ପୁରୀରୁ ୫୧୦ କିମି ଦୂରରେ ରହିଛି ଫନି
ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଓଡ଼ିଶା ମୁହାଁ ହେଉଛି ଫନି
ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ, ୟଲୋ ଓ ରେଡ୍ ୱାର୍ଣ୍ଣିଂ ଜାରି
ଅତି ପ୍ରବଳ ବାତ୍ୟାର ରୂପ ନେଇ ପାଖେଇ ଆସୁଛି ସାମୁଦ୍ରିକ ଝଡ଼ ଫନି। ପୁରୀଠାରୁ ଏହା ୫୧୦ କିଲୋମିଟର ଦୂରରେ ରହିଥିବା ବେଳେ ବିଶାଖାପଟନମ୍ ଠାରୁ ୨୬୦ କିଲୋମିଟର ଦୂରରେ ରହିଛି। ଆସନ୍ତାକାଲି ଅପରାହ୍ଣ ୫ଟାରେ ଏହା ପୁରୀ ପାଖାପାଖି କୌଣସି ଏକ ସ୍ଥାନରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୭୦ ରୁ ୧୮୦ କିଲୋମିଟର ରହିପାରେ। କେତେକ ସ୍ଥାନରେ ଘଣ୍ଟାପ୍ରତି ୨୦୦ କିମି ବେଗରେ ପବନ ବହିପାରେ।
ଭୟଙ୍କର ସାମୁଦ୍ରିକ ବାତ୍ୟା ଫନି ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବୋଲି ଭାରତୀୟ ପାଣିପାଗ ସଂସ୍ଥାନ ସୂଚନା ଦେଇଛି। ୩ ତାରିଖ ଅପରାହ୍ଣରେ ଗୋପାଳପୁର ଏବଂ ଚାନ୍ଦବାଲି ମଧ୍ୟରେ ଫନି ସ୍ଥଳଭାଗକୁ ଆସିବାର ସମ୍ଭାବନା ରହିଛି। ଫନି ପ୍ରଭାବ ଯୋଗୁଁ ସମୁଦ୍ରରେ ପ୍ରାୟ ଦେଢ଼ ମିଟର ଉଚ୍ଚ ଜୁଆର ଉଠିବ।
ଫନି ମାଡ଼ି ଆସୁଥିବା ନେଇ ଡପ୍ଲର୍ ୱେଦର ରାଡାର୍ରେ ମଧ୍ୟ ସ୍ପଷ୍ଟ ହୋଇଛି। ଚେନ୍ନାଇ, ବିଶାଖାପଟନମ୍ ଓ ମଛଲିପଟନମ୍ ସ୍ଥିତ ଡପ୍ଲର୍ ୱେଦର୍ ରାଡାରରୁ ଏହା ସ୍ପଷ୍ଟ ହୋଇଛି। ଫନି ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ, ୟଲୋ ଓ ରେଡ୍ ଆଲର୍ଟ ଜାରି କରାଯାଇଛି।
ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାପାଇଁ ଆଜିଠାରୁ ଆସନ୍ତାକାଲି ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅର୍ଥାତ୍ ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ୩ରୁ ୪ ତାରିଖ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ,କେନ୍ଦ୍ରାପଡ଼ା,ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଅର୍ଥାତ୍ ଏହି ସବୁ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
୩ରୁ ୪ ତାରିଖ ମଧ୍ୟରେ ବୌଦ୍ଧ, କନ୍ଧମାଳ, ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲା ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅର୍ଥାତ୍ ଏହି ସବୁ ସ୍ଥାନରେ ବର୍ଷା ହୋଇପାରେ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ।