କୃଷକଙ୍କୁ କେନ୍ଦ୍ର ବଜେଟରୁ ଅଧିକ ସହାୟତା ଦେଉଛନ୍ତି ତେଲେଙ୍ଗାନା- ଓଡ଼ିଶା
ନାମମାତ୍ର ଓ କ୍ଷୁଦ୍ର ଚାଷୀମାନଙ୍କୁ ବାର୍ଷିକ ୩କିସ୍ତିରେ ୬ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା ହେଉଛି ଆଜିର କେନ୍ଦ୍ର ବଜେଟରେ ସବୁଠାରୁ ବଡ଼ ଘୋଷଣା। ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ପିୟୁଷ ଗୋୟଲଙ୍କ ଘୋଷଣା ଅନୁସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୨କୋଟି କୃଷକମାନଙ୍କ ପାଇଁ ୭୫,୦୦୦କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନାରେ ୨୦୧୮-୧୯ ବଜେଟରେ ବ୍ୟୟ ବରାଦ ହୋଇଥିବା ୫୫,୦୦୦କୋଟି ଟଙ୍କାଠାରୁ ଅଧିକ।

ସଂସଦରେ ଗୋୟଲଙ୍କ ଘୋଷଣା ଅନୁସାରେ ୩ଟି କିସ୍ତିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨୦୦୦ଟଙ୍କା ଲେଖାଏଁ ଆର୍ଥିକ ସହାୟତା ୨୦୧୮ ଡ଼ିସେମ୍ୱର ମାସରୁ ପିଛିଲା ଭାବେ ପ୍ରଦାନ କରାଯିବ। ଏଥିପାଇଁ ଚାଷୀମାନେ ପ୍ରଥମ କିସ୍ତି ଆର୍ଥିକ ସହାୟତା ଖୁବ୍ ଶୀଘ୍ର ପ୍ରଦାନ କରାଯିବ ବୋଲି ଗୋୟଲ କହିଛନ୍ତି। ଗତ ଆର୍ଥିକ ବର୍ଷ ପାଇଁ ୨୦,୦୦୦କୋଟି ଟଙ୍କା ଏଥିରେ ସାମିଲ କରାଯିବ ବୋଲି କହିଛନ୍ତି।
ବଜେଟ୍ ଆଗତ କାଳରେ ଗୋୟଲ କହିଛନ୍ତି ଯେ ଏହି ସହାୟତା ଫଳରେ ଚାଷୀମାନେ ସମ୍ମାନ ଜନକ ଜୀବନ ବଞ୍ଚିପାରିବେ। ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ଉପରେ ଚାଷୀମାନଙ୍କର ଯେଉଁ ଅସନ୍ତୋଷ ରହିଛି ତାହାକୁ ଦୂର କରିବା ସହିତ ଆଗାମୀ ଲୋକସଭା ନିର୍ବାଚନ ବୈତରଣୀ ପାର ହେବା ପାଇଁ ବଜେଟରେ ପ୍ରୟାସ କରାଯାଇଛି। ସରକାରଙ୍କ ଘୋଷଣା ଅନୁସାରେ ଯେକୌଣସି ମୂହୁର୍ତ୍ତରେ୧୨କୋଟି ଚାଷୀଙ୍କ ଏକାଉଣ୍ଟକୁ ୨୦୦୦ଟଙ୍କାର ପ୍ରଥମ କିସ୍ତି ମିଳିପାରେ। ଏହା ଫଳରେ ଆଗାମୀ ଦିନରେ ନିର୍ବାଚନ ସମୟରେ ଚାଷୀମାନେ ଭୋଟ ଦେବାବେଳେ ଏନଡ଼ିଏକୁ ଚିନ୍ତା କରିବେ ବୋଲି ମୋଦି ସରକାର ଆଶାବ୍ୟକ୍ତ କରିଛି।
