ନିର୍ଣ୍ଣାୟକ ଲଢ଼େଇରେ ବିଜେଡି-ବିଜେପି

ଗତ ୪ଟି ନିର୍ବାଚନ ଥିଲା ସମ୍ପୂର୍ଣ୍ଣ ଏକତରଫା। ଫଳାଫଳ ପୂର୍ବାନୁମାନ କରିବା ଅତ୍ୟନ୍ତ ସହଜ ଥିଲା। କିନ୍ତୁ ଏଥର ଜୋରଦାର ଲଢ଼େଇର ସବୁ ପ୍ରକାର ଆଭାସ ମିଳିଗଲାଣି ବିଭିନ୍ନ ନିର୍ବାଚନମଣ୍ଡଳୀରୁ। ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଅନେକେ ଆଶା କରୁଥିଲେ। କିନ୍ତୁ କଂଗ୍ରେସ ହଠାତ ପଛେଇଯିବା ପରିଲକ୍ଷିତ ହେବାରୁ ଏଥର ମୁଖ୍ୟତଃ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ଲଢ଼େଇ ହେଉଛି।

କେତେକ ଆସନରେ ଅବଶ୍ୟ କଂଗ୍ରେସ ପ୍ରାର୍ଥୀମାନେ ଅନ୍ୟ ଦୁଇ ଦଳକୁ ଚକମା ଦେଖାଇ ପାରିବେ। ହେଲେ ବିଜେଡି-ବିଜେପି ମଧ୍ୟରେ ନିର୍ଣ୍ଣାୟକ ଲଢ଼େଇ ଚାଲିଛି। ଇଣ୍ଡିଆ ଟିଭି-ସିଏନଏକ୍ସ ସର୍ଭେରେ ଓଡ଼ିଶାରେ ବିଜୁ ଜନତା ଦଳକୁ ୧୦୦ ଆସନ ମିଳିବ ବୋଲି ଆକଳନ କରାଯାଇଛି। ବିଜେପି ପାଇବ ୩୧। ଗତ ଥରର ଆସନ ସଂଖ୍ୟା କଂଗ୍ରେସ ବଜାୟ ରଖିପାରିବ ନାହିଁ।

ଏବିପି ସର୍ଭେ ରିପୋର୍ଟରେ ଲୋକସଭାରେ ବିଜେପି ୧୩, ବିଜେଡି ୭ ଏବଂ କଂଗ୍ରେସ ଗୋଟିଏ ଆସନ ପାଇବ ବୋଲି ପୂର୍ବାନୁମାନ କରାଯାଇଥିଲା। କିନ୍ତୁ ଏଥର ଓଡ଼ିଶା ନିର୍ବାଚନ ଫଳ ସାରା ଦେଶକୁ ଚମକାଇ ଦେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ୱାର କହିଆସୁଛନ୍ତି। ଏହା ଦ୍ୱିତୀୟ ତ୍ରିପୁରା ହେବ ବୋଲି ସେ କହିଥିଲେ।

ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ସରିବ। ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଆଜି ହେଉଛି ଶେଷ ଦିନ। ମୋଦୀଙ୍କ ପୂର୍ବାନୁମାନ କି ଅନ୍ୟ ଚ୍ୟାନେଲ ଗୁଡ଼ିକର ଆକଳନ କେତେ ସତ ଓ ମିଛ, ତାହା ମେ-୨୩ ତାରିଖ ଭୋଟ ଗଣନା ପରେ ଜଣାପଡ଼ିବ। ହେଲେ ଏବେ ଆଖିବୁଜି କୁହାଯାଇ ପାରିବ ଯେ, ଓଡ଼ିଶାରେ ପ୍ରଥମ ଥର ପାଇଁ ଦମଦାର ଲଢ଼େଇ ଆରମ୍ଭ ହୋଇଛି। ଫଳାଫଳ ବିଚିତ୍ର ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ।

