ରାଜ୍ୟ କଂଗ୍ରେସରେ ପରିବାରବାଦ ଅଧିକ
- ୨ୟ ନମ୍ୱରରେ ବିଜେଡି ଓ ୩ୟରେ ବିଜେପି
ଭାରତରେ ପରିବାରବାଦ ରାଜନୀତିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପୂର୍ବ ନିର୍ବାଚନ ତୁଳନାରେ ଏଥର ନିର୍ବାଚନରେ ପରିବାର ସଦସ୍ୟ ବା ରାଜନୈତିକ ଉତ୍ତରାଧିକାରୀଙ୍କ ସଂଖ୍ୟା ଅଧିକ ବୋଲି କୁହାଯାଉଛି । ଓଡ଼ିଶା ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚାକୁ ଆସିଛି । ଓଡ଼ିଶାରେ ଅନ୍ୟ ଦଳ ତୁଳନାରେ କଂଗ୍ରେସ ରାଜନୈତିକ ଉତ୍ତରାଧିକାରୀ ଦୌଡ଼ରେ ଆଗୁଆ ରହିଥିବା ପରିସଂଖ୍ୟାନରୁ ଜଣାପଡ଼ିଛି ।

ଓଡ଼ିଶାର ଏକାଧିକ ସ୍ଥାନରେ ବାପ-ପୁଅ, ଭାଇ-ଭଉଣୀ ଓ ପତି-ପତ୍ନୀ ଯୋଡ଼ି ନିର୍ବାଚନ ଲଢୁଥିବା ଦେଖାଯାଇଛି । ଏହି ହିସାବରେ ଦେଖିବାକୁ ଗଲେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ, ବଲାଙ୍ଗୀର ଜିଲ୍ଲାରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର, କଳାହାଣ୍ଡି ଜିଲ୍ଲାରୁ କଂଗ୍ରେସର ବରିଷ୍ଠ ନେତା ଭକ୍ତଚରଣ ଦାସ ଓ ତାଙ୍କ ପୁଅ ସାଗର ଦାସ, ସୁନ୍ଦରଗଡ଼ ଜିଲ୍ଲା ଜର୍ଜ ତିର୍କୀ ଓ ତାଙ୍କ ପୁଅ ରୋହିତ ତିର୍କୀ, ଭଦ୍ରକରୁ ଅନନ୍ତ ସେଠୀ ଓ ତାଙ୍କ ଝିଅ ମଧୁସ୍ମିତା ସେଠୀ ନିର୍ବାଚନ ଲଢୁଛନ୍ତି ।

ଅନପକ୍ଷରେ ବିଜେଡିରେ ନବରଙ୍ଗପୁରରୁ ରମେଶ ମାଝୀଙ୍କ ଭାଇ ପ୍ରକାଶ ମାଝୀ, ବଲାଙ୍ଗୀରରୁ କଳିକେଶ ସିଂହଦେଓ ଓ ତାଙ୍କ ଭାଇ ଅର୍କେଶ ସିଂଦେଓ ନିର୍ବାଚନ ଲଢୁଛନ୍ତି ।

ବିଜେପିରୁ କନକବର୍ନ୍ଧନ ସିଂହଦେଓ ଓ ତାଙ୍କ ପତ୍ନୀ ସଂଗୀତା ସିଂହଦେଓ ଏବଂ ଜଗତସିଂହପୁରରୁ ଦାମୋଦର ରାଉତ ବିଜେପିରୁ ଓ ତାଙ୍କ ପୁଅ ସମ୍ବିତ ବିଜେଡିରୁ ନିର୍ବାଚନ ଲଢୁଛନ୍ତି ।