ମୁଖ୍ୟମନ୍ତ୍ରୀଙ୍କୁ ୪୨୦ରେ ଗିରଫ କର: ନବନିର୍ମାଣ କୃଷକ ସଂଗଠନ
କେନ୍ଦ୍ରାପଡା଼,(ଓଟି) :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୃଷକମାନଙ୍କୁ ପ୍ରତାରିତ କରିଥିବା ଅଭିଯୋଗ କରି ତାଙ୍କ ନାଁରେ ୪୨୦ଦଫାରେ ମାମଲା ରୁଜ୍ଜୁ କରିବାକୁ ନବନିର୍ମାଣ କୃଷକ ସଂଗଠନ କେନ୍ଦ୍ରାପଡ଼ା ଏସପିଙ୍କ ନିକଟରେ ଦାବି କରିଛି । ସାଧାରଣ ନିବାଚନ ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନା ପ୍ରଣୟନ କରି ରାଜ୍ୟର ୭୫ ଲକ୍ଷ ଚାଷୀଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ଲେଖା ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇ ଭୋଟ ହାତେଇଥିଲେ ହେଁ ଏବେ ରାଜ୍ୟ ସରକାର ନିଜ ପ୍ରତିଶ୍ରୁତିରୁ ଓହରି ଯାଇଥିବା ଅଭିଯୋଗ ହୋଇଛି । କେନ୍ଦ୍ର ସରକାରଙ୍କ କିଷାନ ଯୋଜନା ସହିତ କାଳିଆ ଯୋଜନାକୁ ସାମିଲ କରି ଚାଷୀଙ୍କୁ ପ୍ରତି ବର୍ଷ ୧୦ ହଜାର ଟଙ୍କା ସହାୟତା ବଦଳରେ ୪ ହଜାର ଟଙ୍କା ସହାୟତା ଦେବାକୁ ଘୋଷଣା କରିଥିବାରୁ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସୋମବାର କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସଂଗଠନର ଶତାଧିକ ସମର୍ଥକ ଗରାପୁର ଛକ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସାଧାଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନା ପ୍ରଣୟନ କରି ରାଜ୍ୟର ୭୫ ଲକ୍ଷ କୃଷକଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖା ସହାୟତା ଦେବାକୁ ପ୍ରତିଶ୍ରୁତି ଦେବା ସହ କିଛି ଚାଷୀଙ୍କୁ ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ଲେଖା ସହାୟତା ପ୍ରଦାନ କରି ଚାଷୀମାନଙ୍କ ଭୋଟ ପାଇ ପୁନର୍ବାର ସରକାର ଗଠନ କରିବା ପରେ ଚାଷୀଙ୍କୁ ବର୍ଷକୁ ୪ ହଜାର ଟଙ୍କା ଲେଖା ସହାୟତା ଦେବାକୁ କହୁଛନ୍ତି । ଫଳରେ ସରକାର ରାଜ୍ୟର ଚାଷୀଙ୍କୁ ୪ ହଜାର ୫ ଶହ କୋଟି ଟଙ୍କା ଠକିବାକୁ ନିଷ୍ପତି ନେଇଥିବାଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ସଂଗଠନ ପକ୍ଷରୁ କୁହାଯାଇଛି । ଏଥିସହ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ମଧ୍ୟ କୁହାଯାଇଛି ଯେ ରାଜ୍ୟର କୃଷକମାନଙ୍କ ସ୍ୱାର୍ଥ ପାଇଁ ସଂଗଠନ ଲଢେଇ କରିଆସୁଥିଲା । ଗତ ୨୦୧୮ ମସିହା ଅକ୍ଟୋବର ମାସ ୨୯ ତାରିଖରୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ସଂଗଠନ ପକ୍ଷରୁ କୃଷକମାନଙ୍କ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରାଯାଇଥିଲା ଓ ଚାଷୀଙ୍କ ଅସନ୍ତୋଷ ଓ ସାଧାରଣ ନିର୍ବାଚନକୁ ନଜରରେ ରଖି ସରକାର ଚାଷୀଙ୍କୁ ଖୁସି କରିବା ପାଇଁ ହଠାତ କାଳିଆ ଯୋଜନା ଆରମ୍ଭ କରିଥିଲେ । ରାଜ୍ୟର ୭୫ ଲକ୍ଷ ଚାଷୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ପଞ୍ଜିକରଣ କରିଥିଲେ । କିନ୍ତୁ ନିର୍ବାଚନରେ ନବୀନ ପଟ୍ଟନାୟକ ପୁନର୍ବାର ସରକାର ଗଠନ କରିବା ପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ କିଷାନ ଯୋଜନାରେ କାଳିଆ ୋଜନାକୁ ମିଶାଇ ଦେବାକୁ ଉଦ୍ୟମ କରିଥିଲେ । ମାତ୍ର ନବନିର୍ମାଣ କୃଷକ ସଂଗଠନର ବିରୋଧ ଯୋଗୁ ରାଜ୍ୟ ସରକାର ନିଷ୍ପତି ବଦଳାଇଥିଲେ । ହେଲେ ଏବେ ସରକାର କାଳିଆ ଯୋଜନାକୁ କେନ୍ଦ୍ର ସରକାରଙ୍କ କିଷାନ ଯୋଜନାରେ ସାମିଲ କରି ରାଜ୍ୟର ପ୍ରତି ଚାଷୀଙ୍କୁ ୬ ହଜାର ଟଙ୍କା ଲେଖା ଠକିଥିବା ନବନିର୍ମାଣ କୃଷକ ସଂଗଠନ କହିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଦଫା ୪୨୦, ୪୧୫ ଓ ୪୦୬ ଅନୁସାରେ ମାମଲା ରୁଜ୍ଜୁ କରିବାକୁ ଦାବି କରି କେନ୍ଦ୍ରାପଡ଼ା ଅତିରିକ୍ତ ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ।