ରାଜଧାନୀରେ ଫନି ତାଣ୍ଡବ

ରହିଲାନି ଗୋଟିଏବି ଗଛ, ରାସ୍ତାଘାଟ ଜାମ୍

ରାଜଧାନୀରେ ଆଜି ସକାଳ ୮ଟାରୁ ଫନି ତାର ତାଣ୍ଡବଲୀଳାରେ ପ୍ରଥମେ ଦିନ ୧୧ଟା ପର୍ଯ୍ୟନ୍ତ କେବଳ ପବନ ଏବଂ ତା ପରେ ବର୍ଷା ସାଙ୍ଗକୁ ପ୍ରଚଣ୍ଡ ପବନ ରାଜଧାନୀର କାୟା କଳ୍ପ ବଦଳାଇ ଦେଇଛି। ଘଣ୍ଟାକୁ ୨୨୦ କିଲୋମିଟର ବେଗରେ ପବନ ରାଜଧାନୀକୁ ଦୀର୍ଘ ୪ଘଣ୍ଟା ଧରି ଥରହର କରିଛି। ସମଗ୍ର ଭୁବନେଶ୍ବରର ରାସ୍ତାରେ ଖାଲି ଗଛ, ଗଛ ଡାଳ, ହୋଡିଂ, ବିଦ୍ୟୁତ ଖୁଣ୍ଟ, ଆଜବେଷ୍ଟସ, ଟିଣରେ ଛାଇ ହୋଇ ରହିଛି। ଦିନ ୧୧ଟାବେଳେ ଆରମ୍ଭ ହୋଇଥିବା ପ୍ରଚଣ୍ଡ ପବନ ଓ ବର୍ଷା ଥମିବାର ନାଁ ହି ନେଉନାହିଁ।

ସମଗ୍ର ଭୁବନେଶ୍ବରର ବିଜୁଳି ଠପ୍ ହୋଇଯାଇଛି। କ୍ୟାପିଟାଲ ହସ୍ପିଟାଲ, ଏୟାରପୋର୍ଟ, ରେଲୱେ ଷ୍ଟେସନ ସମେତ ରସୁଲଗଡ, ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ଲକ୍ଷ୍ମୀସାଗର, ଜାଗମରା, କଳ୍ପନା, ପୋଖରୀପୁଟ ଆଦି ଅଞ୍ଚଳରେ ରାସ୍ତା ଜାମ ହୋଇ ରହିଛି।

ରାଜଧାନୀର ତଳିଆ ଅଞ୍ଚଳରେ ପାଣଇ ଭର୍ତ୍ତି ହୋଇଯିବା ଯୋଗୁଁ ପରିସ୍ଥିତି ଅଣାୟତ ହୋଇପଡିଛି। ବସ୍ତିବାସିନ୍ଦା ତ୍ରାହି ତ୍ରାହି ଡାକିଲେଣି। ଭୁବନେଶ୍ବରରେ ଫୋନି ଏଭଳି କରାଳ ରୂପ ଦେଖାଇବ ବୋଲି କଳ୍ପନା କରାଯାଇନଥିଲା। ରାଜଧାନୀର ପରିବହନ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଦୋକାନବଜାର ବନ୍ଦ ରହିଛି। ବର୍ଷା ଓ ପବନ ସାମାନ୍ୟ କମିବା ପରେ ଯାଇ ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗ ରାସ୍ତା ସଫା କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବେ।

