ଏୟାର ଇଣ୍ଡିଆର ୫ ପାଇଲଟ୍‍ କରୋନା ସଂକ୍ରମିତ

ଭୁବନେଶ୍ୱର,(ଓଡ଼ିଶା ଟାଇମ୍‌) : ଏୟାର ଇଣ୍ଡିଆର ୫ଜଣ ପାଇଲଟ୍‍ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଏହି ପାଇଲଟ୍‍ମାନେ ନିକଟରେ ଚୀନର ଗୁଆଙ୍ଗଝୌରୁ ଭାରତ ଅଭିମୁଖେ ଏକ କାର୍ଗୋ ବିମାନର ଉଡାଣ କରିଥିଲେ । ଚୀନରୁ ଆବଶ୍ୟକ ମେଡିକାଲ ସାମଗ୍ରୀ ଧରି ଏହି କାର୍ଗୋ ବିମାନଟି ଭାରତ ଆସିଥିଲା । ଲକଡାଉନ ସମୟରେ ଏପ୍ରିଲ ୧୮ରେ ଏୟାର ଇଣ୍ଡିଆ କେତେକ କାର୍ଗୋ ବିମାନ ଉଡାଣ କରିଥିଲା ।

ଗୁଆଙ୍ଗଝୌ ସହିତ ସାଙ୍ଘାଇ ଓ ହଂକଂରୁ ମଧ୍ୟ କାର୍ଗୋ ବିମାନ ଉଡାଣ କରାଯାଇଥିଲା । ଏହିସବୁ କାର୍ଗୋ ବିମାନରେ ଚୀନରୁ ଔଷଧ ସାମଗ୍ରୀ ଆସିଥିଲା । ଏୟାର ଇଣ୍ଡିଆର ପାଇଲଟ କରୋନା ସଂକ୍ରମିତ ହେବା ସମ୍ପର୍କରେ ସମ୍ପୃକ୍ତ ବିମାନ କମ୍ପାନୀ ପକ୍ଷରୁ କିଛି କୁହାଯାଇ ନାହିଁ । ଏବେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ଏୟାର ଇଣ୍ଡିଆ ବନ୍ଦେ ଭାରତ ମିଶନ ଆରମ୍ଭ କରିଛି । ଏହି ମିଶନରେ ଆମେରିକା, ବ୍ରିଟେନ ଭଳି କରୋନା ସଂକ୍ରମିତ ଦେଶ ସହିତ ଅନ୍ୟାନ୍ୟ ଦେଶରୁ ଭାରତୀୟଙ୍କୁ ଉଦ୍ଧାର କରାଯିବ ।

ପ୍ରଥମ ପର୍ଯ୍ୟାୟରେ ଅନେକ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଇସାରିଲାଣି । ତେବେ ଏୟାର ଇଣ୍ଡିଆ ବିଦେଶରୁ ବିମାନ ଉଡାଣ କରିବା ସମୟରେ ଏହାର କର୍ମଚାରୀଙ୍କ ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା (ଏସଓପି) ଧାର୍ଯ୍ୟ କରାଯାଇଛି । ବିଦେଶକୁ ବିମାନ ଉଡାଣ ସମୟରେ କର୍ମଚାରୀମାନେ ହୋଟେଲ ପରିବର୍ତ୍ତେ ବିମାନ ମଧ୍ୟରେ ଅବସ୍ଥାନ କରିବେ । ଏଠାରେ ସେମାନଙ୍କ ପାଇଁ ସମସ୍ତ ପ୍ରକାର ଖାଦ୍ୟପେୟର ବ୍ୟବସ୍ଥା କରାଯିବ ।

Leave a Reply

Your email address will not be published.