ସତ୍ୟବାଦୀ ଇଭିଏମ୍ ଭଙ୍ଗାରୁଜା ଘଟଣା: ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶଙ୍କ ନାଁରେ ମାମଲା
ଭୁବନେଶ୍ଵର, (ଓଟି): ସତ୍ୟବାଦୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ବ୍ୟବସାୟୀ ଓମ୍ ପ୍ରକାଶ ମିଶ୍ରଙ୍କ ନାଁରେ ମାମଲା ରୁଜୁ ହୋଇଛି। ଇଭିଏମ୍ ଭଙ୍ଗା ଓ ପୁଲିଂ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ତାଙ୍କ ନାଁରେ ଗିରଫ ପରୱାନା ଜାରି କରାଯାଇଛି। ତେବେ ସେ ଫେରାର ଅଛନ୍ତି।
ଅପର ପକ୍ଷେ ଏହି ଘଟଣାରେ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମନୋଜ ସାମନ୍ତରାୟ ଓ ଅକ୍ଷୟ ବିଶ୍ୱାଳ। ଏହି ଘଟଣାରେ ଗୋଟିଏ ରିଭଲଭର ସମେତ ୬ ରାଉଣ୍ଡ ଗୁଳି ବି ଜବତ ହୋଇଛି।
୨୩ ତାରିଖ ଦିନ ଭୋଟ୍ ଗ୍ରହଣ ସମୟରେ ପୁରୀ ଜିଲ୍ଲା ସତ୍ୟବାଦୀ ବୀରକିଶୋରପୁରରେ ଇଭିଏମ୍ ଓ ଭିଭିପ୍ୟାଟ୍ ମେସିନ ଭଙ୍ଗାରୁଜା ହୋଇଥିଲା। ଏହା ସହ ଓମ୍ ଏବଂ ତାଙ୍କ ସହଯୋଗୀମାନେ ପ୍ରିଜାଇ଼ଡିଂ ଅଫିସରଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଇଭିଏମ୍ ଭଙ୍ଗାରୁଜା ଘଟଣାରେ ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶଙ୍କ ଆଦୌ ସଂପୃକ୍ତି ନାହିଁ ବୋଲି ବରିଷ୍ଠ ବିଜେପି ଦାବି କରିଛି। ତାଙ୍କ ବିରୋଧରେ ମିଥ୍ୟା ମାମଲା କରାଯାଇଥିବା ନେଇ ବିଜେପି ପକ୍ଷରୁ ନିର୍ବାଚନ କମିଶନଙ୍କୁ ଜଣାଯାଇଛି। ବରିଷ୍ଠ ନେତା ସମୀର ମହାନ୍ତି କହିଛନ୍ତି, ରାଜ୍ୟର ସବୁଆଡେ ଏବେ ବୋହୁଥିବା ପ୍ରତିକୂଳ ହାୱାକୁ ବିଜୁ ଜନତା ଦଳ ସାମ୍ନା କରିପାରୁନି। ସେଥିପାଇଁ ବିଜେଡି ନିର୍ବାଚନୀ ହିଂସା, ରାଜନୀତିକ ହତ୍ୟାକାଣ୍ଡ, ବୁଥ ରିଙ୍ଗି, ବୁଥ କ୍ୟାପଚରିଙ୍ଗ ବାଟକୁ ଆପଣେଇଛି। ଗତକାଲି ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ମତଦାନ ବେଳେ ଶାସକ ଦଳର ଗୁଣ୍ଡା ଏବଂ ସ୍ଥାନୀୟ ବିଧାୟକ ଉମା ସାମନ୍ତରାୟଙ୍କ ସମର୍ଥକମାନଙ୍କ ଦ୍ୱାରା ୬ରୁ ଅଧିକ ବୁଥରେ ରିଗିଂ, ବୁଥ କ୍ୟାପଚରିଙ୍ଗ, ବିଜେପି ଏଜେଣ୍ଟକୁ ମାଡ ଓ ବିଜେପିର ଗାଡ଼ି ଭଙ୍ଗାରୁଜା କରାଯାଇଛି। ଏପରିକି ସେଠାକାର ପୋଲିଂ ଅଫିସର ଶାସକ ଦଳର ଏହି ବେନିୟମ କାର୍ଯ୍ୟକୁ ସମର୍ଥନ କରିବା ସହ ଓଲଟି ବିଜେପିର ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ରଙ୍କ ନାଁରେ ମିଛ ମକଦ୍ଦମା ରୁଜୁ କରିବା ଭଳି ଅସମ୍ବିଧାନିକ କାମ କରିଛନ୍ତି।
ଏନେଇ ପୁରୀ ଏସ୍ପି ଉମାଶଙ୍କର ଦାଶ କହିଛନ୍ତି,“ ବୁଥ୍ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ କରିବା। ଏହାସହ ଇଭିଏମ୍ ମେସିନ୍ ଭାଙ୍ଗିବା ଏହା ଏକ ସଙ୍ଗୀନ ମାମଲା। ଓମ୍ ପ୍ରକାଶ ମିଶ୍ରଙ୍କୁ ଧରିବା ପାଇଁ ତିନୋଟି ଟିମ୍ କରାଯାଇଛି। ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରୁଛୁ। ବିଭିନ୍ନ ସ୍ଥାନ ଚଢ଼ଉ ଚାଲିଛି। ଆବଶ୍ୟକ ହେଲେ ଆମେ ତାଙ୍କୁ ପଳାତକ ଘୋଷଣା ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।”