ଫୋନିରେ କ୍ଷତି ଆକଳନ: ଦେଢ଼ ଲକ୍ଷ ହେକ୍ଟରରୁ ଅଧିକ ଚାଷଜମି କ୍ଷତିଗ୍ରସ୍ତ, ୧୪୫ କୋଟି ଟଙ୍କା ସହାୟତା ଦାବି


ଭୁବନେଶ୍ଵର, (ଓଟି): ପ୍ରଳୟଙ୍କରୀ ବାତ୍ୟା ଫୋନି ଦ୍ଵାରା ରାଜ୍ୟର ଉପକୂଳବର୍ତ୍ତୀ ଆର୍ଥିକ ଓ ଭିତ୍ତିଭୂମି ମେରୁଦଣ୍ଡ କ୍ଷତିଗ୍ରସ୍ତ ହୋଇଛି। ଚାଷ ବାବଦ କ୍ଷୟକ୍ଷତି ଆକଳନ ଶେଷ ହୋଇ ନଥିଲେ ମଧ୍ୟ ପ୍ରାଥମିକ ଆକଳନ ଅନୁସାରେ ପାଖାପାଖି ଦେଢ଼ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ଏହାବାଦ୍‌ ଉଦ୍ୟାନ କୃଷି ଯଥେଷ୍ଟ ପଭାବିତ ହୋଇଛି। ଏ ବାବଦ କ୍ଷୟକ୍ଷତି ଭରଣା ପାଇଁ କୃଷି ବିଭାଗ ୧୪୫ କୋଟି ୪୫ ଲକ୍ଷ ଟଙ୍କା ପ୍ରାଥମିକ ଭାବେ ଦାବି କରିଛନ୍ତି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମିଳିତ ଭାବେ ବିଭିନ୍ନ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ପୁଂଖାନୁପୁଂଖ ଯୁଗ୍ମ ଆକଳନ କରୁଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି।

କ୍ଷୟକ୍ଷତି ସୂଚନା ଅନୁସାରେ, ରାଜ୍ୟର ବାତ୍ୟା ପ୍ରଭାବିତ ୧୪ଟି ଜିଲ୍ଲାର ୮୮ଟି ବ୍ଲକ୍‌ରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ ସମୁଦାୟ ୧,୫୨,୯୮୫ ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବାବେଳେ ସେଥିରୁ ୧,୨୧,୯୬୧ ହେକ୍ଟର ଚାଷଜମିରେ ୩୩ ପ୍ରତିଶତରୁ ଅଧିକ ଶସ୍ୟହାନି ଘଟିଛି । ସେଥି ମଧ୍ୟରୁ ୩୬,୮୯୮ ଜଳସେଚିତ ଏବଂ ୭୨,୭୮୬ ହେକ୍ଟର ଜମି ବର୍ଷାଜଳ ଉପରେ ନିର୍ଭରଶୀଳ ।

ସେହିପରି ୧୨,୨୭୭ ହେକ୍ଟର ଜମିରେ କରାଯାଇଥିବା ଉଦ୍ୟାନକୃଷି ଯଥା: ନଡ଼ିଆ, ଆମ୍ବ, କଦଳୀ, ପାନ, କାଜୁ ଓ ଅନ୍ୟାନ୍ୟ ଫଳ ଆଦି ଫସଲ ନଷ୍ଟ ହୋଇଛି । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଫସଲ ନିମନ୍ତେ ୧୪୫.୪୫ କୋଟି ଟଙ୍କାର ସହାୟତା ରାଶି ଆବଶ୍ୟକ ରହିଥିବାର ପ୍ରାଥମିକ ଆକଳନ କରାଯାଇଛି ।

Leave a Reply

Your email address will not be published. Required fields are marked *