ଫନି ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ଲ୍ୟାଣ୍ଡଫଲ ପରେ ଦୁର୍ବଳ ହୋଇ ପଶ୍ଚିମବଙ୍ଗ ଯିବ ଫନି
ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟିର ଏକ ବୈଠକ ଆଜି କ୍ୟାବିନେଟ ସଚିବ ପି.କେ. ସିହ୍ନାଙ୍କ ଅଧ୍ୟକ୍ଷତାରେ ସାମୁଦ୍ରିକ ଝଡ଼ ଫନୀର ମୁକାବିଲା ନେଇ ପ୍ରସ୍ତୁତି ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯାଇଛି । ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଓ ପ୍ରମୁଖ ସଚିବମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ । ଏହି ସାମୁଦ୍ରିକ ଝଡ଼ ଫଳରେ ସୃଷ୍ଟି ହେବାକୁ ଥିବା ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କର ପଦାଧିକାରୀମାନେ ବୈଠକରେ ପ୍ରକାଶ କରିଥିଲେ ।
ଏହି ଅବସରରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଜଣାଇଥିଲେ ଯେ ରାଜ୍ୟର ୯ ଜିଲ୍ଲାରେ ଥିବା ୧୦ ହଜାର ଗ୍ରାମ ଓ ୫୨ଟି ସହରରେ ଥିବା ଲୋକମାନେ ପ୍ରଭାବିତ ହେବେ । ଏସବୁ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ମୋଟ ପ୍ରାୟ ୧୧.୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବାର ସମ୍ଭାବନା ରହିଛି । ସେହିପରି ଏୟାରପୋର୍ଟଗୁଡ଼ିକ ସୁରକ୍ଷା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୋର ବା ଏସଓପି ପାଳନ କରିବାକୁ କୁହାଯାଇଛି । ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ବର ଓ ବିଶାଖାପାଟଣା, କୋଲକତା ଏୟାପୋର୍ଟକୁ ଚଳାଚଳ କରୁଥିବା ସବୁ ଯାତ୍ରୀବାହୀ ବିମାନକୁ ବନ୍ଦ କରାଯାଇଛି ବୋଲି ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ପଶ୍ଚିମବଙ୍ଗ ଯିବ ଫନି
ସାମୁଦ୍ରିକ ଝଡ଼ବାତ୍ୟା ଫନି ଆସନ୍ତାକାଲି ସକାଳ ୮ରୁ ୧୦ ମଧ୍ୟରେ ପୁରୀ ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ। ତେବେ ଲ୍ୟାଣ୍ଡଫଲ କରିବା କ୍ଷଣି ଫନି କିଛି ସମୟ ପରେ ଦୁର୍ବଳ ହୋଇଯିବ। ତେବେ ୩ ତାରିଖ ମଧ୍ୟରାତ୍ର ଯାଏ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ। ଏହାପରେ ଭୀଷଣ ବାତ୍ୟାରେ ପରିଣତ ହୋଇ ପଶ୍ଚିମବଙ୍ଗରେ ପହଞ୍ଚିବ। ଫନି ୪ ତାରିଖ ସକାଳେ ପଶ୍ଚିମବଙ୍ଗରେ ପହଞ୍ଚିବ। ଏହାର ପ୍ରଭାବରେ ପଶ୍ଚିବଙ୍ଗରେ ଘଣ୍ଟାପ୍ରତି ୮୦ରୁ ୯୦ କିମି ବେଗରେ ପବନ ବୋହିବ। ବର୍ଷାର ପରିମାଣ ଅଧିକ ରହିବ। ଏହାପରେ ରବିବାର ସକାଳ ସୁଦ୍ଧା ଫନି ଆହୁରି ଦୁର୍ବଳ ହୋଇ ବାଂଲାଦେଶରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।