ବିଜ୍ଞାପନ ଲଢ଼େଇରେ କେବଳ ଦୁଇ ଦଳ

ବିଜ୍ଞାପନ ଲଢ଼େଇରେ କେବଳ ଦୁଇ ଦଳକୁ ଦେଖିବାକୁ ମିଳୁଛି। ବିଜେଡି ଏବଂ ବିଜେପି, ଏଥିରେ କଂଗ୍ରେସ ନାହିଁ। ବିଜେଡିର ଫୋକସ କେନ୍ଦ୍ରୀୟ ଅବହେଳା ଏବଂ ବିଜେପିକୁ ସମାଲୋଚନା। ତେଣେ ବିଜେପିର ବିଜ୍ଞାପନ ଫୋକସରେ ମୋଦୀ ଏବଂ ରାଜ୍ୟ ସରକାର। ମୋଦୀ ଅଛନ୍ତି ତ ସବୁ ସମ୍ଭବ। ଦ୍ୱିତୀୟରେ ଏଥର ରାଜ୍ୟ ସରକାର ବଦଳିବା ଦରକାର। ପ୍ରଥମ ଥର ପାଇଁ ଦେଖିବାକୁ ମିଳିଲା ଯେ, ବିଜେପିର ଘୋଷଣା ପତ୍ରକୁ ବିରୋଧ କରି ବିଜେହିର ବିରାଟ ବିଜ୍ଞାପନ।

ଏହା ପୂର୍ବରୁ କୌଣସି ନିର୍ବାଚନରେ ଦେଖିବାକୁ ମିଳି ନଥିଲା। ବିଜେପି ମଧ୍ୟ ମୋଦୀ ହାୱା ଉପରେ ଅଧିକ ନିର୍ଭରଶୀଳ। ତେଣୁ ମୋଦୀଙ୍କ ଜାତୀୟ ଭାବମୂର୍ତ୍ତୀ ଲୋକଙ୍କ ସାମ୍ନାରେ ଥୋଇବା ସହ ସରକାର ବିରୋଧୀ ହାୱାରୁ ଫାଇଦା ଉଠାଇବା ସକାଶେ ଗୋଟିଏ ସ୍ଲୋଗାନ ଦେଇଚାଲିଛି ଯେ, ୧୯ବର୍ଷ ହେଇଗଲାଣି, ଏହି ସରକାର ବଦଳିବା ଦରକାର।

ପ୍ରଚାର ଦୃଷ୍ଟିରୁ ଦେଖିବାକୁ ଗଲେ ବିଜୁ ଜନତା ଦଳର ମଙ୍ଗ ଧରିଛନ୍ତି ନବୀନ। ହାଇଟେକ ବସରେ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ। ଯଦିଓ ୪୦ଜଣିଆ ତାରକା ପ୍ରଚାରକ ତାଲିକା ବିଜୁ ଜନତା ଦଳ ନିର୍ବାଚନ କମିଶନଙ୍କୁ ଦେଇଛି, ତଥାପି ଅନ୍ୟ କୌଣସି ନେତା ଭୋଟରଙ୍କୁ ଆକୃଷ୍ଟ କରିବା ଅବସ୍ଥାରେ ନାହାନ୍ତି। ତେଣୁ ପ୍ରଚାର ସମ୍ପୂର୍ଣ୍ଣ ନିର୍ଭର କରୁଛି ନବୀନଙ୍କ ଉପରେ।

ନବୀନଙ୍କର ଏକ ନିଜସ୍ୱ ଭାବମୂର୍ତ୍ତୀ ମଧ୍ୟ ଅଛି। କିନ୍ତୁ ସେ ତୁଳନାରେ ଦୁର୍ବଳତା ମଧ୍ୟ ଏଥର ଅଧିକ ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତାକୁ ଘୋଡ଼ାଇବା ପାଇଁ ଫିଟନେସ ଭିଡିଓ ବାହାରକୁ ଛଡ଼ାଯାଇଥିଲେ ମଧ୍ୟ ତାଙ୍କର ଲିଖିତ ଭାଷଣ ପଢ଼ା ଏବଂ ଯାତାୟାତ ଲୋକଙ୍କୁ ଅନ୍ୟ କିଛି ଭାବିବା ପାଇଁ ବାଧ୍ୟ କରିଦେଉଛି। ସବୁ ବଡ଼ ନେତାଙ୍କୁ ସେ ଲଢ଼ାଇ ଦେଇଛନ୍ତି ନିର୍ବାଚନରେ। ତେଣୁ ବିଜେଡିର ବ୍ୟାକଅପ ପ୍ରଚାରକଙ୍କ ସଂଖ୍ୟା ନାହିଁକୁ ବରାବର। ପୂର୍ବରୁ ଅନୁଭବ, ସିଦ୍ଧାନ୍ତ ଏବଂ ଅନ୍ୟ ନେତାମାନେ ପ୍ରଚାର ସମ୍ଭାଳି ନେଉଥିଲେ। କିନ୍ତୁ ଏଥର ତାହା ନାହିଁ।