୨୨୦ କିମି ବେଗରେ ମାଡ ହେଲା ପବନ, ସବୁ ଛାରଖାର

ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଗଞ୍ଜାମ, ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, ଢେଙ୍କାନାଳ, କଟକ ଆଦି ଜିଲ୍ଲାରେ ପ୍ରଳୟ ସୃଷ୍ଟି କରିଛି ଫନି। ପୁରୀରେ ୨୦୦କିମିରୁ ଅଧିକ ବେଗରେ ପବନ ବହିବା ଫଳରେ ବହୁ ଗଛ ଉପୁଡି ରାସ୍ତା ଉପରେ ପଡିଛି। ୨ ମିର୍ଟରୁ ଅଧିକ ଉଚ୍ଚର ଜୁଆର ଆସିବା ଫଳରେ ସମୁଦ୍ର ବତୀଘର ପର୍ଯ୍ୟନ୍ତ ମାଡି ଆସିଛି। ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ସହ ତାର ଛିଡି ରାସ୍ତା ଉପରେ ପଡିଛି। ବର୍ଷା ଓ ପବନର ତୀବ୍ରତା ଏତେ ରହିଛି ଯେ, ସବୁ ଛାରଖାର ହୋଇଯାଇଛି। ପୁରୀ ଭଳି ରାଜଧାନୀ ଭୁବନେଶ୍ବରର ପରିସ୍ଥିତି ଅତ୍ୟନ୍ତ ସ୍ବଚନୀୟ ହୋଇପଡିଛି। ରାଜଧାନୀରେ ଘଣ୍ଟାକୁ ୨୨୦ କିମି ବେଗରେ ପବନ ସହ ଭୀଷଣ ବର୍ଷା ପରିସ୍ଥିତିକୁ ଅଧିକ ସଂଗୀନ କରିଛି। ରାସ୍ତା କଡରେ ଥିବା ଅଧିକାଂଶ ଗଛ ଉପୁଡିପଡିଥିବାରୁ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ହୋର୍ଡିଂ, ବିଜୁଳୀ ଖୁଣ୍ଟ, ବିଜୁଳୀ ତାର ଛିଡି ରାସ୍ତାରେ ପଡିଛି। ଅନେକ କଚ୍ଚା ଗରର ଛପର ଉଡିଯାଇଛି। ସମାନ ପରିସ୍ଥିତି ଉପୁଜିଛି କଟକ ମହାନଗର ନିଗମ ଅଞ୍ଚଳରେ । ଖୋର୍ଦ୍ଧା ଓ ଏହାର ଆଖ ପାଖ ଅଞ୍ଚଲରେ ବ୍ୟାପକ କ୍ଷୟକ୍ଷତି ଘଟିଛି।

୨୦ ବର୍ଷ ପରେ ରାଜଧାନୀ ଦେଖିଲା ମହାବାତ୍ୟା ଫନି

ବିଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବାତ୍ୟା ହୋଇଛି। ବର୍ଷ ୨୦୧୩ରେ ଦକ୍ଷିଣ ଓଡ଼ିଶାରେ ବାତ୍ୟା ଫାଇଲିନ, ୨୦୧୪ରେ ହୁଡହୁଡ ଓ ୨୦୧୮ରେ ବାତ୍ୟା ତିତଲି ଦେଖିବାକୁ ମିଳିଛି। ମାତ୍ର ଏହି ୩ଟି ବନ୍ୟା ଦକ୍ଷିଣ ଓଡ଼ିଶାରେ ହୋଇଥିବା ବେଳେ ରାଜଧାନୀବାସୀ ବାତ୍ୟାଜନିତ ଘଟଣା ଓ ଦୁର୍ଘଟଣାକୁ ଟିଭି ଓ ସୋସିଆଲ ମିଡିଆ ମାଧ୍ୟମରେ ଦେଖିଛନ୍ତି। ମାତ୍ର ରାଜଧାନୀବାସୀ ବାତ୍ୟାକୁ ବିଗତ ୨୦ ବର୍ଷ ଭିତରେ ଶୁକ୍ରବାର ଭଳି ଦେଖିନାହାନ୍ତି। ଦୀର୍ଘ ୮ ଘଣ୍ଟା ଧରି ପବନ ବୋହିବା ପରେ ରାଜଧାନୀର କୋଟି କୋଟି ଟଙ୍କାର ସଂପତ୍ତି କ୍ଷତି କରିଛି। ବିଭିନ୍ନ ମାର୍କେଟରେ ଥିବା ଶହ ଶହ ବଜାର ଭାଙ୍ଗି ନଷ୍ଟ ହୋଇଯାଇଛି। ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ହଜାର ହଜାର ଲେକ ଚିନ୍ତାରେ ଅଛନ୍ତି। ଆଗାମୀ ଦିନେରେ ରାଜଧାନୀର ଲକ୍ଷ ଲକ୍ଷ ଲୋକ ବିନା ପାଣି ଓ ବିଦ୍ୟୁତରେ କେମିତି ବଂଚିବେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଜାତୀୟ ରାଜପଥ ଶୂନ ଶାନ, ଘରୁ ପଦାକୁ ବାହାରୁ ନାହାନ୍ତି ଲୋକ

ଫନି ପ୍ରଭାବରେ ପ୍ରବଳ ବର୍ଷା ହେଉଛି। ସକାଳୁ ହିଁ ବର୍ଷାର ପରିମାଣ ବଢିଥିବା ଦେଖାଯାଇଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ହେଉଥିବା କାରଣରୁ ରାସ୍ତା ଘାଟ ମଧ୍ୟ ଶୂନଶାନ ହୋଇପଡିଛି। କାଁ ଭାଁ ଗୋଟିଏ ଦୁଇଟି ଗାଡିକୁ ଛାଡି ଦେଲେ ପ୍ରାୟତଃ ଜାତୀୟ ରାଜପଥରେ ଗାଡି ଏତେ ପରିମାଣରେ ଚଳାଚଳ ମଧ୍ୟ କରୁନଥିବା ଦେଖାଯାଇଛି। 

Leave a Reply

Your email address will not be published.