ଅଭୁଲା ରହିବ ସେଇ ଅଦୃଶ୍ୟ ସାପର ଫଣା, ‘ଫୋନି’

ମେ’ ୩ ତାରିଖ, ନିରୀହ ଓଡ଼ିଶା ଶିକାର ହେଲା ଏକ ଅଦୃଶ୍ୟ ଫଣାରେ। ଏ ଭିତରେ ୭ ଦିନ ବିତିଗଲାଣି, ଆଉ ଭାରତ ମହାସଗରରୁ ସୃଷ୍ଟି ହୋଇଥିବା ସେଇ ଫଣା ସମୁଦ୍ରରେ ଲୀନ ବି ହୋଇଗଲାଣି, କିନ୍ତୁ ଯେଉଁ ଦଂଶନ ଓଡ଼ିଶାକୁ ଦେଇଛି ତାହାର ଭରଣା କରିବାପାଇଁ ବୋଧ ହୁଏ ଆଉ ଏକ ପିଢ଼ିକୁ ଅପେକ୍ଷା କରିବାକୁ ହେବ।

ଅବଶ୍ୟ ଏହା ସତ ଯେ, ଆମେ ପ୍ରସ୍ତୁତ ଥିଲୁ। ବାଂଲାଦେଶର ପାଣିପାଗ ବିଜ୍ଞାନୀମାନେ ଏହାକୁ ‘ଫୋନି’ ବୋଲି ନାଁ ଦେଇ ଏହାର ଭୟକୁ ସୂଚାଇ ଥିଲେ। ଆଉ ଆମ ଦେଶର ବିଶିଷ୍ଟ ବିଜ୍ଞାନୀମାନେ ରାତିଦିନ ଆକାଶକୁ ଦେଖି, ସ୍ଵତନ୍ତ୍ର ଗଣିତ ସୂତ୍ରକୁ ଆଧାର କରି, ଏହାର ଗତିବିଧି ସୂଚାଇଥିଲେ। ଏହା କେତେ କ୍ଷୀପ୍ର ହେବ ତାହା ବି ପୂଣ୍ଣ ଆକଳନ କରିଥିଲେ। ଏହାକୁ ଦେଖି ଓଡ଼ିଶା ବି ପ୍ରସ୍ତୁତ ହୋଇଥିଲା। ପଦାକୁ ବାହାରି ନଥିଲା। କିନ୍ତୁ ପଦାରେ ଥିବା ଧନ, ଜୀବନ, ସମ୍ପତ୍ତି ଯେଉଁ ପରିମାଣରେ କ୍ଷତି ସହିଲା ତାହା ଓଡ଼ିଶା ଆକାଶରୁ ‘ଶ୍ରୀ’ ହଟାଇଦେଇଥିଲା। ବୋଧହୁଏ ଏହା ଅପୂରଣୀୟ। ଏହାକୁ ଭରଣା କରାଯିବାକୁ ସିନା ଚେଷ୍ଟା ହେବ ହେଲେ ତାହା ଆଉ ଫେରି ଅସିବ ନାହିଁ।

ସାମୁଦ୍ରିକ ଝଡ଼ ତୋଫାନ

ଫୋନିର ଉତ୍ପତ୍ତି ଓ ବିଲୀନ

ଏପ୍ରିଲ୍‌୨୬ ତାରିଖରେ ଭାରତ ମହାସାଗରର ଉତ୍ତର ପ୍ରାନ୍ତରେ ‘ଫୋନି’ର ଜନ୍ମ। ସେତେବେଳେ ପାଣିପାଗ ବିଶେଷଜ୍ଞମାନେ ଏହି ସାମୁଦ୍ରିକ ଝଡ଼ର ନାଁ ଦେଇଥିଲେ ବବ୍‌-୦୨ (BOB02 )। କିନ୍ତୁ ବିଶ୍ଵ ପାଣିପାଗ ସଂଗଠନର ନିୟମ ଅନୁସାରେ ବାଂଲାଦେଶ ଏହାର ନାମକରଣ କରିଥିଲା। ଆଉ ସାପର ଫଣା ଭାବେ ଏହାର ଭୟାବହତାକୁ ଦେଖାଇ ଉଚ୍ଚାରଣ କରିଥିଲା ‘ଫୋନି’। କିନ୍ତୁ ଇଂରାଜୀ ବା ବଙ୍ଗଳା ଭାଷାରେ ‘ଫନି’ ବୋଲି ଲେଖା ରହିଲା। ଏଣୁ ଓଡ଼ିଶାରେ କେହି କୈହି ଏହାକୁ ‘ଫନି’, ‘ଫୋନି’ ବୋଲି ଅଭିହିତ କଲେ। ଆଉ କିଛି ଖବରକାଗଜ ‘ଫଣି’ ବୋଲି ବି ଅଭିହିତ କରିଥିଲେ। କିନ୍ତୁ ଭାରତ ପାଣିପାଗ ବିଭାଗ ଏହାକୁ ‘ଫୋନି’ ବୋଲି ଉଚ୍ଚାରଣ କରିବାକୁ କହିଛି।