ଅଥଚ ଅନ୍ୟ ପକ୍ଷରେ ବିଜେପି ରାଜ୍ୟ ନେତାଙ୍କ ଉପରେ ଭରସା କରି ନପାରି ମୋଦି ଓ ଶାହଙ୍କୁ ନେ କାର୍ପେଟ ବମିଂ କରିଚାଲିଛି। ନବୀନଙ୍କ ପରି ମୋଦୀ ହେଉଛନ୍ତି ବିଜେପିର ସବୁଠାରୁ ବଡ଼ ପ୍ରଚାରକ। କିନ୍ତୁ ସେହି ଦଳରେ ଅନ୍ୟ ବଡ଼ବଡ଼ ପ୍ରଚାରକ ମଧ୍ୟ ଅଛନ୍ତି। ଅମିତ ଶାହା, ଯୋଗୀ ଆଦିତ୍ୟନାଥ, ରାଜନାଥ ସିଂହ, ଶିବରାଜ ସିଂହ ଚୌହ୍ୱାନ ମଧ୍ୟ ପ୍ରଚାରରେ ଗୁରୁତ୍ୱପୂର୍ଣ୍ଣ ସହାୟତା ଯୋଗାଇ ଆସୁଛନ୍ତି। ମୋଦୀ ଇତିମଧ୍ୟରେ ତିନିଥର ଓଡ଼ିଶା ଗସ୍ତରେ ଆସିଗଲେଣି। ଆଉ ୫ ଥର ଆସିବେ ଓଡ଼ିଶା। ତେଣୁ ବିଜେପି ପ୍ରଚାର ଷ୍ଟ୍ରାଟେଜିରେ ବିଜେଡି ଠାରୁ ଢେର ଆଗୁଆ ଅଛି।

ସେ ଦୃଷ୍ଟିରୁ ଆଖପାଖରେ କେଉଁଠି ନାହିଁ କଂଗ୍ରେସ। ଘର ସଜାଡ଼ୁ ସଜାଡ଼ୁ ଏହି ଦଳ ପ୍ରଚାରର ସବୁ ଦିଗରୁ ବହୁ ପଛରେ ପଡ଼ିଯାଇଛି। ରାହୁଲ ଗାନ୍ଧୀଙ୍କ ଆସିବା ପରେ ଯଦି କିଛି ଅବସ୍ଥା ସୁଧୁରେ, ତେବେ କଂଗ୍ରେସ ପୁଣି ମଇଦାନକୁ ଆସିଯାଇ ପାରେ।

ପ୍ରାର୍ଥୀ ମନୋନୟନରେ ବିଜୁ ଜନତା ଦଳ ଅନେକଗୁଡ଼ିଏ ଭୁଲଭ୍ରାନ୍ତି କରିଛି। ଯାହା ୧୯ ବର୍ଷର ଏକ ଶାସକ ଦଳ ପାଖରେ ସ୍ପୃହଣୀୟ ନୁହେଁ। ବିଜେପି ମଧ୍ୟ ଏଥିରୁ ବାଦ ଯାଇନାହିଁ। ବରଗଡ଼ ଏବଂ ନୂଆପଡ଼ାରେ ପ୍ରାର୍ଥୀ ମନୋନୟନରେ ବିଜେପି ମଧ୍ୟ ନିଜ ଦୁର୍ବଳତାକୁ ପଦାରେ ପକାଇଛି। ସୁବିଧାଜନକ ସ୍ଥିତିରୁ ଅସୁବିଧା ଆଡ଼କୁ ଯାଇଛି ବିଜେପି।

ତେବେ ବିଜେଡି ପରତିଅଣ ଉପରେ ଏତେ ଅଧିକ ନିର୍ଭର କରିଗଲା ଯେ, ଲାଗିଲା ନିଜ ଓ ନିଜ ଦଳ ପରୁ ନବୀନ ପଟ୍ଟନାୟକଙ୍କ ଆସ୍ଥା କମିଛି। ଶେଷ ମୁହୂର୍ତ୍ତରେ କାକଟପୁର ପ୍ରାର୍ଥୀ ବଦଳାଇବା ଏବଂ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ସ୍ଥିର କରିନପାରିବା ଏହି ଦଳର ଆଭ୍ୟନ୍ତରୀଣ ପରିସ୍ଥିତିକୁ ଲଙ୍ଗଳା କରିଦେଇଛି।

