ଅମ୍ପନ: ସ୍ଥାନାନ୍ତର ହେଉଛନ୍ତି ଲୋକେ, ତଦାରଖ କଲେ ଡିଆଇଜି ଆଶୀଷ ସିଂହ
କେନ୍ଦ୍ରାପଡ଼ା, (ଓଡ଼ିଶା ଟାଇମ୍):ବାତ୍ୟା ଆମ୍ଫନ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନାକୁ ନଜରରେ ରଖାଯାଇ କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳ ଅଂଚଳ ରାଜନଗର ଓ ମହାକଳପଡ଼ା ବ୍ଲକ ଅଂଚଳରେ ସମୁଦ୍ର ଉପକୂଳ ଅଂଚଳରୁ ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ମଙ୍ଗଳବା ସନ୍ଧ୍ୟା ସୁଦ୍ଧା ଜିଲ୍ଲାର ସମୁଦ୍ର କୂଳିଆ ଅଂଚଳରୁ ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ବାତ୍ୟା ଆଶ୍ରୟ ସ୍ଥଳଗୁଡ଼ିକରେ ରଖାଯାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ବିଭିନ୍ନ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳ ଅଂଚଳ ବିଶେଷ ଭାବେ ପ୍ରଭାବିତ ହେବା ସହ ଧନଜୀବନ କ୍ଷୟକ୍ଷତି ହେଉଥିବାରୁ ଆମ୍ଫାନ ଜିଲ୍ଲାରେ କ୍ଷୟକ୍ଷତି କରିବା ପୂର୍ବରୁ ଉପକୂଳ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବା ଆରମ୍ଭ କରାଯାଇଛି । କେନ୍ଦ୍ରାଂଚଳ ଡିଆଇଜି ଆଶୀଷ ସିଂହ ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲାରେ ପହଂଚି ଉପକୂଳା ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ତଦାରଖ କରିଛନ୍ତି ।
ଡିଆଇଜି ସିଂହ ଓ କେନ୍ଦ୍ରାପଡ଼ା ଏସପି ନିତୀ ଶେଖର ରାଜନଗର ବ୍ଲକର ସମୁଦ୍ର ଉପକୂଳ ପଂଚାୟତ ତାଳଚୁଆ ଓ ବାଘମାରୀ ପଂଚାୟତର ବଭିନ୍ନ ଗାଁକୁ ଯାଇ ଲୋକଙ୍କ ଅବସ୍ଥା ଦେଖିବା ସହ ସ୍ଥାନାନ୍ତର ପ୍ରକ୍ରିୟା ତଦାରଖ କରିଛନ୍ତି । ଡିଆଇଜି ସିଂ ଓ ଏସପି ନିତୀ ଶେଖରଙ୍କ ସହ ଅନ୍ୟ ପୁଲିସ କର୍ମଚାରୀମାନେ ଉପକୂଳ ଗ୍ରାମମାନଙ୍କରେ ପହଂଚି ସ୍ଥାନୀୟ ବାସିନ୍ଦାଙ୍କୁ ବୁଝାସୁଝା କରି ନିଜ ଗ୍ରାମ ଓ ଘଗଘରୁ ନେଇ ନିକଟସ୍ଥ ବାତ୍ୟା ଆଶ୍ରୟ ସ୍ଥଳ ଓ ବିଭିନ୍ନ୍ ସ୍କୁଲ ଗୃହରେ ରଖିବାର ବ୍ୟବସ୍ଥା କରିଛନ୍ତି । ସୂଚନା ଯୋଗ୍ୟ ଯେ, ରାଜନଗର ବ୍ଲକ ଅଂଚଳ ସମୁଦ୍ର ଉପକୂୂଳ ଅଂଚଳ ହୋଇଥିବାରୁ ଯେକୌଣସି ବାତ୍ୟା ସମୟରେ ଏହି ଅଂଚଳ ପ୍ରଭାବିତ ହେବା ସହ ଜୀବନହାନୀ ମଧ୍ୟ ଘଟିଥାଏ । ସମୁଦ୍ର ଉପକୂଳ ଅଂଚଳରେ ବାସ କରୁଥିବା ଲୋକମାନେ ମୁଖ୍ୟତଃ ଧାନ ଚାଷ କରିବା ସହ ସମୁଦ୍ର ଓ ବିଭିନ୍ନ ନଦୀରୁ ମାଛମାରି ଜୀବୀକା ନିର୍ବାହ କରନ୍ତି । ସମୁଦ୍ର କୂଳିଆ ଗାଁର ଲୋକମାନେ କଛା ଘରେ ନିଜ ପରିବାର ସହ ବସବାସ କରନ୍ତି । ଗାଁମାନଙ୍କରେ କାଁ ଭାଁ କୋଠାଘର ଦେଖିବାକୁ ମିଳିଥାଏ । ଅନେକ ସମୟରେ ବାତ୍ୟା ହେଲେ ଗାଁ ଭିତରକୁ ସମୁଦ୍ର ଜୁଆର ପଶିଆସି ଘର ଭସାଇ ନେବା ସହ ଲୋକଙ୍କୁ ମଧ୍ୟ ଭସାଇନେଇଥାଏ । ତେଣୁ ଆମ୍ଫାନର ଭୟାବହତାକୁ ନଜରରେ ରଖାଯାଇ ଜିଲ୍ଳାର ଉପକୂଳ ଅଂଚଳରୁ ଲୋକଙ୍କୁ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ବରିଷ୍ଠ ପ୍ରଶାସକ ହେମନ୍ତ ଶର୍ମା କେନ୍ଦ୍ରାପଡ଼ାରେ ପହଂଚି ଉପକୂଳ ଅଂଚଳରୁ ଲୋକଙ୍କୁ କିପରି ସ୍ଥାନାନ୍ତର ଓ ଥଇଥାନ କରାଯାଉଛି ସେ ସମ୍ପର୍କରେ ସମୀକ୍ଷା କରିଛନ୍ତି । ମହାକଳପଡ଼ା ବ୍ଲରେ ୩୧ଟି ପଂଚାୟତ ରହିଛି ଓ ସେଥିମଧ୍ୟରୁ ୧୧ଟି ପଂଚାୟତ ସମୁଦ୍ର କୂଳ ଓ ନଦୀ ମୁହାଁଣକୁ ଲାଗିଛି । ଏହି ପଂଚାୟତର ଗାଁ ଗୁଡ଼ିକ ଭିତରକୁ ଆମ୍ଫାନ ଜନିତ ସମୁଦ୍ର ଜୁଆର ପଶିଆସିବାର ସମ୍ଭାବନା ଥିବାରୁ ସ୍ଥାନୀୟ ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇ ବତ୍ୟା ଆଶ୍ରୟ ସ୍ଥଳ ଗୁଡ଼ିକରେ ଥଇଥାନ କରିବାକୁ ପ୍ରଶାସନ ଗୁରୁତ୍ୱ ଦେଇଛି । ମହାକଳପଡ଼ା ବ୍ଲକର ସମୁଦ୍ରକଳ ଲାଗି ରହିଥିବା ରାମନଗର, ଖରନାସୀ, ବତୀଘର, ଜମ୍ବୁ, ସୁନିତୀ, ବଉଳକଣୀ, ପେଟଛେଲା ଆଦି ପଂଚାୟତରୁ ଲୋକଙ୍କୁ ସ୍ଥ୍ାନରାନ୍ତର କରାଯାଇ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଉଛି ଓ ସେଠାରେ ଲୋକଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା କରାଯାଇଛି । ୍