ନାଟ୍ୟକାର ବିଜୟ ମିଶ୍ର ଆଉନାହାନ୍ତି
ଭୁବନେଶ୍ୱର(ଓଡ଼ିଶା ଟାଇମ୍): ବରିଷ୍ଠ ନାଟ୍ୟକାର, ସଂଳାପକାର ତଥା ସାହିତ୍ୟିକ ବିଜୟ ମିଶ୍ରଙ୍କ ପରଲୋକ ଘଟିଯାଇଛି। ଜଣେ ଆଗଧାଡ଼ିର ନିଆରା ପ୍ରତିଭା ଭାବେ ସେ ବେଶ୍ ଜଣାଶୁଣା ଥିଲେ। ସାହିତ୍ୟ ଜଗତଠାରୁ ଆରମ୍ଭ କରି ଓଡ଼ିଆ ଚଳଚ୍ଚିତ୍ର ଓ ସଂଗୀତ ଦୁନିଆରେ ଏକ ସମ୍ମାନନୀୟ ନାଁ ବିଜୟ ମିଶ୍ରଙ୍କ ପରଲୋକରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।
ପ୍ରକାଶ ଯୋଗ୍ୟ ଯେ ୧୯୩୬ ଜୁଲାଇ ୧୬ରେ ବାଲେଶ୍ଵର ଜିଲ୍ଲା ନୀଳଗିରିଠାରେ ଜନ୍ମିତ ବିଜୟ ମିଶ୍ର ତାଙ୍କ ଜୀବନକାଳ ମଧ୍ୟରେ ଅନନ୍ୟ ସାଧନା ଓ ଅବଦାନ ପାଇଁ ବହୁ ସମ୍ମାନର ଅଧିକାରୀ ହୋଇଥିଲେ। ୧୯୬୮ ଓ ୮୮ ମସିହାରେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ୧୯୯୪ରେ କୋଣାର୍କ ସମ୍ମାନ ସମେତ ଆହୁରି ଅନେକ ସମ୍ମାନ ତାଙ୍କୁ ପ୍ରଦାନ କରାଯାଇଥିଲା। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ ମଧ୍ୟ ସେ ପ୍ରାପ୍ତ କରିଥିଲେ।
ବିଜୟ ମିଶ୍ରଙ୍କ ଅନନ୍ୟ ସୃଷ୍ଟି ‘ତଟ ନିରଞ୍ଜନା’ ନାଟକ ବିଭିନ୍ନ ଭାଷାରେ ଅନୁଦିତ ହୋଇଥିବାବେଳେ ଅଲ୍ ଇଣ୍ଡିଆ ରେଡିଓରେ ପ୍ରସାରିତ ହୋଇ ଖୁବ୍ ଲୋକପ୍ରିୟ ହୋଇଥିଲା। ଏଥିସହ ଜାତୀୟ ପୁରସ୍କାର ପ୍ରାପ୍ତ କରିଥିଲା। ସେହିପରି ଭୁବନେଶ୍ଵରସ୍ଥିତ ପୁରାତନ ‘ଉତ୍ତର ପୁରୁଷ’ ନାଟ୍ୟସଂସ୍ଥାର ପ୍ରତିଷ୍ଠାତା ସଦସ୍ୟ ଥିଲେ ସ୍ଵଗର୍ତ ମିଶ୍ର। ୧୯୭୦ ମସିହାରେ ବିଜୟ ମିଶ୍ର, ଗୌରୀଶ୍ୟାମ ମହାପାତ୍ର ଓ ଅସୀମ ବସୁଙ୍କ ମିଳିତ ଉଦ୍ୟମରେ ଗଢ଼ି ଉଠିଥିଲା ଉକ୍ତ ନାଟ୍ୟ ସଂସ୍ଥା। ‘ଦୁଇଟି ସୂର୍ଯ୍ୟଦଗ୍ଧ ଫୁଲକୁ ନେଇ’ରୁ ଆରମ୍ଭ ହୋଇଥିଲା ଉତ୍ତର ପୁରୁଷର ନାଟକ ଯାତ୍ରା। ଚଳିତବର୍ଷ ଏହି ନାଟ୍ୟ ସଂସ୍ଥା ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ଅବସରରେ ବିଜୟ ମିଶ୍ରଙ୍କୁ ସମ୍ମାନିତ କରିବାର ଯୋଜନା ରହିଥିଲା। ତେବେ ଏଥିରୁ ବଞ୍ଚିତ ହେଲୁ ବୋଲି ସଂସ୍ଥାର ସମ୍ପାଦକ ପ୍ରସନ୍ନ ମିଶ୍ର କହିବା ସହ ଶୋକବ୍ୟକ୍ତ କରିଛନ୍ତି।
ଅନ୍ୟପକ୍ଷରେ ଅନ୍ୟତମ ନାଟ୍ୟପୁରୁଷ ଅସୀମ ବସୁଙ୍କ ପରେ ପରେ ନାଟ୍ୟ ଜଗତ ଆଉଜଣେ ତାରାକୁ ହରାଇଲା ବୋଲି ଉତ୍ତର ପୁରୁଷ ନାଟ୍ୟ ସଂସ୍ଥା ପକ୍ଷରୁ ସଭ୍ୟ ତଥା ଅଭିନେତା ଦେବଦତ୍ତ ପତି ଶୋକ ପ୍ରକାଶ କରିଛନ୍ତି। ସଂସ୍ଥା ସମେତ ବିଭିନ୍ନ ଅନୁଷ୍ଠାନ ତରଫରୁ ସ୍ଵର୍ଗତ ମିଶ୍ରଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।