ବଜେଟରେ ହୋଇପାରେ ଘୋଷଣା : ଜାନୁଆରୀ-ଡିସେମ୍ୱର ଅବଧି ହେବ ଆର୍ଥିକ ବର୍ଷର କାରବାର
ଆର୍ଥିକ ବର୍ଷକୁ ଏପ୍ରିଲ-ମାର୍ଚ୍ଚ ବଦଳରେ ଜାନୁଆରୀ-ଡିସେମ୍ୱର କରିପାରନ୍ତି। ପୂର୍ବରୁ ଏନେଇ ଅନେକ ଥର ଚର୍ଚ୍ଚା ହୋଇଛି। ତେବେ ମିଳିଥିବା ବିଶେଷ ସୂଚନା ଅନୁସାରେ ଫେବୃଆରୀ ୧ ତାରିଖ ଅନ୍ତରୀଣ ବଜେଟ ଉପସ୍ଥାପନ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଏହି ଘୋଷଣା କରିପାରନ୍ତି। ଏପ୍ରିଲ-ମାର୍ଚ୍ଚ ଆର୍ଥିକ ବର୍ଷର ପରମ୍ପରା ୧୫୨ବର୍ଷ ପୁରୁଣା। ୧୮୬୭ରେ ଏହା ଆରମ୍ଭ ହୋଇଥିଲା। ବିଶେଷଜ୍ଞଙ୍କ କହିବା ଅନୁସାରେ ଆର୍ଥିକ ବର୍ଷ ପରିବର୍ତ୍ତନ ଦ୍ୱାରା ଦେଶକୁ ଫାଇଦା ହେବ। ପ୍ରାରମ୍ଭିକ ଅବସ୍ଥାରେ ଏହାକୁ ନେଇ ବ୍ୟବସାୟୀମାନଙ୍କୁ କିଛିଟା ଅସୁବିଧା ହୋଇପାରେ।
କ’ଣ ହେବ ପ୍ରଭାବ
ସରକାର ଏବଂ ଆର୍ଥିକ ସଂସ୍ଥା ଆର୍ଥିକ ବର୍ଷ ହିସାବରେ ହିଁ କାର୍ଯ୍ୟ କରିଥାଏ। ସାଧାରଣ ବଜେଟ ମଧ୍ୟ ଆର୍ଥିକ ବର୍ଷକୁ ଧ୍ୟାନରେ ରଖି ଫେବୃଆରୀ ମାସରେ ଉପସ୍ଥାପିତ କରାଯାଇଥାଏ। ଯଦି ଆର୍ଥିକ ବର୍ଷ ଜାନୁଆରୀରୁ ଡିସେମ୍ୱର ହେବ ତେବେ ବଜେଟ ଉପସ୍ଥାପନା ସମୟ ବଦଳି ଯିବ। ସେହିପରି ସରକାରୀ ମନ୍ତ୍ରାଳୟ ଏବଂ ବିଭାଗର ସମସ୍ତ ଖର୍ଚ୍ଚ ଡିସେମ୍ୱର ୩୧ ପୂର୍ବରୁ କରିବାକୁ ପଡ଼ିବ। ଆୟକର ରିଟର୍ଣ୍ଣ ଫାଇଲ କରିବାର ତାରିଖ ମଧ୍ୟ ବଦଳି ଯିବ। ବିଶେଷଜ୍ଞଙ୍କ କହିବା ଅନୁସାରେ ଏହା ଏକ ଭଲ ପଦକ୍ଷେପ। ତେବେ ଏହା ଲାଗୁହେବା ପରେ ପ୍ରାରମ୍ଭିକ ଦୁଇ ତିନି ବର୍ଷ କିଛିଟା ସମସ୍ୟା ଦେଖାଯାଇପାରେ। ଆଉ ଦୁଇ ବର୍ଷ ପରେ ଏହାର ଫାଇଦା ଦେଖିବା ଆରମ୍ଭ ହେବ।
କ’ଣ ଫାଇଦା
ବରିଷ୍ଟ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ କହିବା ଅନୁସାରେ ଅନ୍ତର୍ଜାତୀୟ ସ୍ତରରେ କମ୍ପାନୀମାନଙ୍କୁ ଏହାଦ୍ୱାରା ଫାଇଦା ମିଳିବ। କାରଣ କିଛି ପ୍ରମୁଖ ଦେଶମାନଙ୍କରେ ଆର୍ଥିକ ବର୍ଷ ଜାନୁଆରୀରୁ ଡିସେମ୍ୱର ପର୍ଯ୍ୟନ୍ତ ହୋଇଥାଏ। ଏପରି ସ୍ଥିତିରେ କମ୍ପାନୀମାନଙ୍କୁ ଭାରତ ଏବଂ ଅନ୍ୟ ଦେଶ ମାନଙ୍କ ପାଇଁ ଭିନ୍ନ ଭିନ୍ନ ଆର୍ଥିକ ବର୍ଷ ହିସାବରେ ପ୍ଲାନିଂ କରିବାକୁ ପଡ଼ିବ ନାହିଁ।
ସେହିପରି ଭାରତର ଅର୍ଥବ୍ୟବସ୍ଥାର ପରିସଂଖ୍ୟାନ ରିପୋର୍ଟ ଅନ୍ୟ ଦେଶମାନଙ୍କର ରିପୋର୍ଟ ସହ ସହଜରେ ତୁଳନା କରିହେବ। ସେୟାର ବଜାରର ବୈଷୟିକ ବିଶେଷଜ୍ଞଙ୍କ କହିବା ଅନୁସାରେ ଆର୍ଥିକ ବର୍ଷ ବଦଳିବା ଦ୍ୱାରା ସରକାରଙ୍କୁ ଡିସେମ୍ୱର ପୂର୍ବରୁ ବଜେଟ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ଏହାଦ୍ୱାରା କୃଷିକ୍ଷେତ୍ରକୁ ଅଧିକ ଫାଇଦା ମିଳିବ। କାରଣ ଅନେକ ଫସଲର ବୁଣାବୁଣି କାର୍ଯ୍ୟ ନଭେମ୍ୱର ମାସରେ ହୋଇଥାଏ।
କ’ଣ ହେବ ସମସ୍ୟା
ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଏହି ନିଷ୍ପତ୍ତି ଦ୍ୱାରା ଛୋଟ ବ୍ୟବସାୟୀଙ୍କୁ ପ୍ରାରମ୍ଭିକ ସମୟରେ ଅଡିଟ ଏବଂ ବାଲାନ୍ସ ସିଟ ସମ୍ପର୍କିତ କିଛି ସମସ୍ୟା ଭୋଗିବାକୁ ପଡ଼ିପାରେ।କାରଣ ଯେଉଁ ବର୍ଷଠାରୁ ଆର୍ଥିକ ବର୍ଷ ଜାନୁଆରୀରୁ ଆରମ୍ଭ ହେବ ସେହି ପଛୁଆ ବର୍ଷ ପାଇଁ ୧୨ ମାସ ନୁହେଁ ୯ ମାସ ପାଇଁ ହିସାବ ପତ୍ର ଓ ଅଡିଟ କରିବାକୁ ହେବ। ଦରମା ପାଉଥିବା ବ୍ୟକ୍ତିମାନେ ସେମାନଙ୍କର ନିବେଶ ଏବଂ ସଞ୍ଚୟର ଯୋଜନା ସାଧାରଣତଃ ଫେବୃଆରୀ- ମାର୍ଚ୍ଚରେ କରିଥାନ୍ତି। ଏବେ ସେମାନଙ୍କୁ ଏହି ଯୋଜନା ଡିସେମ୍ୱର ପୂର୍ବରୁ କରିବାକୁ ପଡ଼ିବ।
ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆର୍ଥିକ ବର୍ଷ ପରିବର୍ତ୍ତନକୁ ସମର୍ଥନ କରିଛନ୍ତି। ଏପ୍ରିଲ ୨୦୧୭ରେ ନୀତି ଆୟୋଗ ବୈଠକରେ ସେ ଆର୍ଥିକ ବର୍ଷ ପରିବର୍ତ୍ତନ କରିବାର ପରାମର୍ଶ ଦେଇଥିଲେ। ୨ ବର୍ଷ ତଳେ ଏନେଇ ମଧ୍ୟ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା। ତେବେ କମିଟି କ’ଣ ରିପୋର୍ଟ ଦେଇଛି ତାହା ଜଣାପଡ଼ିନାହିଁ।
ସେହିପରି ଅର୍ଥମନ୍ତ୍ରଣାଳୟ ସମ୍ପର୍କିତ ବିରପ୍ପା ମୋଇଲିଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ ସମିତି ୨୦୧୭ରେ ମଧ୍ୟ ଆର୍ଥିକ ବର୍ଷର ୧୫୨ ବର୍ଷ ପୁରୁଣା ପରମ୍ପରାକୁ ବଦଳାଇ ଦେବାର ସୁପାରିଶ କରିଥିଲା।