ବାତ୍ୟାରେ ଭାଙ୍ଗିରୁଜି ଯାଇଥିବା ଘର ମରାମତି କେବେ?

ଆସନ୍ତା ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ମୌସୁମୀବାୟୁ ଓଡିଶାରେ ପ୍ରବେଶ କରିବାର ସୂଚନା ମିଳୁଥିବାବେଳେ ଏହା ପୂର୍ବରୁ ବାତ୍ୟାରେ ଭାଙ୍ଗିରୁଜି ଯାଇଥିବା ସରକାରୀ କୋଠାବାଡି ବିଶେଷକରି ସରକାରୀ କ୍ୱାର୍ଟର୍ସଗୁଡିକର ମରାମତି ଜରୁରୀ ହୋଇପଡିଛି। ଏଥିରେ ବିଳମ୍ବ ହେଲେ ବସବାସ କରୁଥିବା ଲୋକେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବେ।

ଗତ ତିନି ତାରିଖରେ ଆସିଥିବା ବାତ୍ୟା ମାଡରେ ବହୁ ସରକାରୀ କ୍ୱାଟର୍ସ ଭାଙ୍ଗିରୁଜି ଯାଇଛି। ଗଛ ପଡି କାହାର ପାଚୋରୀ ଭାଙ୍ଗିଛି ତ ଆଉ କାହାର ଆଜବେଷ୍ଟସ ଉଡିଯାଇଛି। ଅନେକ ସ୍ଥାନରେ ଆଜବେଷ୍ଟସ ଛାତ ଥିବା ଘରେ ସାମାନ୍ୟ ବର୍ଷାରେ ପାଣି ପଶିବାରେ ଲାଗିଛି। ଏଥିପାଇଁ ବହୁ ସ୍ଥାନରେ ସରକାରୀ ଘର ଉପରେ ଜରିପାଲ ଘୋଡା ହୋଇଥିବା ଦେଖିବାକୁ ମିଳୁଛି। ଏବେ ବି କେତେକ କର୍ମଚାରୀଙ୍କ ଘର ବାଡିରେ ଉପୁଡା ଗଛ ପଡିରହିଛି । ପାଚେରୀ, ଫାଟକ ଭାଙ୍ଗିରୁଜି ଯାଇଥିବାରୁ ଅନେକ ଲୋକଙ୍କ ଘର ଏବେ ମୁକୁଳା।

ବାତ୍ୟା ପରେ ପରେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାଘାଟ ଗୁଡିକୁ ଯୁଦ୍ଧକାଳୀନ ଭିତିରେ ସଫା କରାଯାଇଥିବାବେଳେ କେତେକ ସ୍ଥାନରେ ବଡ ବଡ କ୍ୱାଟର୍ସରେ ଭଙ୍ଗା ପାଚେରୀ ଚାରିପଟେ ନୀଳ କପଡା ଘେରା ଯାଇଛି। ହେଲେ ଛୋଟ କ୍ୱାଟର୍ସ ଗୁଡିକର ଭଙ୍ଗା ପାଚେରୀ ଓ ଘର ପ୍ରତି ଏବେ ବି ଦୃଷ୍ଟି ଦିଆଯାଇ ନାହିଁ।

ମିଳିଥିବା ସୂଚନା ଅନୁଯାୟୀ କର୍ମଚାରୀ ଅଭାବ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ସରକାରୀ କ୍ୱାର୍ଟର୍ସର ଆକଳନ କରିବା ପୂର୍ତ୍ତ ବିଭାଗ ପାଇଁ ସହଜ ବ୍ୟାପାର ନୁହେଁ। ତେଣୁ ଠିକାଦାରମାନଙ୍କ ସହାୟତାରେ ଆକଳନ କରି ତୁରନ୍ତ ତାହାର ମରାମତି ଲାଗି ଯୋଜନା ହୋଇଛି। ଏଥିାପାଇଁ ବିଭାଗ ପକ୍ଷରୁ ସରକାରଙ୍କୁ ପ୍ରାରମ୍ଭିକ ଆକଳନ ଅନୁଯାୟୀ ଅର୍ଥ ମଗାଯାଇଛି।

ହେଲେ ରାଜଧାନୀର ବିଭିନ୍ନ ୟୁନିଟ୍‍ରେ ଏବେ ବି ସରକାରୀ କ୍ୱାର୍ଟର୍ସର କ୍ଷୟକ୍ଷତି ଆକଳନ କରିବା ପାଇଁ ଯନ୍ତ୍ରୀ କିମ୍ବା ଠିକାଦାର କାହାରି ଦେଖା ଦର୍ଶନ ନାହିଁ। ଲୋକେ ଅଭିଯୋଗ କଲେ ଅଳିଆ ଉଠାଇବା କାର୍ଯ୍ୟ ଆଗ ବୋଲି କୁହାଯାଉଛି। ଆଗକୁ କାଳବୈଶାଖୀ ସହିତ ପ୍ରାକ ମୌସୁମୀ ବର୍ଷା ହେବାକୁ ଯାଉଛି। ତେଣୁ ଯେତେଶୀଘ୍ର ସମ୍ଭବ ଭାଙ୍ଗିରୁଜି ଯାଇଥିବା ଘର ଗୁଡିକୁ ମରାମତି କରିବାପାଇଁ ମତପ୍ରକାଶ ପାଉଛି । ନହେଲେ କ୍ଷୟକ୍ଷତିର ପରିମାଣ ବର୍ଷାରେ ଆହୁରି ବଢିଯିବ।

ଅନ୍ୟପକ୍ଷରେ ପୂର୍ତ୍ତ ବିଭାଗର ଅବହେଳାରୁ ବହୁ ସ୍ଥାନରେ ଭାଙ୍ଗି ଯାଇଥିବା ପାଚେରୀର ଇଟା ଓ ଖସି ପଡିଥିବା ଆଜବେଷ୍ଟସ ଗୁଡିକ ଚୋରି ହେବାରେ ଲାଗିଛି। ଭଙ୍ଗା ପାଚେରୀର ଇଟାରେ ରାତାରାତି ଜବରଦଖଲ ଘର ତିଆରି ହେଉଥିବାବେଳେ ଆଜବେଷ୍ଟସ ଓ ଅନ୍ୟାନ୍ୟ ଚୋରିସାମଗ୍ରୀ ବି ଏଥିରେ ବ୍ୟବହୃତ ହେଉଛି। ତେଣୁ ପୂର୍ତ୍ତ ବିଭାଗ ମୌସୁମୀ ଆସିବା ପୂର୍ବରୁ ତୁରନ୍ତ ଭାଙ୍ଗିରୁଜି ଯାଇଥିବା କୋଠାବାଡିର ମରାମତି ପାଇଁ ଦାବି ହେଉଛି।

Leave a Reply

Your email address will not be published. Required fields are marked *