ଧିରେ ଧିରେ ‘ଫୋନି’ ଶକ୍ତିଶାଳୀ ହେଲା। ଭାରତ ମହାସାଗରରୁ ଏହା କ୍ରମଶଃ ଓଡ଼ିଶା ଆଡ଼କୁ ମୁହାଁଇଲା। ଏପଅିଲ୍‌ ୩୦ ତାରିଖରେ ଏହା ଏତେ ଶକ୍ତିଶାଳୀ ହୋଇଥିଲା ଯେ, ତାହା ଆଗକୁ ଉଗ୍ର ଘୂଣ୍ଣିଝଡ଼ ରୂପ ନେବ ବୋଲି ଆଶଙ୍କା କରାଗଲା। କ୍ରମେ ଭାରତ ପାଣିପାଗ ବିଭାଗ ଏନେଇ ସମ୍ପୃକ୍ତ ରାଜ୍ୟ ଯେମିତି ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଓଡ଼ିଶା, ପଶ୍ଚିମବଙ୍ଗକୁ ସତର୍କ କରାଇଲେ। ଏହା ଉତ୍ତର ପୂର୍ବାଞ୍ଚଳକୁ ଗତିକରିବ ଏବଂ ୫ ତାରିଖ ଦିନ ବାୟୁ ମଣ୍ଡଳରେ ଲୀନ ହୋଇଯିବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରି ଏହାର ପ୍ରଭାବ ଆକଳନ କଲା।

ଜାପାନୀ ଉପଗ୍ରହ ହିମାୱାରୀଠୁ ମିଳିଥିବା ଫନୀର ଦୃଶ୍ୟ

ଖାଲି ଭାରତ ନୁହେଁ ଆନ୍ତର୍ଜାତିକ ସ୍ତରରେ ଡପ୍‌ଲର ରାଡାର ଓ ଗାଣିତିକ ମଡେଲ୍‌ ଗୁଡ଼ିକୁ ବ୍ୟବହାର କରି ପାଣିପାଗ ବିଜ୍ଞାନୀମାନେ ନିଜ ନିଜ ମତ ଦେଲେ। ୧୯୯୯ ମହାବାତ୍ୟା ପରେ ଏହା ଏକ ଉଗ୍ର ବାତ୍ୟା ବୋଲି ଗ୍ରହଣ କରାଗଲା। ଆମେରିକୀୟ ପାଣିପାଗ ବିଶେଷଜ୍ଞମାନେ ଏହାକୁ କିଛିବର୍ଷ ତଳେ ସେଠାରେ ଦେଖାଦେଇଥିବା ହରିକେନ୍‌ ବାତ୍ୟା ସହ ତୁଳନା କଲେ। ଆଉ ପବନର ବେଗ ୨୫୦ କିଲୋମିଟର ଘଣ୍ଟାକୁ ଟପିପାରେ ବୋଲଇ ଆକଳନ କଲେ। ୨ ମେ’ ରାତିରେ ଅନେକ ଆଶଙ୍କା ଦେଖାଦେଲା। ଏପଟେ ପ୍ରଶାସନ ପକ୍ଷରୁ ଯଥାସମ୍ଭବ ପ୍ରସ୍ତୁତ ଥିବା ଦର୍ଶାଇଲେ ସରକାର। ଭାରତ ସରକାରଙ୍କ ମୁଖ୍ୟ ନିର୍ବାଚନ ଆୟୋଗ ବିପର୍ଯ୍ୟୟ ପରିଚାଳନା ସକାଶେ ଓଡ଼ିଶାରୁ ନିର୍ବାଚନ ଆଚରଣ ବିଧି ହଟାଇଲେ।