କିନ୍ତୁ ବାସ୍ତବତାକ୍ୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ ତେଲେଙ୍ଗାନାର କେ. ଚନ୍ଦ୍ରଶେଖର ରାଓ ସରକାର ରିଥୁ ବନ୍ଧୁ ଯୋଜନା ଏବଂ ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ସରକାର କାଳିଆ ଯୋଜନାରେ ଚାଷୀମାନଙ୍କୁ ଅଧିକ ସହାୟତା ଦେଉଛନ୍ତି।
ତେଲେଙ୍ଗାନାର ରିଥୁ ବନ୍ଧୁ ଯୋଜନା

୨୦୧୮ ମଇ ମାସରେ କେ. ଚନ୍ଦ୍ରଶେଖର ରାଓଙ୍କ ସରକାର ତେଲେଙ୍ଗାନାରେ ଚାଷୀମାନଙ୍କ ପାଇଁ ରିଥୁ ବନ୍ଧୁ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଚାଷୀମାନେ ବିହନ, ସାର, ଶ୍ରମିକ ମଜୁରୀ ଓ ଅନ୍ୟାନ୍ୟ ଚାଷ କାମରେ ବିନିଯୋଗ କରିବାକୁ ଏକର ପିଛା ୪୦୦୦ଟଙ୍କାର ଆଥିର୍କ ସହାୟତା ପ୍ରତ୍ୟେକ ଚାଷ ସିଜିନରେ ଦେଉଛନ୍ତି।
ଯେଉଁ ଚାଷୀର ୫ଏକର ଚାଷ ଜମି ରହିଛି ସେ ପ୍ରତ୍ୟେକ ଚାଷ ସିଜିନରେ କେ. ଚନ୍ଦ୍ରଶେଖର ରାଓଙ୍କ ସରକାରଠାରୁ ୨୦,୦୦୦ଟଙ୍କାର ଆଥିର୍କ ସହାୟତା ପାଇବ। ତେଲେଙ୍ଗାନାରେ ସମସ୍ତ ଚାଷୀ ଦୁଇଟି ଫସଲ କରୁଥିବାରୁ ୫ଏକର ଚାଷ ଜମିଥିବା ଚାଷୀ ସରକାରଙ୍କଠାରୁ ରିଥୁ ବନ୍ଧୁ ଯୋଜନାରେ ୪୦,୦୦୦ଟଙ୍କାର ଆଥିର୍କ ସହାୟତା ପାଇବ।
ତେଲେଙ୍ଗାନା ସରକାରଙ୍କ ଦାବି ଅନୁସାରେ ୨୦୧୮-୧୯ ଆଥିର୍କ ବର୍ଷରୁ ଏହି ଯୋଜନାରେ ୧୨,୦୦୦କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏଥିରେ ତେଲେଙ୍ଗାନାର ୫୮.୩୩ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ତେଲେଙ୍ଗାନା ସରକାର ୨୦୧୮-୧୯ ଆଥିର୍କ ବର୍ଷରେ ରିଥୁ ବନ୍ଧୁ ଯୋଜନାରେ ପ୍ରତି ଚାଷୀ ପିଛା ୨୦,୫୭୨ଟଙ୍କା ସହାୟତା ପ୍ରଦାନ କରିଛନ୍ତି।
ଏନଡ଼ିଏ ସରକାର ୧୨କୋଟି ଚାଷୀଙ୍କ ପାଇଁ ମାତ୍ର ୭୫,୦୦୦କୋଟି ଟଙ୍କାର ବଜେଟ୍ କରିଛନ୍ତି। ଏଥିରେ ଚାଷୀ ପିଛା ବାର୍ଷିକ ୬୨୫୦ଟଙ୍କା ମିଳିବ। ଯାହାକି ତେଲେଙ୍ଗାରନା ସରକାରଙ୍କ ସହାୟତାର ତିନି ଭାଗରୁ ଏକ ଭାଗ। ରିଥୁ ବନ୍ଧୁ ଯୋଜନାରେ ଗୋଟିଏ ଖରାପ କଥା ହେଉଛି, ଏଥିରେ ଭାଗଚାଷୀଙ୍କୁ କୌଣସି ସହାୟତା ମିଳୁନାହିଁ।
