ସବୁବେଳେ ଚର୍ଚ୍ଚାରେ ଥିବା ୫ଟି ବଜେଟ୍
କୌଣସି ଦେଶର ବଜେଟ୍ ସେହି ଦେଶର ଅର୍ଥବ୍ୟବସ୍ଥାର ଚିତ୍ରକୁ ଦର୍ଶାଇଥାଏ। ବଜେଟରେ ସକାରଙ୍କ ନୀତି ଓ ଯୋଜନା ସମ୍ପର୍କରେ ଏକ ସ୍ୱତନ୍ତ୍ର ଚିତ୍ର ପ୍ରଦାନ କରିଥାଏ ଯେଉଁଥିରେ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ସହିତ ଜନସାଧାରଣଙ୍କ ପାଇଁ ଲାଭ ପ୍ରଦାନ କରିଥାଏ। ବର୍ତ୍ତମାନ ସୁଦ୍ଧା ଦେଶରେ ଅନେକ ବଜେଟ୍ ଆଗତ ହୋଇସାରିଲାଣି। କିନ୍ତୁ ଏଥିରେ ମାତ୍ର ୫ଟି ବଜେଟ୍ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲା।
୧୯୫୭ରେ କୃଷ୍ଣମାଚାରୀ-କଲଡ଼ୋର ବଜେଟ୍

ଏହି ବଜେଟ୍ କଂଗ୍ରେସ ସରକାରଙ୍କ ତତ୍କାଳୀନ ଅର୍ଥମନ୍ତ୍ରୀ ଟି.ଟି. କୃଷ୍ଣମାଚାରୀ ଆଗତ କରିଥିଲେ। ୧୫ ମଇ ୧୯୫୭ରେ କୃଷ୍ଣମାଚାରୀ ଆଗତ କରିଥିବା ବଜେଟ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହି ବଜେଟ୍ରେ ବିଦେଶରୁ ଆମଦାନୀ ସାମଗ୍ରୀ ଉପରେ ଲାଇସେନ୍ସ ଜରୁରୀ କରାଯାଇଥିଲା। ନନ-କୋର ପ୍ରକଳ୍ପ ପାଇଁ ବଜେଟରେ ଆବଣ୍ଟିତ ବ୍ୟବସ୍ଥାକୁ ପ୍ରତ୍ୟାହାର କରିନିଆଯାଇଥିଲା। ରପ୍ତାନୀକାରୀଙ୍କୁ ସୁରକ୍ଷା ଦେବା ପାଇଁ ଏକ୍ସପୋର୍ଟ ରିକ୍ସ ଇନସ୍ୟୋରାନ୍ସ କର୍ପୋରେସନ ଗଠନ କରାଯାଇଥିଲା। ଏହି ବଜେଟରେ ଓ୍ବେଲ୍ଥ ଟିକସ ମଧ୍ୟ ଲଗାଯାଇଥିଲା। କେବଳ ଏତିକି ନୁହେଁ ଏହି ବଜେଟରେ ଏକସାଇଜ କରକୁ ୪୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଆକ୍ଟିଭ ଇନକମ (ଦରମା ଓ ବ୍ୟବସାୟ) ଏବଂ ପାସିଭ ଇନକମ (ସୁଧ ଓ ଭଡ଼ା) ମଧ୍ୟରେ ତଫାତ୍ ଦର୍ଶାଇବା ପାଇଁ ଚେଷ୍ଠା କରାଯାଇଥିଲା। ଏହା ସହିତ ଆୟକର ସୀମାକୁ ମଧ୍ୟ ବୃଦ୍ଧି କରାଯାଇଥିଲା। ଏହି ବଜେଟ୍ ମାଧ୍ୟମରେ ଆମଦାନୀ ଉପରେ ଲଗାଯାଇଥିବା ପ୍ରତିବନ୍ଧ ଓ ଉଚ୍ଚ କର ହାର କାରଣରୁ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା। ସିଧାସଳଖ ଭାବେ କୁହାଯାଇପାରେ ବାହାରୁ ଋଣ ନେବା ଅସମ୍ଭବ ହୋଇପଡ଼ିଥିଲା।
୧୯୭୩ରେ ଦି ବ୍ଲାକ ବଜେଟ୍

୨୮ ଫେବୃୟାରୀ ୧୯୭୩ରେ ଅର୍ଥମନ୍ତ୍ରୀ ୟଶବନ୍ତ ରାଓ ଚୌହ୍ୱାନ ଆଗତ କରିଥିଲେ। ଏହି ବଜେଟରେ ଅନେକ ଖାସ କଥା ଥିଲା। ଏହି ବଜେଟ୍ ମାଧ୍ୟମରେ ସାଧାରଣ ବୀମା କମ୍ପାନୀ, ଭାରତୀୟ କପର କର୍ପୋରେସନ ଓ କୋଇଲା ଖଣି ରାଷ୍ଟ୍ରୀୟକରଣ ପାଇଁ ୫୬ କୋଟି ଟଙ୍କା ଦିଆଯାଇଥିଲା। ଆର୍ଥିକ ବର୍ଷ ୧୯୭୩-୭୪ ବଜେଟରେ ୫୫୦ କୋଟି ଟଙ୍କାର ଋଣ ଥିଲା। କୋଇଲା ଖଣି ରାଷ୍ଟ୍ରୀୟକରଣ କରାଯିବାରୁ ଅର୍ଥ ବ୍ୟବସ୍ଥା ଉପରେ ବହୁତ ପ୍ରଭାବ ପଡ଼ିଥିଲା। କୋଇଲା ଉପରେ ସରକାରଙ୍କ ସମ୍ପୁର୍ଣ୍ଣ ଅଧିକାର ଆସିବା ପରେ ବଜାରରେ ପ୍ରତିଯୋଗୀତା ପାଇଁ କୌଣସି ସୁଯୋଗ ରହିଲା ନାହିଁ। ଏହା ପୂର୍ବରୁ ଭାରତ ବିଗତ ୪୦ବର୍ଷ ଧରି କାଇଲା ଅମଦାନୀ କରୁଥିଲା।
୧୯୮୭ରେ ଗାନ୍ଧୀ ବଜେଟ୍

