ଚଳିତବର୍ଷର ପ୍ରଥମ ସୁପର୍ହିଟ୍ ଫିଲ୍ମ ‘ଉରି’
ଚଳିତବର୍ଷର ଆରମ୍ଭରୁ ମୁକ୍ତିଲାଭ କରିଛି ଦୁଇଟି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ ଓ ‘ଉରି’ । ବକ୍ସ ଅଫିସ୍ ବ୍ୟବସାୟ କ୍ଷେତ୍ରରେ ଏହି ଦୁଇଟି ଫିଲ୍ମ ମଧ୍ୟରେ ଚାଲିଛି ଗୋଡ଼ାଗୋଡ଼ି । କେତେବେଳେ କିଏ ଆଗକୁ ଯାଉଛି ତ ଆଉ କେତେବେଳେ ଆର ଫିଲ୍ମଟି ବହୁ ପଛରେ ରହିଯାଉଛି ।
ଏଭଳି ପରିସ୍ଥିତିରେ ଏବେ ‘ଉରି-ସର୍ଜିକାଲ୍ ଷ୍ଟାଇକ୍’ ବାଜିମାତ୍ କରି ସଫଳତାର ଶୀର୍ଷରେ ପହଞ୍ଚିଛି । ଦେଶପ୍ରେମ ଓ ଭାରତୀୟ ଜବାନ୍ମାନଙ୍କ ସାହାସର କାହାଣୀ କହୁଥିବା ‘ଉରି’ ମୁକ୍ତିଲାଭ କରିବାର ୩ଦିନ ମଧ୍ୟରେ ବକ୍ସ ଅଫିସ୍ରେ ମୋଟ ୩୫ କୋଟି ୭୩ ଲକ୍ଷର ବ୍ୟବସାୟ କରିଛି । ରବିବାର ଦିନ ଘରୋଇ ବକ୍ସ ଅଫିସ୍ରେ ଏହା ୧୫ କୋଟି ୧୦ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲା । ଶନିବାର ଅପେକ୍ଷା ରବିବାର ଦିନ ବ୍ୟବସାୟ କ୍ଷେତ୍ରରେ ପ୍ରାୟ ୨୨% ବୃଦ୍ଧି ହୋଇଥିଲା। ଓପନିଙ୍ଗ୍ ଡେ’ରେ ଏହାର ବ୍ୟବସାୟ ଥିଲା ୮କୋଟି ୨୦ ଲକ୍ଷ ଟଙ୍କା ।
ଏହି ଆଧାରରେ ଟ୍ରେଡ୍ ପଣ୍ଡିତମାନେ ଆକଳନ କରିଛନ୍ତି ଯେ ଏହା ୧୦୦କୋଟି ଫିଲ୍ମ କ୍ଲବରେ ସାମିଲ ହୋଇପାରିବ । ୨୦୧୬ରେ ଆତଙ୍କବାଦୀମାନେ କାଶ୍ମୀରସ୍ଥିତ ଉରି ସେକ୍ଟର୍ରେ ଥିବା ମିଲିଟାରୀ ବେସ୍ ଉପରେ ଆକ୍ରମଣ କରିଥିଲେ । ଏଥିରେ ୧୭ ଜଣ ଜବାନ୍ ସହୀଦ୍ ହୋଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ସର୍ଜିକାଲ୍ ଷ୍ଟ୍ରାଇକ୍ । ୧୧ ଦିନ ପର୍ଯ୍ୟନ୍ତ ଏହା ଚାଲିଥିଲା ଏବଂ ଶେଷରେ ଭାରତୀୟ ଜବାନ୍ ବିଜୟ ଧ୍ୱଜ ଉଡ଼ାଇଥିଲେ ।
ଏହି କଥାବସ୍ତୁକୁ ନେଇ ନିର୍ମିତ ହୋଇଛି ‘ଉରି-ସର୍ଜିକାଲ୍ ଷ୍ଟ୍ରାଇକ୍’ । ୧୦କୋଟିରୁ କମ୍ ବଜେଟ୍ରେ ନିର୍ମିତ ଏହି ଫିଲ୍ମର ଏଭଳି ସଫଳତା ପାଇଁ ସମ୍ପୂର୍ଣ୍ଣ ଫିଲ୍ମଟିମ୍ ଖୁବ୍ ଖୁସି ଅଛନ୍ତି । ‘ସଞ୍ଜୁ’ରେ ନିଜର ଦକ୍ଷ ଅଭିନୟ ଦ୍ୱାରା ସମସ୍ତଙ୍କ ମନ କିଣି ନେଇଥିବା ବିକି କୌଶଲଙ୍କ ଫିଲ୍ମ କ୍ୟାରିୟର୍ରେ ଏହା ଆଉ ସଫଳତା ବୋଲି ଫିଲ୍ମ ବିଶେଷଜ୍ଞମାନେ କହିଛନ୍ତି ।