୧୯୯୯ ମହାବାତ୍ୟା ଭଳି ଭୟଙ୍କର, ଶକ୍ତିଶାଳୀ: ଅପେକ୍ଷା କରିଛି ସାରା ବିଶ୍ଵ

ବଳଶାଳୀ ହୋଇଚାଲିଛି ସାମୁଦ୍ରିକ ଘୂଣ୍ଣିଝଡ଼ ଫନି ବା ‘ଫୋନୀ’। ତିନିଦିନ ତଳେ ଯେଉଁ ଝଡ଼ ଓଡ଼ିଶା ଆସିବ ନାହିଁ ବୋଲି ଅନୁମାନ କରାଯାଉଥିଲା ତାହା ଏବେ ଓଡ଼ିଶାରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି କରିଛି। ପାଣିପାଗ ବିଭାଗ ତଥ୍ୟ ଅନୁସାରେ ସନ୍ଧ୍ୟା ସାଢ଼େ ପାଞ୍ଚଟା ସୁଦ୍ଧା ଫନି ପୁରୀଠାରୁ ୧୬୦ କିଲୋମିଟର ଦୂରରେ ରହିଛି। ଆଉ ଶୁକ୍ରବାର ସକାଳ ୮ଟାରୁୁ ୧୦ଟା ଭିତରେ ଏହା ସ୍ଥଳଭାଗ ଛୁଇଁପାରେ। ଦିନ ୧୨ଟା ଯାଏ ଏହି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିବ। ଯେଉଁ ସମୟ ଓଡ଼ିଶା ପାଇଁ ‘କାଳ’, ବିପର୍ଯ୍ୟୟର ସମୟ ବୋଲି ଆକଳନ କରାଯାଇଛି। ଖାଲି ଓଡ଼ିଶା କି ଭାରତର ବିଜ୍ଞାନୀ ନୁହେଁ ବିଶ୍ଵସାରା ସାମୁଦ୍ରିକ ଝଡ଼ ସମ୍ପର୍କରେ ଗବେଷଣା କରୁଥିବା ବିଜ୍ଞାନୀ ଏହା ଉପରେ ନଜର ରଖିଛନ୍ତି।

ଜାପାନ୍‌ ଦ୍ଵାରା ହିମାୱାରୀ ଉପଗ୍ରହରୁ ଉଠାଯାଇଥିବା ଫଟୋ ଚିତ୍ରରେ ଫୋନୀର ଚିତ୍ର ଆଗକୁ ଭୟ ଓ ଆତଙ୍କର ସୂଚନା ଦେଉଛି। ଯେଉଁ ରାଜ୍ୟରେ ବିଶ୍ଵର ୭ପ୍ରତିଶତ ଲୋକ ବା ପାଖାପାଖି ୫ କୋଟି ଲୋକ ବାସ କରୁଛନ୍ତି ସେଠାରେ ପ୍ରସ୍ତୁତି ସର୍ବୋତ୍ତମ ହେଉ ବୋଲି ଆଶା କରିଛନ୍ତି ବିଶ୍ଵର ବିଖ୍ୟାତ ପାଣିପାଗ ସଂସ୍ଥାମାନେ।

ବ୍ରିଟିଶ୍‌ ପାଣିପାଗ ସଂସ୍ଥା ପକ୍ଷରୁ ଏହି ସାମୁଦ୍ରିକ ଝଡ଼କୁ ୧୯୯୯ ମାହାବାତ୍ୟା ପର ସମୟରେ ଓଡ଼ିଶାର ସବୁଠାରୁ ବଡ଼ ବାତ୍ୟା ବୋଲି ଗ୍ରହଣ କରାଯାଉଛି। କ୍ଷଣକୁ କ୍ଷଣ ଶକ୍ତିଶାଳୀ ହୋଇଚାଲିଥିବା ଏହି ଫୋନୀ ଆଗକୁ ଓଡ଼ିଶାରେ ଅନେକ କ୍ଷୟକ୍ଷତି ଘଟାଇବାକୁ ଯାଉଛି ବୋଲି ବ୍ରିଟେନ୍‌ର ମେଟ୍‌ ଅଫିସ ଷ୍ଟର୍ମ ପକ୍ଷରୁ କୁହାଯାଇଛି।

ପାଣିପାଗ ବିଶେଷଜ୍ଞ ଏରିକ୍‌ ହୋଲ୍‌ଥା୍ସ୍ କହିଛନ୍ତି, ‘ଫନୀ’ ଶକ୍ତିଶାଳୀ ହୋଇଚାଲିଛି। ଏହି ଝଡ଼କୁ ବର୍ଗ-୪ ସାମୁଦ୍ରିକ ଝଡ଼ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଝଡ଼ ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଘଣ୍ଟାକୁ ୨୫୦ କିଲୋମିଟର ବୋଲଇ ଆକଳନ କରାଯାଉଛି। ୧୯୯୯ ମସିହାର ବାତ୍ୟାଠାରୁ ଏହା ୧୦ କିଲୋମିଟର କମ୍‌। ସେତେବେଳେ ବାତ୍ୟାର ବେଗ ଘଣ୍ଟାପ୍ରତି ୨୬୦ କିଲୋମିଟର ଥିଲା। ଅର୍ଥାତ୍‌ ଓଡ଼ିଶାର ସମୁଦ୍ର ଉପକୂଳ ଏକ ବିପର୍ଯ୍ୟୟକୁ ଅପେକ୍ଷା କରିଛି।

ଜଳବାୟୁ ବିଶେଷଜ୍ଞ ଡାନିଏଲ୍‌ ସ୍ଵାଇଁ ଫୋନୀକୁ ପରୀକ୍ଷାର ସମୟ ବୋଲି କହିଛନ୍ତିି। ସେ କହିଛନ୍ତି ଯୁକ୍ତ ରାଷ୍ଟ୍ର ଆମେରିକା ଅନୁଭବ କରିଥିବା ହରିକେନ୍‌ ବାତ୍ୟା ଭଳି ଏହି ବାତ୍ୟା ବିପଜ୍ଜନକ ହୋଇଛି। ସେହି ବାତ୍ୟା ସେତେବେଳେ ବର୍ଗ୪ ଓ ବର୍ଗ ୫ ମଧ୍ୟରେ ରହିଥିଲା। ଏବେ ବର୍ଗ-୪ ଅନ୍ତର୍ଭୁକ୍ତ ଏହି ବାତ୍ୟା ଅଧିକ ଶକ୍ତିଶାଳୀ ହୋଇପାରେ। ଏହାକୁ ମୁକାବିଲା କରିବା ପାଇଁ ଭାରତର ପ୍ରସ୍ତୁତି ଏବେ ଜଣାପଡ଼ିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published.