ମାଳତୀପାଟପୁର ବସ୍‌ଷ୍ଟାଣ୍ଡର ଦୃଶ୍ୟ

ପୁରୀରେ ସ୍ପର୍ଶ

ଦିନକୁ ଦିନ ବଳଶାଳୀ ହେଉଥିବା ଫୋନି’ ପୁରୀ ସହର ନିକଟବର୍ତ୍ତୀ ବ୍ରହ୍ମଗିରିରେ ଅବପାତ ହେଲା। ସେତେବେଳେ ଏହା ସ୍ପଷ୍ଟ ଆଖି ଘଣ୍ଟାକୁ ୨୫୦ କିଲୋମିଟର ବେଗରେ ଘୂରିବୁଲିଲା। ଅର୍ଥାତ୍‌ ପାଖାପାଖି ୨୮ କିଲୋମିଟର ପରିଧିରେ ପବନର ବେଗ ଘଣ୍ଟାପ୍ରତି ୨୫୦ କିଲୋମିଟର ପାଖାପାଖି ରହିଲା। କାରଣ ସେହି ଆଖିର ବ୍ୟାସ ୨୮ କିଲୋମିଟିର ରହିଥିଲା ବୋଲି ପାଣିପାଗ ବିଶେଷଜ୍ଞ ତଥା ସୋଆ ବିଶ୍ଵବିଦ୍ୟାଳୟ ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତଚନ୍ଦ୍ର ସାହୁ କହିଛନ୍ତି।  ମାତ୍ର ୧ ମିନିଟ୍‌ ପରେ ଏହି ପବନର ବେଗ ତିନି ମିନିଟ୍‌ ପାଇଁ ଘଣ୍ଟାପ୍ରତି ୨୧୫ କିଲୋମିଟରକୁ ଖସିଥିଲା। ହେଲେ ଏହି ପବନକୁ ସମ୍ପୂଣ୍ଣ ସହିବା ଲାଗି ନା ବୃହତ ନଡ଼ିଆ ଗଛର ଶକ୍ତି ଥିଲା ନା ଶ୍ରୀ ଜଗନ୍ନାଥ ମନ୍ଦିରର।   ସ୍ଥଳଭାଗ ଛୁଇଁଲା ପରେ ଏହାର ଶକ୍ତି ହ୍ରାସ ପାଇଥିଲା। ଆଉ ବାତ୍ୟାରୁ ଏକ ଘୂଣ୍ଣିଝଡ଼ରେ ପରିଣତ ହୋଇଥିଲା। କିନ୍ତୁ ସେଇ ତିନି ମିନିଟ୍‌ ଭିତରେ ରାଜ୍ୟରେ ୪୧ଟି ଅମୂଲ୍ୟ ପ୍ରାଣ ଚାଲିଗଲା, ମୋବାଇଲ୍‌ ଫୋନ୍‌, ଯୋଗାଯୋଗ, ବିଜୁଳି ଭିତ୍ତିଭୂମି ନଷ୍ଟ ହୋଇଗଲା ଏବଂ ଦେଢ଼ଲକ୍ଷ ଚାଷ ଜମିରେ ଫସଲ ଉଡ଼ିଗଲା। ସେହି ତିନି ତାରିଖରେ ବାତ୍ୟା ଉତ୍ତର ଦିଗକୁ ଗତିକରି ପଶ୍ଚିମବଙ୍ଗ, ଉତ୍ତର ପୂର୍ବ ରାଜ୍ୟଦେଇ ୫ ତାରିଖରେ ଲୀନ ହୋଇଥିଲା।

ବିପର୍ଯ୍ୟସ୍ତ ପୁରୀ ସହରର ରାସ୍ତାଘାଟ

ପ୍ରଭାବ

ଫୋନିର ପ୍ରଭାବ ଏଯାଏ ଆକଳନ କରାଯାଇପାରି ନାହିଁ। କିନ୍ତୁ ପ୍ରାଥମିକ ରିପୋର୍ଟରୁ ଭାରତରେ ୪୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଂଲାଦେଶରେ ୧୭ଜଣଙ୍କ ମୃତ୍ୟୁ ଘଟିଛି। ଓଡ଼ିଶାରେ ମୃତ୍ୟୁ ସଂଖ୍ୟା ୪୧ ଥିବାବେଳେ ଉତ୍ତର ପ୍ରଦେଶରେ ମୃତ୍ୟୁ ସଂଖ୍ୟା ୮ ରହିଛି।

ରାଜ୍ୟର ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟ ଜିଲ୍ଲାଗୁଡ଼ିକ ଭିତରେ ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ରହିଛି। ବିଶେଷକରି ପୁରୀ, ଭୁବନେଶ୍ଵର ଓ ପୁରୀ ସହରର ଭିତ୍ତିଭୂମି ଖିନ୍‌ଭିନ୍‌ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଏସବୁ ଅଞ୍ଚଳରେ ପିଇବା ପାଣି ଯୋଗାଣ, ବିଦ୍ୟୁତ୍‌ ସେବା, ଚାଷ, ମୋବାଇଲ୍‌ ସେବା, ଇଣ୍ଟରନେଟ୍‌ ପ୍ରଭାବିତ ହୋଇଛି। ଏପରିକି ସାତ ଦିନ ବିତିଥିଲେ ମଧ୍ୟ ଏହାକୁ ସ୍ଵଭାବିକ କରିବାରେ ଅସଫଳ ହୋଇଛଇ ପ୍ରଶାସନ। ବିଭିନ୍ନ ରାଜ୍ୟରୁ ବିଜୁଳି କର୍ମଚାରୀଙ୍କୁ ଆଣି କାମରେ ଲଗାଇଥିଲେ ମଧ୍ୟ ଏ ଦିଗରେ ବିଶେଷ ଫଳ ମିଳିପାରି ନାହିଁ।

