କଳାହାଣ୍ଡିରେ ୧୧ କୋରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ସମୁଦାୟ ୧୦୬୩
ଭୁବନେଶ୍ବର, (ଓଡ଼ିଶା ଟାଇମ୍) : ରାଜ୍ୟରେ ଆଉ ୧୧କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧୦୬୩ ରେ ପହଁଞ୍ଚିଛି l ଏହି ୧୧ଜଣ ନୂଆ ଆକ୍ରାନ୍ତ କଳାହାଣ୍ଡି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏବେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସନ୍ଧାନ ଜାରି ରହିଥିବା କଳାହାଣ୍ଡି ଜିଲ୍ଲାପାଳ ଡକ୍ଟର ଗାଭାଲି ପରାଗ ହର୍ଷଦ ସୂଚନା ଦେଇଛନ୍ତି l
ଏମାନଙ୍କ ଭିତରୁ ୧୦ ଜଣ ମହାରାଷ୍ଟ୍ର, ଗୁଜରାଟ ଓ ଛତିଶଗଡ଼ରୁ ଫେରିଛନ୍ତି l ବାହାରୁ ଫେରି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ଅନ୍ୟ ଜଣେ ଟେମ୍ପରାରି ମେଡିକାଲ୍ ସେଣ୍ଟର (ଟିଏମ୍ସି) ସୁପରଭାଇଜର ଅଛନ୍ତି। ଆବଶ୍ୟକ ନମୁନା ପରୀକ୍ଷଣ ପରେ ଏମାନେ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି।
ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ ୨ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନେ ସମସ୍ତେ ଆରୋଗ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ୭୪ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ଭିତରୁ ବୌଦ୍ଧରୁ ସର୍ବାଧିକ ୨୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୧୧ଜଣ, କଟକରୁ ୯, ଖୋର୍ଦ୍ଧାରୁ ୭, ଗଂଜାମରୁ ୬, ଯାଜପୁରରୁ ୬, କେନ୍ଦ୍ରାପଡ଼ାରୁ ୨, ମାଲକାନଗିରିରୁ ୨, ବାଲେଶ୍ୱରରୁ ଜଣେ, ଢେଙ୍କାନାଳରୁ ଜଣେ ଓ କନ୍ଧମାଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନା ମୁତାବକ, ରାଜ୍ୟରେ ୧୦୬୩ ରେ ପହଁଞ୍ଚିଛି କୋରୋନା ଆକ୍ରାନ୍ତ ସଂଖ୍ୟା l ସେମାନଙ୍କ ମଧ୍ୟରୁ ୩୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୧୪ ଜଣ ଆକ୍ରାନ୍ତ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ୧୬ ଜଣଙ୍କର ମୃତ୍ୟୁ ହୋଇଛି l