ସଙ୍ଗରୋଧରେ ସନା ମାରିନ୍
ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ଭାଇରସ ମୁକାବିଲା ପାଇଁ ବିଶ୍ୱର ସମସ୍ତ ଦେଶ ଲଢ଼େଇ ଜାରି ରଖିଛନ୍ତି। ବିଭିନ୍ନ ଦେଶରେ ଏଥିପାଇଁ ଟିକା ବା ଔଷଧ ପ୍ରସ୍ତୁତି ନେଇ ମଧ୍ୟ ଗବେଷଣା ଜାରି ରହିଛି। ଏଭଳି ସ୍ଥିତିରେ ସଂକ୍ରମଣ କିନ୍ତୁ ବଢ଼ି ଚାଲିଛି। ସାଧାରଣ ଲୋକଙ୍କ ସମେତ ବିଶ୍ଵର ପ୍ରମୁଖ ରାଜନେତା, ରାଷ୍ଟ୍ର ମୁଖ୍ୟ, ଅଭିନେତା, କ୍ରୀଡ଼ାବିତ୍ ପ୍ରମୁଖ କରୋନା କବଳରୁ ତ୍ରାହି ପାଇନାହାନ୍ତି। ଏହିକ୍ରମରେ ଫିନ୍ଲାଣ୍ଡର ପ୍ରଧାନମନ୍ତ୍ରୀ ସନା ମାରିନ୍ ମଧ୍ୟ କ୍ଵାରେଣ୍ଟାଇନ୍ରେ ରହିଛନ୍ତି। ବିବିସି ରିପୋର୍ଟ ଅନୁଯାୟୀ ବିଶ୍ଵର ଦ୍ଵିତୀୟ କମ୍ ବୟସ୍କ ପ୍ରଧାନମନ୍ତ୍ରୀ ଭାବେ ଖ୍ୟାତ ପ୍ରଧାନମନ୍ତ୍ରୀ ସନା ମାରିନ୍ କିନ୍ତୁ କରୋନାରେ ସଂକ୍ରମଣ ହୋଇନାହାନ୍ତି। ତେବେ ସୁରକ୍ଷା ଦୃଷ୍ଟିକୋଣରୁ କ୍ୱାରେଣ୍ଟାଇନ ରହିଛନ୍ତି।
ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ସନାଙ୍କ ଘରେ କାମ କରୁଥିବା ବ୍ୟକ୍ତି ଅନ୍ୟଜଣଙ୍କ ସଂସ୍ପର୍ଶରେ ଆସିବା ସହ କରୋନା କବଳରେ ପଡ଼ିଛନ୍ତି। ସେଥିପାଇଁ ସନା ଏଭଳି ଆଶୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଠାରେ ପ୍ରକାଶ ଥାଉକି କିଛିମାସ ପୂର୍ବେ ଫିନ୍ଲାଣ୍ଡରେ ସପ୍ତାହକୁ ୪ ଦିନ ୱାର୍କିଂ ଡେ ତଥା ୩ ଦିନ ଛୁଟି ଘୋଷଣା କରି ସନା ଚର୍ଚ୍ଚାର ପରିସରକୁ ଆସିଥିଲେ। ୩୪ ବର୍ଷୀୟା ସୁନ୍ଦରୀ ସନା ନିଜ ଦେଶ ପାଇଁ ଅନେକ ନିଆରା ନିଷ୍ପତ୍ତି ନେଇ ବିଶ୍ଵର ଅନ୍ୟ ଦେଶ ପାଇଁ ଉଦାହରଣ କରିଆସିଛନ୍ତି।