ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଲଢ଼େଇରେ ୨୧୭ ପ୍ରାର୍ଥୀ

୬୦ଲକ୍ଷ ୩୦ହଜାର ୭୦୭ ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ

ଓଡ଼ିଶାରେ ଆସନ୍ତା କାଲି ହେବାକୁ ଯାଉଥିବା ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ୪ଟି ଲୋକସଭା ଆସନରେ ୨୮ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବେଳେ ୨୮ଟି ବିଧାନସଭା ଆସନରେ ୧୯୧ ପ୍ରାର୍ଥୀ ରଣାଙ୍ଗନରେ ରହିଛନ୍ତି।

ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୋଟ ୬୦ଲକ୍ଷ ୩୦ହଜାର ୭୦୭ ଭୋଟର ରହିଛନ୍ତି। ଏମାନଙ୍କ ମଧ୍ୟରେ ପୁରୁଷ ଭୋଟର ସଂଖ୍ୟା ୨୯୭୯୨୫ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୩୦୩୦୨୨୨ ଏବଂ ଏହିସବୁ ନିର୍ବାଚନମଣ୍ଡଳୀରେ ସମୁଦାୟ ୫୬୦ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଲୋକସଭାରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ୨୮ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ଜଣ ପ୍ରାର୍ଥୀ ଜାତୀୟ ଦଳର, ୪ଜଣ ଆଞ୍ଚଳିକ ଦଳ, ୭ ଜଣ ଅନ୍ୟାନ୍ୟ ଦଳ ଓ ୩ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି।

ସେହିଭଳି ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ୧୯୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୧୭୫ଜଣ ପୁରୁଷ, ୧୬ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ୭୯ଜଣ ଜାତୀୟ ଦଳ, ୨୮ଜଣ ଆଞ୍ଚଳିକ ଦଳ, ୩୮ ଜଣ ଅନ୍ୟାନ୍ୟ ଦଳ ଓ ୪୬ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ରହିଛନ୍ତି।

ଆସନ୍ତାକାଲି ହେବାକୁ ଯାଉଥିବା ମତଦାନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୋଟ ୭୨୩୩୩ ଭୋଟ ଗ୍ରହଣ କେନ୍ଦ୍ରରେ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଭୋଟଗ୍ରହଣ କେନ୍ଦ୍ରରେ ପ୍ରିଜାଇଡିଂ ଓ ପୁଲିଂ ଅଫିସରମାନଙ୍କୁ ପହଞ୍ଚିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି। ପ୍ରଥମ ଥର ଲାଗି ମହିଳା ଅଧିକାରୀମାନଙ୍କୁ ପ୍ରିଜାଇଡିଂ ଅଧିକାରୀ ଭାବେ ନିୟୋଜିତ କରାଯାଇଥିବା ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

ନିର୍ବାଚନ ପରିଚାଳନା ପାଇଁ ମୋଟ ୪୭ ହଜାର ୮୦୫ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଅଧିକାଂଶ ଅଞ୍ଚଳ ମାଓପ୍ରବଣ ହୋଇଥିବାରୁ ସବୁଠି ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଛି। ୨୩୭୫ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି। ସଶସ୍ତ୍ର ପୁଲିସ୍ ସହ ଓ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ନିର୍ବାଚନ ସୁରକ୍ଷାରେ ନିୟୋଜିତ କରାଯାଇଛି। ସବୁ ବୁଥ୍‌କୁ ସିସିଟିଭି ନଜରରେ ରଖାଯିବା ସହ ୱେବ୍‌ କାଷ୍ଟିଂ କରାଯିବ। ମାଇକ୍ରୋ ଅବଜରର୍ଭର ମତଦାନ ତଦାରଖ କରିବେ।

ନକ୍ସଲ ପ୍ରବଳ ଅଞ୍ଚଳକୁ ହେଲିକପ୍ଟରରେ ଗଲେ ପୋଲିଂ ଅଧିକାରୀ

ନକ୍ସଲ ପ୍ରଭାବିତ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଚ୍ଛିନ୍ନାଞ୍ଚଳ ଓ ନକ୍ସଲ ଉପଦ୍ରୁତ ଅଞ୍ଚଳକୁ ହେଲିକପ୍ଟର ଯୋଗେ ପୋଲିଂ ପାର୍ଟି ଏବଂ ସୁରକ୍ଷା କର୍ମୀଙ୍କୁ ପଠାଯାଇଛି। ନିର୍ବାଚନ କାର୍ଯ୍ୟରେ ବାୟୁସେନାର ହେଲିକପ୍ଟରର ନିୟୋଜିତ କରାଯାଇଛି।

ଚିତ୍ରକୋଣ୍ଡାର କୁନ୍ତରପଦର କ୍ୟାମ୍ପକୁ ହେଲିକପ୍ଟର ଯୋଗେ ପୋଲିଂ ପାର୍ଟିକୁ ପଠାଯାଇଛି। ସେଠାରେ ୧୦ଟି ବୁଥ୍‌ ଥିବା ବେଳେ ହେଲିକପ୍ଟରରେ ଥରକେ ୨ରୁ ୩ଟି ପୋଲିଂ ପାର୍ଟିକୁ ନିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ୧୦ଟି ବୁଥ୍‌କୁ ଗୋଟିଏ ସ୍ଥାନରେ କରାଯାଇଛି। ସ୍ଥାନୀୟ ଲୋକେ ତୁନ୍ତଲ ପଦର କ୍ୟାମ୍ପରେ ପହଞ୍ଚି ଭୋଟ ଦେବେ।  ପ୍ରଥମ ପର୍ଯ୍ୟୟରେ ମାଲକାନଗିରି ସହିତ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମତଦାନ ହେବ।  କେତେକ ସ୍ଥାନରେ ସୁରକ୍ଷା ଦୃଷ୍ଟିରୁ ବୁଥ୍‌ର ସ୍ଥାନ ମଧ୍ୟ ପରିବର୍ତ୍ତନ କରାଯାଇଛି। ମାଲକାନଗିରି ଜିଲ୍ଲାରେ ମୋଟ ୫୪୦ଟି ବୁଥ୍‌ ମଧ୍ୟରୁ ୧୨୮ଟି ଅତି ସମ୍ବେଦନଶୀଳ ରହିଛି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

୨୦୧୪ରେ ପ୍ୟାରୀ, ୨୦୧୯ରେ ଜୟ

କଂଗ୍ରେସ-ବିଜେପି ଘୋଷଣା ପତ୍ର : କାହାର ଦମ‍୍‌ କେତେ?

କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି

Leave a Reply

Your email address will not be published. Required fields are marked *