ପୁରୀ ଓ ରାଜଧାନୀରେ ଫନିର ତାଣ୍ଡବ
ସାମୁଦ୍ରିକ ଝଡ଼ ଫନିର ପଭ୍ରବାରେ ପୁରୀରେ ଘଣ୍ଟାପ୍ରତି ପବନ ୧୮୦ କିଲୋମିଟର ବେଗରେ ବୋହିଛି। ରାଜଧାନୀ ଭୁବନେଶ୍ୱରରେ ଘଣ୍ଟାପ୍ରତି ବେଗ ୧୭୦ କିଲୋମିଟରରେ ବୋହୁଥିବା ଜଣାପଡ଼ିଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଫନିର ତାଣ୍ଡବ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ। ଫଳରେ କୋଟି କୋଟି ଟଙ୍କାର ଧନଜୀବନ ନଷ୍ଟ ହୋଇଛି।

ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଫନି ତାଣ୍ଡବ ରଚାଇଛି। ପୁରୀ, ଭୁବନେଶ୍ୱର, ପାରଦୀପ, ଜଗତସିଂହପୁର, ଗଂଜାମ, ଗଜପତି ଜିଲ୍ଲାର ବିଭିନ୍ନ ଅଂଚଳରେ ଚାଳଛପର ଘର ଉଡାଇ ନେଇଥିବା ବେଳେ ରାଜରାସ୍ତା ଉପରେ ଶହ ଶହ ଗଛ ଉପୁଡି ଯାଇଛି।
ରାଜ୍ୟ ଅନ୍ୟ ସ୍ଥାନ ଗୁଡ଼ିକ ଭଳି ଭୁବନେଶ୍ୱରରେ ବି ବର୍ଷା ଲାଗିରହିଛି। ଆଉ ତଳିଆ ଅଞ୍ଚଳରେ ପାଣି ମଧ୍ୟ ପଶିଯାଇଛି। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲୋକ ଘରୁ ବାହାରକୁ ବାହାରିପାରୁ ନଥିବା ବେଳେ ରାସ୍ତାଘାଟ ଶୂନଶାନ ହୋଇଯାଇଛି।

ଫନି ପ୍ରଭାବରେ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହିତ ଚାଳ ଓ ଟିଣ ଛପର ଘର ଉଡ଼ି ଯାଇଛି। ପୁରୀ ସହରରେ ମଧ୍ୟ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ବି ଗଛ ଉପୁଡ଼ି ଯାଇଛି। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ରେ ବହୁ ଗଛ ଭାଙ୍ଗି ପଡ଼ିଥିବା ସୂଚନା ଆସିଛି। ପୁରୀ ସହରରେ ବି ଅନେକ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି। ଜିଲ୍ଲାର ବ୍ରହ୍ମଗିରିରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଛି। ପ୍ରବଳପବନ ଯୋଗୁ ଚାଳ ଘରଗୁଡ଼ିକର ଛପର ଉଡ଼ିଯାଇଛି। ଗଛ ମଧ୍ୟ ଉପୁଡ଼ି ରାସ୍ତାରେ ପଡ଼ିଛି। ଜିଲ୍ଲାର ପିପିଲିରେ ବି ପ୍ରବଳ ବର୍ଷା ସାଙ୍ଗକୁ ପବନ ହେଉଛି। ପବନରେ ଗଛଗୁଡ଼ିକ ରାସ୍ତାରେ ଭାଙ୍ଗିପଡ଼ିଛି।

ସେହିପରି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ମଧ୍ୟ ଫୋନିର ପ୍ରଭାବ ଦେଖିବାକୁ ମିଳିଛି। ଲୋକଙ୍କ ଘର ଛପର ଉଡ଼ିଯାଇଛି। ଗାଡ଼ି ଉପରେ ଗଛ ପଡ଼ିଯାଇଛି। ଦୋକାନର ହୋଡ଼ିଂ ମଧ୍ୟ ଉଡ଼ିଯାଇଛି।
ଜଗତସିଂହପୁରରେ ଅତି ପ୍ରବଳ ବର୍ଷା, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ
ଫନି ପ୍ରଭାବରେ ଜଗତସିଂହପୁରରେ ମଧ୍ୟ ଅତି ବେଗରେ ପବନ ବହିବାରେ ଲାଗିଛି । ରାସ୍ତା ଉପରେ ଥିବା ଅନେକ ବଡ ବଡ ଗଛ ଉପୁଡିବାରେ ଲାଗିଛି । କେବଳ ଯେ, ଗଛ ଉପୁଡି ପଡିଛି ତାହା ନୁହେଁ ବରଂ ରାସ୍ତା ପାଖରେ ଥିବା ଅନେକ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ତେବେ ପ୍ରବଳ ପବନ ହେଉଥିବା କାରଣରୁ ରାସ୍ତା କଡରେ ଥିବା ଅନେକ ଗଛ ଉପୁଡିପଡିଛି । କେବଳ ଗଛ ଉପୁଡିପଡିଛି ତାହା ନୁହେଁ ବିଦ୍ୟୁତ ବିଭାଗର ଅନେକ ଖୁଣ୍ଟ ମଧ୍ୟ ରାସ୍ତାରେ ପଡିଯାଇଛି । ବିଦ୍ୟୁତ ସରବରାହ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି । ପ୍ରବଳ ବର୍ଷା ହେଉଥିବା ବେଳେ ମଧ୍ୟ ରାସ୍ତାକୁ ସଫା କରିଯାଉଛି । ଯେପରି କୌଣସି ଲୋକଙ୍କୁ କ୍ଷତି ନପହଞ୍ଚେ ତାହାକୁ ନେଇ ସମୀକ୍ଷା ଚାଲିଛି । ତେବେ କହିବାକୁ ଗଲେ ଜଗତସିଂହପୁରରେ ମଧ୍ୟ ଫୋନିର ପ୍ରଭାବ ସିଧାସଳଖ ଭାବରେ ପଡିଛି ।