୍ରୀ ଅଛନ୍ତି। ନିର୍ବାଚନ ପରେ ଯୋଡତୋଡ ସରକାର ଗଠନ ହେଲେ ମେଣ୍ଟ ରାଜନୀତିରେ ଅଦ୍ଭୁତପୂର୍ବ ଉଦାହରଣ ଦେଖିବାକୁ ମିଳିବ। ଏଭଳି ସ୍ଥିତରେ ମମତା, ରାହୁଲ ଓ ମାୟାବତୀଙ୍କ ନାମରେ କୌଣସି ସହମତି ନ ହେଲେ ଚତୁର୍ଥ ବିକଳ୍ପ ଭାବେ ନବୀନ ପଟ୍ଟନାୟକଙ୍କ ନାମ ଆଗକୁ ଆସିବ। କାରଣ ରାଜନୀତିରେ ତାଙ୍କ ଛବି ସଫା ସୁତୁରା ରହିଛି।

ଭାରତ ଇତିହାସରେ ସଫାସୁତୁରା ଛବି ଥିବା ନେତା ‘ଆକ୍ସିଡେ଼ଣ୍ଟାଲ ପ୍ରାଇମମିନିଷ୍ଟର’ ହୋଇଛନ୍ତି। ୨୦୦୪ ନିର୍ବାଚନ ପରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହେବା ପରେ ଅନେକଙ୍କୁ ଏହା ବିସ୍ମିତ କରିଥିଲା। ଏହା ପୂର୍ବରୁ ଏଚ ଡ଼ି ଦେବେଗୌଡ଼ା (୧୯୯୬), ଇନ୍ଦ୍ର କୁମାର ଗୁଜରାଲ(୧୯୯୭) କଂଗ୍ରେସ ସମେତ ଅନ୍ୟ ବିରୋଧି ଦଳର ସହଯୋଗରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଗତ ନିର୍ବାଚନରେ ବିଜେଡି ରାଜ୍ୟର ୨୧ଟି ଆସନରୁ ୨୦ଟିରେ ବିଜୟୀ ହୋଇଥିଲା। ଏଥର କ୍ଷମତା ବିରୋଧି ଲହର ପରେ ବି ଯଦି ବିଜେଡି ଭଲ ଫଳାଫଳ କରେ ଓ କେନ୍ଦ୍ରରେ କାହାକୁ ବହୁମତ ନମିଳେ, ଏଭଳି ସ୍ଥିତିରେ ନବୀନଙ୍କ ପ୍ରଧାନମନ୍ତ୍ରୀ ହେବା ବହୁତ ସମ୍ଭାବନା ରହିଛି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ବିଜୟ ମହାପାତ୍ରଙ୍କ ପାଇଁ ଦିଲୀପ ରାୟ ପ୍ରଚାର କରିବେ

ସନାଙ୍କ କଥାରେ ବିଜେଡି ପରିଚାଳିତ

କଲେକ୍ଟର-ଏସପି ରିପୋର୍ଟରେ ବଳିପଡ଼ିଲେ ବିଧାୟକ!

Leave a Reply

Your email address will not be published. Required fields are marked *