ମହିଳାଙ୍କୁ ଡିଜିଟାଲ୍ ସାକ୍ଷର କରାଇବ ଫେସ୍ବୁକ୍
ନୂଆଦିଲ୍ଲୀ(ଓଟି): ପ୍ରମୁଖ ସୋସିଆଲ୍ ମିଡିଆ ସାଇଟ୍ ଫେସ୍ବୁକ୍ ନୂଆ ଉଦ୍ୟମ ଆରମ୍ଭ କରିଛି। ମହିଳାମାନଙ୍କ ମଧ୍ୟରେ ଡିଜିଟାଲ୍ ସାକ୍ଷରତାର ବିସ୍ତାର କରିବା ଲାଗି ଉତ୍ତରପ୍ରଦେଶରେ ୱି ଥିଙ୍କ୍ ଡିଜିଟାଲ୍ ନାମକ ଏକ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି। ରାଷ୍ଟ୍ରୀୟ ମହିଳା ଆୟୋଗ (ଏନ୍ସିଡବ୍ଲ୍ୟୁ) ଏବଂ ସାଇବର ପିସ୍ ଫାଉଣ୍ଡେସନ୍ ସହଯୋଗରେ ଫେସ୍ବୁକ୍ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଲାଗି ଲକ୍ଷ୍ୟ ରଖିଛି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ୭ଟି ରାଜ୍ୟରେ ୧ ଲକ୍ଷ ମହିଳାଙ୍କୁ ଡିଜିଟାଲ୍ ସାକ୍ଷରତା ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯିବ। ଉତ୍ତରପ୍ରଦେଶରୁ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବାକୁ ଥିବାବେଳେ ଆସାମ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ, ବିହାର ଆଦି ରାଜ୍ୟରେ କାର୍ଯ୍ୟକ୍ରମର ବିସ୍ତାର କରାଯିବ। ସୂଚନାଯୋଗ୍ୟ ଯେ ଗତବର୍ଷ ଫେସ୍ବୁକୁ ତରଫରୁ ଦକ୍ଷିଣ ଏସିଆ ସୁରକ୍ଷା ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରାଯାଇଥିଲା। ସେହିପରି ୨୦୧୯ ମାର୍ଚ୍ଚରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିଲା।