କରୋନା ଆତଙ୍କ: ଆକ୍ରାନ୍ତ ସ୍ପଷ୍ଟ, ବଢ଼ିଲା ଚିନ୍ତା

ଭୁବନେଶ୍ୱର (ଓଟି): ମହାମାରୀ କରୋନା (କୋବିଡ୍‌-୧୯) ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାବେଳେ ସୋମବାର ଓଡ଼ିଶାରେ ଜଣେ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଛି। ଏହା ପରେ ସବୁ ମହଲରେ ଚିନ୍ତା ବଢ଼ିଯାଇଛି। ଭୁବନେଶ୍ଵର କ୍ୟାପିଟାଲ ହସପିଟାଲରେ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ତାଙ୍କୁ ସ୍ୱତନ୍ତ୍ର ଭାବେ ରଖାଯାଇ ଚିକିତ୍ସା କରାଯାଉଛି। ପୀଡ଼ିତ ଯୁବକଙ୍କ ଘର ଭୁବନେଶ୍ୱର ଏବଂ ସେ ଉଚ୍ଚଶିକ୍ଷା ଲାଗି ଇଟାଲି ଯାଇଥିଲେ। ଗତ ୬ ତାରିଖ ସେ ଦିଲ୍ଲୀରେ ପହଞ୍ଚିଥିଲେ। ସେଠାରେ କିଛିଦିନ ରହିବା ପରେ ୧୩ ତାରିଖରେ ଟ୍ରେନ ଯୋଗେ ଭୁବନେଶ୍ୱର ଆସିଥିଲେ।

ଘରେ ପହଞ୍ଚିବା ପରେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା। ଗତ ଶନିବାର ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ତାଙ୍କର ରକ୍ତ ନମୁନା ପରୀକ୍ଷା କରାଯିବା ପରେ କରୋନା ଭୂତାଣୁ ଥିବା ସ୍ପଷ୍ଟ ହୋଇଛି। ଏହା ଜଣାପଡ଼ିବା ପରେ ତାଙ୍କ ବାପା ଓ ସମ୍ପର୍କୀୟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ସେହିପରି ସମ୍ପୃକ୍ତ ଯୁବକ ଯେଉଁ ଟ୍ରେନରେ ଆସିଥିଲେ, ତାହା ଚିହ୍ନଟ କରାଯାଇ ସବୁ ଯାତ୍ରୀଙ୍କ ଉପରେ ନଜର ରଖାଯିବ ବୋଲି କୁହାଯାଇଛି। ବିଶେଷ କରି ସେ ଯେଉଁ ବଗିରେ ଆସିଥିଲେ ଓ ତା’ ଆଖାପାଖ ବଗିରେ ଥିବା ଯାତ୍ରୀଙ୍କ ରକ୍ତ ନମୁନା ସଂଗ୍ରହ ପ୍ରକିୟା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *