ଇଲେକ୍ଟୋରାଲ୍‌ ବଣ୍ଡ୍‌ ମାଧ୍ୟମରେ ମିଳୁଥିବା ଅନୁଦାନର ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଇଲେକ୍ଟୋରାଲ୍‌ ବଣ୍ଡ୍‌ ଉପରେ ଅସ୍ଥାୟୀ ରହିତାଦେଶ ଜାରି କରିବାକୁ ହୋଇଥିବା ଆବେଦନକୁ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଦଳଗୁଡ଼ିକ ପ୍ରତି ବିଜ୍ଞପ୍ତି ଜାରି କରି ଶୀର୍ଷ ଅଦାଲତ କହିଛନ୍ତି କି, ମେ ୩୦ ସୁଦ୍ଧା ସେମାନେ ଦାତାମାନଙ୍କର ଓ ଇଲେକ୍ଟୋରାଲ୍‌ ବଣ୍ଡ୍‌ ଜରିଆରେ ଗ୍ରହଣ କରିଥିବା ଅର୍ଥର ସବିଶେଷ ବିବରଣୀ ଦାଖଲ କରନ୍ତୁ।

ଇଲେକ୍ଟୋରାଲ୍‌ ବଣ୍ଡ୍‌ମାଧ୍ୟମରେ ଅଜ୍ଞାତ ଦାତାଙ୍କ ସୂତ୍ରରୁ ରାଜନୈତିକ ଦଳଗୁଡ଼ିକୁ ଅନୁଦାନ ମିଳୁଥିବାରୁ ଏହାର ବୈଧ୍ୟତାକୁ ଚାଲେଞ୍ଜ୍‌କରି ଦାଖଲ କରାଯାଇଥିବା ପିଟିସନ୍‌ର ଶୁଣାଣି କରି ଏହି ରାୟ ଦିଆଯାଇଛି। ଗୁରୁବାର ଦିନ ସରକାର ଅଦାଲତଙ୍କୁ କହିଥିଲେ କି, ଦାତାମାନଙ୍କର ପରିଚୟ ଜାଣିବା ଭୋର୍ଟମାନଙ୍କ ପାଇଁ ଜରୁରୀ ନୁହେଁ।

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଜଷ୍ଟିସ ଗୋଗୋଇଙ୍କ ସହିତ ଜଷ୍ଟିସ ଦୀପକ ଗୁପ୍ତା ଏବଂ ସଞ୍ଜୀଭ ଖାନ୍ନା ମଧ୍ୟ ଏହି ଖଣ୍ଡପୀଠରେ ସାମିଲ ଅଛନ୍ତି।

ଏ ସଂକ୍ରାନ୍ତରେ ବିଷଦ୍‌ଭାବେ ଶୁଣାଣି କରିବାକୁ ଯଥେଷ୍ଟ ସମୟ ନ ଥିବାରୁ ଏହି ରାୟ ମଧ୍ୟବର୍ତ୍ତୀକାଳିନ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କିନ୍ତୁ ସୁପ୍ରିମକୋର୍ଟ କହିଛନ୍ତି କି, ଉଭୟ ପକ୍ଷ ଦାଖଲ କରିଥିବା ବିଷୟବସ୍ତୁ ମୂଲ୍ୟବାନ ଏବଂ ନିର୍ବାଚନ ପ୍ରକ୍ରିୟାର ପବିତ୍ରତା ବହନ କରୁଛି।

ସିପିଆଇ (ଏମ୍‌) ଏବଂ ଆସୋସିଏସନ୍‌ଅଫ୍‌ଡେମୋକ୍ରାଟିକ୍‌ରିଫର୍ମସ୍‌(ଏଡିଆର୍) ନାମକ ଏନ୍‌ଜିଓ ଫାଇଲ୍‌କରିଥିବା ଆବେଦନ ଉପରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲା ଶୁଣାଣି କରୁଥିଲେ।

ସୂଚନାଯୋଗ୍ୟ, ଗତକାଲି ଚଳିତ ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଇଲେକ୍ଟୋରାଲ ବଣ୍ଡ୍ ପ୍ରଚଳନ ଜାରି ରହିବାକୁ ଦିଆଯାଉ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ହେଲେ ଏହାକୁ ଖାରଜ କରି ଆଜି ଏ ସଂକ୍ରାନ୍ତ ଶୁଣାଣି କରିବେ ବୋଲି ସୁପ୍ରିମକୋର୍ଟ କହିଥିଲେ।

ରାଜନୀତିକ ଦଳଗୁଡ଼ିକୁ ପାଣ୍ଠି ପ୍ରଦାନ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ନିର୍ବାଚନ କମିଶନ ସୁପ୍ରିମକୋର୍ଟରେ ଭିନ୍ନ ଯୁକ୍ତି ଉପସ୍ଥାପନ କରିଥିଲେ। ରାଜନୀତିକ ଦଳକୁ ନିର୍ବାଚନୀ ବଣ୍ଡ୍ ସାହାଯ୍ୟରେ ଚାନ୍ଦା ଦେଉଥିବା ବ୍ୟକ୍ତି ଓ ସଂସ୍ଥାର ନାମ ଗୋପନ ରଖିବା ପାଇଁ କେନ୍ଦ୍ର ସରକାର ଦାବି କରିଥିଲେ। ହେଲେ ଏହାକୁ ବିରୋଧ କରି ନିର୍ବାଚନ କମିଶନ ଦର୍ଶାଇଥିଲେ ଯଦି ଚାନ୍ଦା ଦେଉଥିବା ବ୍ୟକ୍ତିଙ୍କ ନା ଗୋପନ ରହିବ ତାହେଲେ ସ୍ବଚ୍ଛତା ଆସି ପାରିବ ନାହିଁ। ବିଭିନ୍ନ ସଂସ୍ଥା ଏହି ବଣ୍ଡ୍ ଦ୍ବାରା ରାଜନୀତିକ ଦଳ ଗୁଡ଼ିକରେ କଳାଧନ ନିବେଶ କରିବେ ବୋଲି କହି ପକ୍ଷ ରଖିଥିଲେ ନିର୍ବାଚନ କମିଶନ।

Leave a Reply

Your email address will not be published. Required fields are marked *