ପୁରୀରେ ସ୍ଥଳଭାଗ ଛୁଇଁଲା ‘ଫନି’
ପୁରୀ ସମେତ ଉପକୂଳ ଓଡ଼ିଶାରେ ପ୍ରବଳ କ୍ଷୟଯତି
ସନ୍ଧ୍ୟା ପର୍ଯ୍ୟନ୍ତ ଲାଗି ରହିବ ବର୍ଷା, ପବନ
ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଆଜି ଦିନ ୧୦ ଘଣ୍ଟା ସମୟରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁଛି ବା ଲାଣ୍ଡଫଲ କରିଛି । ଆଜି ସକାଳ ୮ଟା ସମୟରେ ଫନିର ଲାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଦିନ ପ୍ରାୟ ୧୦ଟା ସମୟରେ ଫନିର ଆଖି ସ୍ଥଳଭାଗ ଛୁଇଁଥିଲା । ଏହାଫଳରେ ଏବେ ଫନିର ଅଧିକାଂଶ ଅଂଶ ସ୍ଥଳଭାଗ ଭିତରେ ରହିଛି । ଲ୍ୟାଣ୍ଡଫଲ୍ ବେଳେ ଏଠାରେ ପବନର ବେଗ ଘଣ୍ଟାପ୍ରତି ୧୭୫ କିମି ରହିଛି। ଜୋରରେ ବର୍ଷା ମଧ୍ୟ ହେଉଛି। ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ଆର ବିଶ୍ୱାସଙ୍କ ସୂଚନା ଅନୁସାରେ ସାମୁଦ୍ରିକ ଝଡ଼ ଫନି ପାଖାପାଖି ୩ଘଣ୍ଟା ଧରି ତାଣ୍ଡବ ରଚିବ। ଏହି ସମୟ ମଧ୍ୟରେ କିଛି ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟର ମଧ୍ୟ ଅତିକ୍ରମ କରିଛି। ଏଭଳି ସ୍ଥିତି ଆହୁରି ୪/୫ ଘଣ୍ଟା ପର୍ଯ୍ୟନ୍ତ ରହିପାରେ।

ଫନି ପ୍ରଭାବରେ ପୁରୀରେ ଭାରି ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ରେ ବହୁ ଗଛ ଭାଙ୍ଗି ପଡ଼ିଥିବା ସୂଚନା ଆସିଛି। ପୁରୀ ସହରରେ ବି ଅନେକ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି। ପୁରୀରେ ସମୁଦ୍ର ପୂରା ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଉଚ୍ଚ ଜୁଆର ଆସୁଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ବେଳେ ବି ପୁରୀରେ ପବନର ବେଗ ଘଣ୍ଟାପ୍ରତି ୧୭୫ କିମି ଥିଲା। ତେଣୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ଆକଳନ ଠିକ୍ ରହିଛି। କାରଣ ଆଇଏମ୍ଡି ବାରମ୍ବାର କହିଥିଲା ଯେ ଫନି ଲ୍ୟାଣ୍ଡଫଲ୍ କଲା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିମି ରହିବ।
ଆଇଏମ୍ଡିର ଏଡିଜିଙ୍କ କହିବା ଅନୁଯାୟୀ, ଫନି ଲ୍ୟାଣ୍ଡଫଲ୍ କରିବାର ୪/୫ ଘଣ୍ଟା ଯାଏ, ଏହାର ବିଭୀଷିକା ଲାଗି ରହିବ। ବିଶେଷ କରି ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଅଧିକ ପ୍ରଭାବ ରହିବ। ସନ୍ଧ୍ୟା ଯାଏ ପ୍ରବଳ ବର୍ଷା ଓ ପବନ ଲାଗି ରହିବ। ଘଣ୍ଟା ପ୍ରତି ଶହେ କିମି ବେଗରେ ପବନ ବହିବ। ତେବେ ଆସନ୍ତାକାଲି ପବନ ସହ ବର୍ଷାର ପରିମାଣ ବି କମିଯିବ। ପୁରୀ ଭଳି ଗୋପାଳପୁରରେ ମଧ୍ୟ ଫୋନିର ପ୍ରଭାବ ଦେଖିବାକୁ ମିଳିଛି। ଏଠାରେ ପ୍ରବଳ ବର୍ଷା ଓ ପବନ ହୋଇଛି। ଶେଷ ଖବର ସୁଦ୍ଧା ଏଠାରେ ୧୬୦ ମିମି ବର୍ଷା ହୋଇଛି। ତା ସହିତ ପ୍ରବଳ ବର୍ଷା ମଧ୍ୟ ହୋଇଛି। ଫନି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ରାତିରୁ ବର୍ଷା ଓ ପବନ ଲାଗି ରହିଛି।