ଓଡ଼ିଶାର କାଳିଆ ଯୋଜନା

ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ବିଜେଡ଼ି ସରକାର ଗତ ୨୫ ତାରିଖରେ ଚାଷୀମାନଙ୍କୁ ଆଥିର୍କ ସହାୟତା ଯୋଗାଇ ଦେବାକୁ କାଳିଆ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ପ୍ରତି ଚାଷ ସିଜିନରେ ୫୦୦୦ଟଙ୍କା ଲେଖାଏଁ ଚାଷୀ ପିଛା ମିଳିବ। ଦୁଇଟି ଚାଷ ସିଜିନ ପାଇଁ ଚାଷୀ ପିଛା ୧୦,୦୦୦ଟଙ୍କାର ଆଥିର୍କ ସହାୟତା ବିଜେଡ଼ି ସରକାର ଚାଷୀଙ୍କୁ ଦେଉଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁସାରେ ରାଜ୍ୟର ୯୨ପ୍ରତିଶତ ଚାଷୀଙ୍କୁ ଏଥିରେ ସାମିଲ କରାଯାଇଛି। ଏପରିକି ଭାଗ ଚାଷୀଙ୍କୁ ମଧ୍ୟ ଏହି ସହାୟତା ଯୋଗାଇ ଦିଆଯାଉଛି। ଆଥିର୍କ ସହାୟତା ପରେ ଚାଷୀଙ୍କୁ ଚାଷକାମ ପାଇଁ ୫୦,୦୦୦ଟଙ୍କା ବିନା ସୁଧରେ ଋଣ ଯୋଗାଇ ଦିଆଯିବାକୁ ଘୋଷଣା ହୋଇଛି। କାଳିଆ ଯୋଜନାରେ ଚାଷୀଙ୍କୁ ଆଥିର୍କ ସହାୟତା ବ୍ୟତୀତ ୨ଲକ୍ଷ ଟଙ୍କାର ଜୀବନବୀମା, ଏହି ପରିମାଣର ଦୁର୍ଘଟଣା ବୀମା ୫୭ଲକ୍ଷ ପରିବାରକୁ ନବୀନ ପଟ୍ଟନାୟକଙ୍କ ସରକାର ଯୋଗାଇ ଦେଉଛନ୍ତି।
ରାଜ୍ୟର ଜମିହୀନ ୧୦ଲକ୍ଷ ପରିବାରକୁ ସହାୟତା କରିବା ପାଇଁ ମଧ୍ୟ ବିଜେଡ଼ି ସରକାର ନିଷ୍ପତ୍ତି ନେଇଛି। ଏହି ଯୋଜନାରେ ରାଜ୍ୟର ହରିଜନ, ଆଦିବାସୀମାନେ ପଶୁପାଳନ, କୁକୁଡ଼ା ଓ ମାଛଚାଷ ପାଇଁ ୧୨,୫୦୦ଟଙ୍କାର ଆଥିର୍କ ସହାୟତା ପାଇବେ।
କେନ୍ଦ୍ର ସରକାରଙ୍କ ନଗଣ୍ୟ ସହାୟତା

ଆଜି ଏନଡ଼ିଏ ସରକାର ଚାଷୀମାନଙ୍କ ପାଇଁ ଯେଉଁ ଆଥିର୍କ ସହାୟତା ଘୋଷଣା କରିଛନ୍ତି ତାହାଠାରୁ ଢ଼େର ଅଧିକ ଓଡ଼ିଶା ଓ ତୋଲଙ୍ଗାନା ଲାଗୁ କରିସାରିଛନ୍ତି। କାଳିଆ ଯୋଜନାକୁ କପି କରି କେନ୍ଦ୍ର ସରକାର ଯାହା ଘୋଷଣା କରିଛନ୍ତି ତାହା ବିଳମ୍ୱିତ ଓ ଅତି ନଗଣ୍ୟ।