ହାତୀମୃତ୍ୟୁ ରୋକିବାକୁ ବିଦ୍ୟୁତ୍ ବିଭାଗର ମାଷ୍ଟରପ୍ଲାନ

ହାତୀ କରିଡରରେ ବିଦ୍ୟୁତ୍‍ ଭିତ୍ତିଭୂମିର ଉନ୍ନତି ପାଇଁ ରାଜ୍ୟ ସରକାର ୧୯୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟଲାଗି ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି। ବିଦ୍ୟୁତ୍‍ ଆଘାତରେ ବାରମ୍ବାର ହାତୀମୃତ୍ୟୁକୁ ନେଇ ରାଜ୍ୟ ସରକାର ଅଡୁଆରେ ପଡୁଥିବାରୁ ବନ୍ୟଜନ୍ତୁମାନଙ୍କ ସୁରକ୍ଷାପାଇଁ ଏଭଳି ଯୋଜନା ପ୍ରସ୍ତୁତ ହୋଇଛି।

ନିକଟରେ ରାଜ୍ୟର କେତେକ ସ୍ଥାନରେ ବିଦ୍ୟୁତ୍‍ ଆଘାତରେ ହାତୀମୃତ୍ୟୁ ଘଟଣା ନଜରକୁ ଆସିଛି। ଯଦିଓ କେନ୍ଦ୍ରୀୟ ବିଦ୍ୟୁତ୍‍ କର୍ତ୍ତୃପକ୍ଷ (ସିଇଏ)ଙ୍କ ନିୟମ ଅନୁଯାୟୀ ବିଦ୍ୟୁତ୍‍ତାର ଟଣାଯାଇଛି ତଥାପି ହାତୀଙ୍କ ଚଳପ୍ରଚଳ ପାଇଁ ଏହା ପର୍ଯ୍ୟାପ୍ତ ହୋଇପାରୁନାହିଁ। କେତେକ ସମୟରେ ହାତୀମାନେ ବିଦ୍ୟୁତ୍‍ ଖୁଣ୍ଟରେ ଘଷିହେବା ସହିତ ଶୁଣ୍ଢରେ ତାର ଟାଣିବା ଯୋଗୁଁ ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ମୃତ୍ୟୁମୁଖରେ ପଡୁଛନ୍ତି।

ହାତୀ ମୃତ୍ୟକୁ ଏଡାଇବାପାଇଁ ରାଜ୍ୟ ସରକାର ଏବେ ବିଦ୍ୟୁତ୍‍ ବ୍ୟବସ୍ଥାକୁ ସୁଦୃଢପାଇଁ ନିଷ୍ପତ୍ତି ନେଇଛନ୍ତି। ସେହିଭଳି ଖୋଲାରେ ପଡିଥିବା ବିଦ୍ୟୁତ୍‍ କଣ୍ଡକ୍ଟର ସ୍ଥାନରେ କଭର ଥିବା କଣ୍ଡକ୍ଟର ଲଗାଯିବ। ସେହିଭଳି କୌଣସି ବିଦ୍ୟୁତ୍‍ ଅଘଟଣ ହେଲେ ଯେଭଳି ତୁରନ୍ତ ବିଦ୍ୟୁତ୍‍ ସରବରାହ ବିଚ୍ଛିନ୍ନ ହେବ ସେହିଭଳି ବ୍ୟବସ୍ଥା କରାଯିବ।

ରାଜ୍ୟର ବିଭିନ୍ନ ହାତୀ କରିଡରରେ ପ୍ରାୟ ସମସ୍ତ ବିଦ୍ୟୁତ୍‍ ବଣ୍ଟନକାରୀ ସଂସ୍ଥା ରହିଛନ୍ତି। ତେଣୁ ସେସୁ, ନେସ୍କୋ, ୱେସ୍କୋ ଏବଂ ସାଉଥ୍‍କୋ ପକ୍ଷରୁ ବିସ୍ତୃତ ଭିତ୍ତିଭୂମି ବିକାଶ ରିପୋର୍ଟ ପ୍ରସ୍ତୁତ ହୋଇ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା। ଶକ୍ତି ସଚିବ ହେମନ୍ତ ଶର୍ମା ହାତୀ ମୃତ୍ୟୁକୁ ଗୁରୁତ୍ୱର ସହ ନେଇ ଏହି ରିପୋର୍ଟକୁ ପଞ୍ଚଦଶ ଅର୍ଥ କମିଶନଙ୍କୁ ପ୍ରଦାନ କରିଛନ୍ତି। ନିକଟରେ କମିଶନ ଓଡିଶା ଗସ୍ତରେ ଆସିଥିବାବେଳେ ଶ୍ରୀ ଶର୍ମା ଏହି ପ୍ରସ୍ତାବ ଦେଇଥିବାବେଳେ କମିଶନଙ୍କ ପକ୍ଷରୁ ଏଭଳି ପ୍ରସ୍ତାବ ପ୍ରତି ସକରାତ୍ମକ ମନୋଭାବ ପୋଷଣ କରାଯାଇଛି।

ପ୍ରସ୍ତାବ ଅନୁଯାୟୀ ବର୍ତ୍ତମାନ ଥିବା ସମସ୍ତ ଲାଇନ୍‍କୁ ୩୩ କେ.ଭିରେ ପରିଣତ କରାଯିବା ସହିତ ତାହାକୁ ସୁଉଚ୍ଚ ବିଦ୍ୟୁତ୍‍ ଖୁଣ୍ଟରେ ଟଣାଯିବ । ଏହି ଖମ୍ବ ଗୁଡିକ ଇସ୍ପାତରେ କରିବାଲାଗି ପ୍ରସ୍ତାବ ଦିଆଯାଇଛି ।

ଏଭଳି ବ୍ୟବସ୍ଥାପରେ ଜଙ୍ଗଲୀ ପଶୁଙ୍କ ଚଳାଚଳ ସୁରକ୍ଷିତ ହୋଇପାରିବ ବୋଲି ହାତୀ କରିଡରରେ କାର୍ଯ୍ୟରତ ଯନ୍ତ୍ରୀମାନେ ମତ ଦେଉଛନ୍ତି । ଏହି ପ୍ରକଳ୍ପ ପାଇଁ ମୋଟ୍‍ ୧୯୦୫ କୋଟି ଟଙ୍କା ବ୍ୟୟ ହେବ। ପୂର୍ବରୁ ଉପକୂଳ ଓଡିଶାରେ ବାତ୍ୟା ସହନଶୀଳ ବିଦ୍ୟୁତ୍‍ ଭିତ୍ତିଭୂମି ପ୍ରତିଷ୍ଠା ଲାଗି ପଞ୍ଚଦଶ ଅର୍ଥ କମିଶନଙ୍କୁ ୭୭୩୬ କୋଟି ଟଙ୍କାର ଏକ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦୀର୍ଘ ୪୮୫ କିଲୋମିଟର ଦୈର୍ଘ୍ୟ ଉପକୂଳ ଓଡିଶାରେ ସମୁଦ୍ରକୁ ସ୍ଥଳଭାଗ ପଟକୁ ୫୦ କିଲୋମିଟର ପର୍ଯ୍ୟନ୍ତ ବିଦ୍ୟୁତ୍‍ ଭିତ୍ତିଭୂମିର ବିକାଶ ହୋଇପାରିବ। ଉଭୟ ବାତ୍ୟା ସହନଶୀଳ ଓ ହାତୀକରିଡର ପାଇଁ ଅର୍ଥ କମିଶନଙ୍କୁ ମୋଟ୍‍ ୯୬୪୧ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। 

Leave a Reply

Your email address will not be published.