କେନ୍ଦ୍ରର ଚିନ୍ତା ବଢ଼ାଉଛି ବିତ୍ତୀୟ ବ୍ୟବସ୍ଥା

ନୂଆଦିଲ୍ଲୀ, (ଓଟି): ଆର୍ଥିକ ମାନ୍ଦାବସ୍ଥା ଦେଶରେ ଲାଗି ରହିଛି । ଏଭଳି ସ୍ଥିତିରେ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରର ରାଜସ୍ୱ ଆଦାୟ ହ୍ରାସ ପାଇଛି । ସେହିପରି ବଜେଟ୍ ବ୍ୟବସ୍ଥା ଅନୁସାରେ ବିତ୍ତୀୟ କ୍ଷେତ୍ରର ବିଭିନ୍ନ ଦିଗର ଲକ୍ଷ୍ୟପୂରଣରେ ସରକାର ବିଫଳ ହୋଇପାରନ୍ତି ବୋଲି ବିଭିନ୍ନ ସଂସ୍ଥା ଆକଳନ କରିଛନ୍ତି ଟିକସ ହ୍ରାସ ଯୋଗୁଁ ବିଶେଷକରି ୨୦୧୯-୨୦ ଆର୍ଥିକ ବର୍ଷର ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟପୂରଣ ଅସମ୍ଭବ ବୋଲି କୁହାଯାଉଛି । ଏହାବ୍ୟତୀତ ଏହି ବର୍ଷରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କ୍ଷେତ୍ରରୁ ସରକାରୀ ଅଂଶଧନ ପ୍ରତ୍ୟାହାର ନେଇ ଯେଉଁ ଲକ୍ଷ୍ୟ ରହିଥିଲା ତାହା ହାସଲ କରିବାରେ ମଧ୍ୟ କେନ୍ଦ୍ର ସରକାର ବିଫଳ ହେବେ ବୋଲି ସରକାରୀସ୍ତରର କେତେକ ବରିଷ୍ଠ ଅଧିକାରୀ ନିଜ ନାମ ପ୍ରକାଶ କରିଥିବା ଏକ ରିପୋର୍ଟ ସୂତ୍ରରୁ ଜଣାପଡ଼ିଛି ।

ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଆର୍ଥିକ ସଂସ୍କାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ ଜାରି ରହିଛି । କାରଣ ଆର୍ଥିକ ସଂସ୍କାର ବିନା ସାଂପ୍ରତିକ ସ୍ଥିତିରୁ ମୁକଳିବା ଏବଂ ଆଗାମୀ ଦିନରେ ଉଚ୍ଚ ଅଭିବୃଦ୍ଧି ହାସଲ କରିବା ଅସମ୍ଭବ ବୋଲି ଆଇଏମ୍ଏଫ, ବିଶ୍ୱବ୍ୟାଙ୍କ ସମେତ ଆନ୍ତର୍ଜାତିକସ୍ତରର ବହୁ ପ୍ରତିଷ୍ଠିତ ସଂସ୍ଥାମାନଙ୍କ ପକ୍ଷରୁ ଭାରତ ସରକାରଙ୍କୁ ଚେତାଇ ଦିଆଯାଇଛି । ଆର୍ଥିକ ସଂସ୍କାର ପ୍ରକ୍ରିୟା ମଧ୍ୟରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କ୍ଷେତ୍ରରୁ ସରକାରୀ ଅଂଶଧନ ପ୍ରତ୍ୟାହାର କରାଯିବା ଏକ ପ୍ରମୁଖ ବିଷୟ । ଏହିକ୍ରମରେ କେନ୍ଦ୍ର ସରକାର ବିଭିନ୍ନ ଉଦ୍ୟୋଗରୁ ଅଂଶଧନ ପ୍ରତ୍ୟାହାର ପାଇଁ ଗତବର୍ଷରୁ ଉଦ୍ୟମ କରିଆସୁଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହି ସୂତ୍ରରେ ମୋଟ ୧.୦୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ । ବିଶେଷ ଭାବେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିଃ(ବିପିସିଏଲ୍), କଣ୍ଟେନର କର୍ପୋରେସନ୍ ଅଫ୍ ଇଣ୍ଡିଆ (କନ୍‌କର୍ପ) ଏବଂ ଏୟାରଇଣ୍ଡିଆ ଭଳି କମ୍ପାନୀରୁ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ଅଂଶଧନ ପ୍ରତ୍ୟାହାର ସୂତ୍ରରୁ ସର୍ବାଧିକ ପୁଞ୍ଜି ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଥିଲେ । ବିପିସିଏଲ୍ରେ ରହିଥିବା ସରକାରୀ ଅଂଶଧନରୁ ୫୩.୩ ପ୍ରତିଶତ ବିକ୍ରି ମାଧ୍ୟମରେ ୫୬,୪୮୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ବେଳେ କନ୍କର୍ପରୁ ୩୧ ପ୍ରତିଶତ ଅଂଶଧନ ବିକ୍ରିରୁ ୧୦,୭୨୪ କୋଟି ଟଙ୍କା ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଯଦ୍ୱାରା କେନ୍ଦ୍ର ରାଜକୋଷକୁ ୬୭,୨୦୪ କୋଟି ଟଙ୍କା ଆସିଥାଆନ୍ତା । କିନ୍ତୁ ଏଦିଗରେ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁନଥିବାରୁ ଏହି ଲକ୍ଷ୍ୟପୂରଣ ହେବା ମଧ୍ୟ ଫେଲ୍ ମାରିବ ବୋଲି କୁହାଯାଉଛି । ଚଳିତ ବର୍ଷର ମୋଟ ଅଂଶଧନ ପ୍ରତ୍ୟାହାର ଲକ୍ଷ୍ୟ ୧.୦୫ ଲକ୍ଷ କୋଟି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୧୭,୩୬୪ କୋଟି ଟଙ୍କା ସଂଗ୍ରହ ହୋଇଥିବା ବେଳେ ଆଉ ଦୁଇ ମାସ ମଧ୍ୟରେ ବାକି ପୁଞ୍ଜି ସଂଗ୍ରହ କରାଯିବା ନେଇ ସନ୍ଦେହ ପ୍ରକାଶ ପାଇଛି । କେନ୍ଦ୍ର ସରକାର ଏଥିରେ ଫେଲ୍ ମାରିଲେ ବିତ୍ତୀୟ ବ୍ୟବସ୍ଥାକୁ ନେଇ ଅତ୍ୟଧିକ ଚାପଗ୍ରସ୍ଥ ହେବେ ବୋଲି ବିଭିନ୍ନ ମହଲରେ ଏବେ ଆଲୋଚନା ଜୋର୍ ଧରିଛି । (ଏସ୍‌ପି)

Leave a Reply

Your email address will not be published. Required fields are marked *