ପୁରୀ ବାଲୁଖଣ୍ଡରେ ଲ୍ୟାଣ୍ଡଫଲ କରିବ ଫନି
ଓଡ଼ିଶାକୁ ମାଡ଼ି ଆସୁଥିବା ସାମୁଦ୍ରିକ ଝଡ଼ ‘ଫନି’ ପୁରୀ ଜିଲ୍ଲାର ସାତପଡ଼ା ଓ ବାଲୁଖଣ୍ଡ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ। ୩ ତାରିଖ ଅପରାହ୍ଣରେ ଏହା ଲ୍ୟାଣ୍ଡଫଲ୍ ରିବା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଓ ଆମେରିକୀୟ ସଂସ୍ଥା ଜଏଣ୍ଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟରର ରିପୋର୍ଟ ଆଧାରରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ବିଷ୍ଣୁପଦ ସେଠୀ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଆଇଏମ୍ଡିର ଆକଳନ ଅନୁଯାୟୀ ‘ଫନି’ ସାତପଡ଼ା ପାଖାପାଖି ଲ୍ୟାଣ୍ଡଫଲ୍ କରିପାରେ। ତେବେ ଜଏଣ୍ଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟର ଅନୁଯାୟୀ ଏହା ବାଲୁଖଣ୍ଡରେ ସ୍ଥଳଭାଗ ଛୁଇଁବ। ଏଣୁ ଏହି ଦୁଇ ଜାଗା ମଧ୍ୟରେ କୌଣସି ସ୍ଥାନରେ ‘ଫନି’ ଲ୍ୟାଣ୍ଡଫଲ୍ କରିପାରେ। ତେବେ ପରବର୍ତ୍ତୀ ସମୟରେ ଏନେଇ ସଠିକ୍ ସୂଚନା ଦିଆଯିବ। ଆଇଏମ୍ଡି ବା ଅନ୍ୟ କୌଣସି ଉତ୍ସରୁ ତଥ୍ୟ ପାଇବା ପରେ ଏନେଇ ସୂଚନା ଦିଆଯିବ।
ଏସ୍ଆର୍ସି କହିଛନ୍ତି, ‘ଫନି’ ସ୍ଥଳଭାଗ ଛୁଇଁବା ପରେ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଦେଇ ପଶ୍ଚିମବଙ୍ଗକୁ ଗତି କରିବ। ଆଇଏମ୍ଡିର ସୂଚନା ଅନୁଯାୟୀ ଗତକାଲି ସକାଳୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ସତର୍କ କରି ଦିଆଯାଇଛି। ଏହା ସହିତ ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି,ବୌଦ୍ଧ, ନୟାଗଡ଼, ଅନୁଗୋଳ, ସୁନ୍ଦରଗଡ଼, ଢେଙ୍କାନାଳ, ଦେବଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାକୁ ବର୍ଷା ପାଇଁ ସତର୍କ ରହିବାକୁ କୁହାଯାଇଛି। କାରଣ ଏହି ସବୁ ଜିଲ୍ଲାଗୁଡ଼ିକର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
ଏସ୍ଆ କହିଛନ୍ତି, ଫୋନି ସ୍ଥଳଭାଗ ଛୁଇଁବା ପରେ ଉପକୂଳରେ ଯେଉଁ ସବୁ ଅଞ୍ଚଳ ବର୍ଷା ଓ ଝଡ଼ତୋଫାନ ଯୋଗୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି, ସେସବୁ ସ୍ଥାନର ତଳିଆ ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏ କାର୍ଯ୍ୟ ଶେଷ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ସ୍ଥାନୀୟ ସରପଞ୍ଚମାନଙ୍କ ତତ୍ତ୍ୱାବଧାନରେ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକ ପରିଚାଳିତ ହେବ। ପ୍ରତି ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ ପ୍ରାୟ ୧୦୦୦ ଲୋକ ରହିପାରିବେ। ସେମାନଙ୍କ ପାଇଁ ସମସ୍ତ ସୁବିଧା କରାଯିବ।
ସୂଚନାଯୋଗ୍ୟ, ଗତକାଲି ଜଏଣ୍ଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟର ପକ୍ଷରୁ କୁହାଯାଇଥିଲା ଯେ, ‘ଫନି’ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଉଦୟଗିରିରେ ଲ୍ୟାଣ୍ଡଫଲ୍ କରିବ। ଆଜି ସକାଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍ ଅନୁଯାୟୀ, ଏକ୍ସଟ୍ରିମ୍ଲୀ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇସାରିଥିବା ‘ଫନି’ ଘଣ୍ଟାକୁ ୧୦ କିମି ବେଗରେ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ଏହା ପୁରୀଠାରୁ ୬୮୦ ଓ ବିଶାଖାପାଟଣାଠୁ ୪୩୦ କିମି ଦୂରରେ ରହିଛି।
ଏହି ବୁଲେଟିନ୍ ଅନୁଯାୟୀ, ଆଗାମୀ ୧୨ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ତା ପରେ ଏହା ଉତ୍ତର-ଉତ୍ତରପୂର୍ବକୁ ବୁଲିବ ଏବଂ ୩ ତାରିଖ ଅପରାହ୍ନରେ ଏହା ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହି ସମୟରେ ଘଣ୍ଟାପ୍ରତି ୧୭୫ରୁ ୧୮୫ କିମି ବେଗରେ ପବନ ବହିବ। ପବନର ବେଗ ବଢ଼ି ଘଣ୍ଟାପ୍ରତି ୨୦୫ ବି ହୋଇପାରେ।