ଫୋନିକୁ ପୁରିଲା ମାସେ: ବହୁ ଜାଗାରେ ଆସିନି ବିଜୁଳି

ମଇ ୩ ତାରିଖରେ ଫୋନି ମହାବାତ୍ୟା ପୁରୀ, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ ବିପୁଳ କ୍ଷତି ଘଟାଇଥିଲା। ଆଜି ମହାବାତ୍ୟାକୁ ପୁରିଛି ମାସେ। ଫୋନି ଯୋଗୁ ମୃତ୍ୟୁ ସଂଖ୍ୟା ୮୦ ଟପିଥିଲା। ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ବହୁ ମାଟିଘର ଭାଙ୍ଗି ଯାଇଥିଲା। ସବୁଠୁ ବେଶୀ କ୍ଷତି ହୋଇଥିଲା ବିଜୁଳି ଓ ଯୋଗାଯୋଗ ବ୍ୟବସ୍ଥାରେ। ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର ବହୁ ବିଜୁଳି ଖୁଣ୍ଟି ଉପୁଡି ପଡିଥିଲା। ହଜାର ହଜାର ସଂଖ୍ୟାରେ ଗଛ ଭାଙ୍ଗି ଯାଇଥିଲା। ସବୁପ୍ରକାର ପ୍ରସ୍ତୁତି ସତ୍ତ୍ୱେ ବ୍ୟାପକ କ୍ଷତି ଘଟାଇ ଚାଲିଯାଇଥିଲା ଫୋନି। ମାସେ ଚାଲିଯିବା ପରେ ମଧ୍ୟ ପୁରୀ ଜିଲ୍ଲାର ବହୁ ସ୍ଥାନରେ ବିଜୁଳି ସେବା ସ୍ୱାଭାବିକ ହୋଇପାରିନାହିଁ। ଆସନ୍ତା ମାସେ ଭିତରେ ଏହା ହୋଇପାରିବ କି ନାହିଁ ସନ୍ଦେହ ଅଛି। ଏଣେ ଯେଉଁ ଅଞ୍ଚଳକୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି ସେଠାରେ ମଧ୍ୟ ନିୟମିତ ବିଦ୍ୟୁତ କାଟ ସ୍ଥିତିକୁ ଅସମ୍ଭାଳ କରିଦେଇଛି।

କେତେକ ଉଦାହରଣ ଏଠାରେ ଦିଆଯାଇପାରେ। ପୁରୀ ଅଠରନଳା ନିକଟ ଗୋପିନାଥପୁରରେ ଆଜି ପର୍ଯ୍ୟନ୍ତ ଲାଇନ ଆସିନାହିଁ। କେବଳ ବଡ଼ଦାଣ୍ଡ ଏବଂ ସଂଲଗ୍ନ ଅଞ୍ଚଳକୁ ଲାଇନ ଯୋଗାଇ ଦେଇ ସରକାର ନିଜ ପିଠି ଥାପୁଡାଉଛନ୍ତି।

କିନ୍ତୁ ପୁରୀ ସହରର ନୀଳଚକ୍ର ନଗର, ମୈତ୍ରୀ ବିହାର, ଧୋବା ସାହି ଏବେ ବି ଅଛି ଅନ୍ଧାରରେ। ପୁରୀ ନିକଟବର୍ତ୍ତୀ ବୀରହରେକୃଷ୍ଣପୁରକୁ ମଧ୍ୟ ସରକାର ବିଜୁଳି ଯୋଗାଇ ଦେଇପାରିନାହାନ୍ତି। ସାକ୍ଷୀଗୋପାଳ ଏବଂ ସାତଶଙ୍ଖ ପାଖାପାଖି ଗାଁ ଅବସ୍ଥା ସାଙ୍ଘାତିକ। ରାତି ଅନ୍ଧାରରେ କଟୁଛି ଲୋକଙ୍କର। ପୁରୀ ଶାସନଗୁଡ଼ିକର ସବୁଠାରୁ ବଡ଼ ପର୍ବ ହେଉଛି ଶୀତଳ ଷଷ୍ଠୀ। ଶିବ ପାର୍ବତୀ ବିବାହ ପାଇଁ ଆୟୋଜିତ ଏହି ପର୍ବ ସକାଶେ ବିଭିନ୍ନ ଆଡୁ ବନ୍ଧୁବାନ୍ଧବ ପହଞ୍ଚିଥାନ୍ତି ପୁରୀ ଶାସନଗୁଡ଼ିକରେ। କିନ୍ତୁ ଗାଁଗଣ୍ଡାଗୁଡ଼ିକ ଅନ୍ଧାରରେ ଥିବାରୁ ଏଥର ଏହି ଅତିଥିଙ୍କ ସଂଖ୍ୟା ପ୍ରାୟ ନାଁକୁ ବରାବର।

ଏବେ ମୌସୁମୀର ପଦଧ୍ୱନି ଶୁଣାଗଲାଣି। ଆସନ୍ତା ୧୪-୧୫ ତାରିଖରେ ଓଡ଼ିଶା ପ୍ରବେଶ କରିବ ମୌସୁମୀ ବାୟୁ। ଆସିଯିବ ବର୍ଷାଋତୁ। ଏଣେ ବିଜୁଳି ବ୍ୟବସ୍ଥାକୁ ସଜାଡିପାରିଲେ ନାହିଁ ସରକାର। ସରକାରଙ୍କୁ ସାହାଯ୍ୟ ସହଯୋଗ କରିବା ନିମନ୍ତେ ବିଭିନ୍ନ ରାଜ୍ୟରୁ ଶ୍ରମିକ ମଗାଯାଇଥିଲା। କିନ୍ତୁ ସେମାନଙ୍କୁ କାମ ଯୋଗାଇ ଦିଆଗଲାନାହିଁ। ବିଭିନ୍ନ ସାଜସରଞ୍ଜାମ ବ୍ୟବସ୍ଥା ମଧ୍ୟ କରାଗଲାନାହିଁ। ବସି ବସି ଶେଷରେ ସେମାନେ ଫେରିଗଲେ।

ଯେହେତୁ ପ୍ରାକୃତିକ ବିପର୍ଯ୍ୟୟ ଲାଗି ଆସୁଥିବା ଅନୁଦାନର ଅଡିଟ ହୁଏନାହିଁ, ସେଥିପାଇଁ ରାଜ୍ୟ ସରକାରଙ୍କର ଅଧିକାରୀ ଏବଂ ନେତାମାନେ ଏହି ଅର୍ଥ ଆତ୍ମସାତ କରିବା ପାଇଁ ଲାଗିପଡିଥିବା କାରଣରୁ ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ସାରୁନାହାଁନ୍ତି। ଯେତେ ଅଧିକ ଦିନ ଗଡ଼ିବ, ସେତେ ଅଧିକ ଅର୍ଥ ଆତ୍ମସାତ କରିହେବ। ଏହି ନୀତି କାରଣରୁ ବହୁ ଗାଁକୁ ବିଜୁଳି ସେବା ଯୋଗାଇ ଦିଆଯିବାରେ ବିଳମ୍ୱ କରାଯାଉଛି ବୋଲି ଆଶଙ୍କା ପ୍ରକାଶ ପାଇଛି।

Leave a Reply

Your email address will not be published.