ଆର୍ଥିକ ବର୍ଷ ୧୯୮୭ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସଂସଦରେ ୨୮ ଫେବୃଆରି ଆଗତ କରିଥିଲେ। ଏହି ବଜେଟରେ ନ୍ୟୁନତମ ନିଗମ କର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ବଜେଟରେ ନ୍ୟୁନତମ ନିଗମ କର ଯାହାକୁ ଏବେ ମିନିମମ ଅଲଟରନେଟ ଟ୍ୟାକ୍ସ ନାମରେ ପରିଚିତ ତାହାକୁ ଲଗାଯାଇଥିଲା। ଯେଉଁ କମ୍ପାନୀମାନେ ବହୁତ ଲାଭ କରୁଛନ୍ତି ଓ ସରକାରଙ୍କୁ କର ଦେଉନଥିଲେ ସେମାନଙ୍କୁ ଟ୍ୟାକ୍ସ ପରିସରକୁ ଆଣିବା ପାଇଁ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଟ୍ୟାକ୍ସ ଏବେ ଭାରତ ସରକାରଙ୍କ ଆୟର ବଡ଼ ସ୍ରୋତ ହୋଇଛି।
୧୯୯୭ରେ ପି.ଚିଦାମ୍ୱରମଙ୍କ ଡ଼୍ରିମ ବଜେଟ୍

୨୮ ଫେବୃଆରି ୧୯୯୭ରେ ଅର୍ଥମନ୍ତ୍ରୀ ପି.ଚିଦାମ୍ୱରମ ଯେଉଁ ବଜେଟ୍ ଆଗତ କରିଥିଲେ ତାହାକୁ ଡ଼୍ରିମ ବଜେଟ୍ କୁହାଯାଏ। ଏହି ବଜେଟରେ ଲୋକ ଓ କମ୍ପାନୀମାନଙ୍କ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିଲା। କମ୍ପାନୀମାନେ ପ୍ରଥମେ ଦେଇଥିବା ମିନିମମ ଅଲଟରନେଟ ଟ୍ୟାକ୍ସ ଆଗାମୀ ବର୍ଷମାନଙ୍କର କରଦାତାଙ୍କ କରରେ ସାମିଲ କରିବାକୁ ଦିଆଗଲା। କଳାଧନ ବାହାରକୁ ଆଣିବା ପାଇଁ ଭଲ୍ୟୁଣ୍ଟାରୀ ଡିସକ୍ଲୋଜର ଅଫ ଇନକମ ସ୍କିମ (ବିଡ଼ିଆଇଏସ) ଆରମ୍ଭ କରାଗଲା। ଏହି ଯୋଜନାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଲା। ଲୋକମାନେ ନିଜ ଆୟ ଜଣାଇବାକୁ ଲାଗିଲେ। ୧୯୯୭-୯୮ରେ ବ୍ୟକ୍ତିଗତ ଆୟ କରରୁ ସରକାରଙ୍କୁ ୧୮,୭୦୦କୋଟି ମିଳିଥିଲା। ୨୦୧୦ ଏପ୍ରିଲରୁ ୨୦୧୧ ଜାନୁଆରୀ ମଧ୍ୟରେ ଏହି ଆୟ ଏକ ଲକ୍ଷ କୋଟିରେ ପହଞ୍ଚିଥିଲା। ଲୋକଙ୍କ ହାତକୁ ଅର୍ଥ ଆସିବା ପରେ ବଜାରରେ ଆବଶ୍ୟକ ବଢ଼ିବାରୁ ଉଦ୍ୟୋଗ ବିକାଶକୁ ବହୁତ ସହାୟତା ମିଳିଥିଲା।
୨୦୦୫ରେ ପି.ଚିଦାମ୍ୱରମଙ୍କ ଫ୍ଲାଗସିପ ପ୍ରୋଗ୍ରାମ

୨୦୦୫ ବଜେଟରେ ଅର୍ଥମନ୍ତ୍ରୀ ପି.ଚିଦାମ୍ୱରମ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଥିଲେ। ୨୮ଫେବୃଆରି ୨୦୦୫ ବଜେଟରେ ପି.ଚିଦାମ୍ୱରମ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଯୋଜନା (ନରେଗା) ଆଗତ କରିଥିଲେ। ଏହି ଯୋଜନାକୁ ନେଇ କଂଗ୍ରେସ ଆଜି ପର୍ଯ୍ୟନ୍ତ ବାହାବା ନେଉଛି। ଏହି ଯୋଜନାରେ ଅନେକ କ୍ଷତି ଓ ଲାଭ ବି ରହିଛି। ଗୋଟିଏ ପଟେ ଗ୍ରାମାଞ୍ଚଳରେ ରୋଜଗାର ଓ ଆମଦାନୀର ରାସ୍ତା ଖୋଲିଥିବାବେଳେ ଦେଶର ପ୍ରଶାସନକୁ ବହୁଳ ଭାବରେ ପ୍ରୋତ୍ସାହନ ମିଳିଲା। ଅପରପକ୍ଷରେ ପଞ୍ଚାୟତ, ଗ୍ରାମ ଓ ଜିଲ୍ଲା ସ୍ତରରେ ସରକାରୀ କର୍ମଚାରୀଙ୍କ ଜାଲ ବିଛା କାମ ଆରମ୍ଭ ହେଲା।