ପ୍ରକୃତ ଲଢ଼େଇ ଉପକୂଳରେ

ପ୍ରକୃତ ଲଢ଼େଇ ହେବ ଉପକୂଳ ଓଡ଼ିଶାରେ। ଉପକୂଳ ଓଡ଼ିଶା ବିଜୁ ଜନତା ଦଳର ଗଡ଼। ଏଠାରେ ବିଜେପି ବଡ଼ ଖେଳାଳି ନଥିଲା। ମାତ୍ର ଏଥର ଚିତ୍ର ଦ୍ରୁତ ବଦଳୁଛି। ପ୍ରଧାନମନ୍ତ୍ରୀ ଉପକୂଳ ଓଡ଼ିଶାକୁ ଆସିବା ପରେ ଏକ ବଡ଼ଧରଣର ରାଜନୈତିକ ଚିତ୍ର ଦେଖିବାକୁ ମିଳିବ। ଏହାର ମୂଳ କାରଣଟି ହେଉଛି, ବିଜୁ ଜନତା ଦଳ ଅଧିକ ପରିମାଣରେ ଅନ୍ୟ ଦଳର ପ୍ରାର୍ଥୀଙ୍କ ଉପରେ ନିର୍ଭର କରିବା କାରଣରୁ ଦଳ ଭିତରେ ବିରାଟବଡ଼ ଅସନ୍ତୋଷ ସୃଷ୍ଟି ହୋଇଛି।

ତା’ଛଡ଼ା ୧୯ ବର୍ଷର ଶାସନ ବିରୋଧୀ ମନୋଭାବ ଏକ ସମର୍ଥ ବିରୋଧୀ ଦଳକୁ ଦେଖିବା ପରେ ହାୱାରେ ପରିଣତ ହୋଇପାରେ। ଏଥରୁ କଂଗ୍ରେସ ଅପେକ୍ଷା ବେଶୀ ଫାଇଦା ପାଇବ ବିଜେପି। ମୁଖ୍ୟ ବିରୋଧୀ ଦଳକୁ ଭାଙ୍ଗିରୁଜି ଦେବା ଦ୍ୱାରା ବିଜେଡି ବିରୋଧୀ ଭୋଟ ବିଜେପି ଆଡ଼କୁ ମୁହାଁଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ।

ତେବେ ଦେଖିବାକୁ ବାକିଅଛି, ନବୀନ ପଟ୍ଟନାୟକ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ କିଭଳି ମୋଦୀ ବ୍ରାଣ୍ଡର ମୁକାବିଲା କରୁଛନ୍ତି। କାରଣ ଏପର୍ଯ୍ୟନ୍ତ ଲୋକଙ୍କ ପାଖରେ କୌଣସି ନୂଆ ପ୍ୟାକେଜ ଦେଇପାରି ନାହାନ୍ତି ନବୀନ। ସେହି କେନ୍ଦ୍ରୀୟ ଅବହେଳା କଥା ବାରମ୍ୱାର ଘୋଷିହେବା କାରଣରୁ ଏହା ଭୋଟରଙ୍କୁ ପ୍ରଭାବିତ କରି ନପାରେ।

ତେବେ ବିଜେଡି-ବିଜେପି ମଧ୍ୟରେ ଲଢ଼େଇ ଏବଂ ପ୍ରଚାର ଅନିର୍ଣ୍ଣିତ ଭୋଟରଙ୍କୁ କେମିତି ଏବଂ କିଏ ବେଶୀ ଆକୃଷ୍ଟ କରୁଛି, ତାହାହିଁ ସାବ୍ୟସ୍ତ କରିବ ସିକନ୍ଦର ହେବ କେଉଁ ଦଳ? ମୋଦୀ ଲହର ଚମତ୍କାରିତା ଦେଖାଇପାରିବ ନା ନବୀନ ପଟ୍ଟନାୟକଙ୍କ ଯାଦୁ କାଏମ ରହିବ?

ଲୋକେ ଲୋକସଭା ଏବଂ ବିଧାନସଭା ପାଇଁ ଭିନ୍ନଭିନ୍ନ ମତ ଦେବେ ନା ଧାରା ସମାନ ରହିବ, ଏହା ମଧ୍ୟ ଏକ ତର୍ଜମାର ବିଷୟ ହେବ ଭୋଟ ଫଳାଫଳ ପ୍ରକାଶ ହେବା ପରେ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

୨୦୧୪ରେ ପ୍ୟାରୀ, ୨୦୧୯ରେ ଜୟ

କଂଗ୍ରେସ-ବିଜେପି ଘୋଷଣା ପତ୍ର : କାହାର ଦମ‍୍‌ କେତେ?

କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି

Leave a Reply

Your email address will not be published.