ପୁରୀ-ଭୁବନେଶ୍ଵର ରାସ୍ତା କଡ଼ର ପେଟେଆଲ୍‌ ପମ୍ପ

ଶ୍ରୀମନ୍ଦିର କ୍ଷତିଗ୍ରସ୍ତ

ପୁରୀ ଶ୍ରୀମନ୍ଦିରରେ ବ୍ୟାପକ କ୍ଷତି ହୋଇଛି। ଏଏସ୍‌ଆଇ ପକ୍ଷରୁ ବନ୍ଧାଯାଇଥିବା ପାଇପ୍‌ କଢ଼ା ନଯିବାରୁ ତାହା ପାର୍ଶ୍ବ ମନ୍ଦିର ଉପରେ ପଡ଼ିଛି। ଏହାଦ୍ଵାରା ସାକ୍ଷିଗୋପାଳ ଏବଂ କାଞ୍ଚି ଗଣେଶ ମନ୍ଦିର କ୍ଷତିଗ୍ରସ୍ତ ହୋଇଛି। ସେହିପରି ଏହି ପାଇପ୍‌ ଆଘାତରେ ମୁଖ୍ୟମନ୍ଦିରର ସିଂହ ମଧ୍ୟ କ୍ଷତି ହୋଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଏନେଇ ଏଏସ୍‌ଆଇକୁ ଅନୁଧ୍ୟାନ କରିବାକୁ ଆହ୍ବାନ ଦେଇଛନ୍ତି।

ସହାୟତା

ଭାରତ ସରକାର ଓଡ଼ିଶାରେ ଫୋନି କ୍ଷତିଭରଣା ଲାଗି ୧୩ଶହ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହାବାଦ୍‌ ଓଡ଼ିଶା ସରକାରଙ୍କ ରିଲିଫ୍‌ ପାଣ୍ଠିକୁ ବିଭିନ୍ନ ସଂସ୍ଥା ପକ୍ଷରୁ ସହାୟତା ଦିଆଯାଉଛି। ମୁଖ୍ୟମନ୍ତ୍ରୀ ଏନେଇ ନାଗରିକଙ୍କୁ ସହାୟତା ଦେବାକୁ ଅନୁରୋଧ କରିଛନ୍ତି।  ହିନ୍ଦି ସିନେମା ଅଭିନେତା, ଅଭିନେତ୍ରୀଙ୍କ ପକ୍ଷରୁ ସହା୍ରତା ସହ ଅନୁରୂପ ସହାୟତା ପାଇଁ ଅନୁରୋଧ କରାଯାଇଛି। ଦେଶର ପ୍ରତିଟି ସମ୍ବେଦନଶୀଳ ନାଗରିକ ଏହି ଉଦ୍ଧାର ଏବଂ ସ୍ଥିତି ସଜାଡ଼ିବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି।  

ଏ ବାତ୍ୟାକୁ ଏ ପିଢ଼ି କେବେ ଭୁଲି ପାରିବ ନାହିଁ। କିନ୍ତୁ ୧୯୯୯ ମହାବାତ୍ୟା ପରେ ଯେମିତି ଆମେ ମଣିଷ ଏବଂ ପ୍ରାଣୀଙ୍କ ଜୀବନ ବଞ୍ଚାଇବା ଦିଗରେ ସାଚତନ ହୋଇଛୁ ଏବଂ ଏହି ପଦକ୍ଷେପ ଗୁଡ଼ିକୁ ବ୍ୟବହାର କରି ବାତ୍ୟାକୁ ମୁକାବିଲା କରିପାରିଛୁ, ଠିକ୍‌ ସେହିଭଳି ଆମେ ସହରାଞ୍ଚଳ ଭିତ୍ତିଭୂମିକୁ ସାମୁଦ୍ରିକ ଝଡ଼ରୁ ରକ୍ଷା କରିବା ଶିଖିବୁ ନିଶ୍ଚୟ। ଏହାହୋଇପାରିଲେ ଆଗକୁ ଜଳବାୟୁ ପରିବର୍ତ୍ତନଜନିତ ବାତ୍ୟାକୁ ତ ଅଟକାଇପାରିବୁ ନାହିଁ କିନ୍ତୁ ହୁଏତ କ୍ଷୟକ୍ଷତିକୁ ନିୟନ୍ତ୍ରଣ କରିପାରିବୁ।

Leave a Reply

Your email address will not be published.