ଇଲେକ୍ଟ୍ରୋରାଲ ବଣ୍ଡର ବୈଧତା ନେଇ ଶୁକ୍ରବାର ରାୟ ଶୁଣାଇବେ ସୁପ୍ରିମକୋର୍ଟ

ଇଲେକ୍ଟ୍ରୋରାଲ ବଣ୍ଡ ବା ନିର୍ବାଚନୀ ବଣ୍ଡ ମାମଲାରେ ଆଜି ଏକ ବଡ଼ ଝଟକା ଲାଗିଛି କେନ୍ଦ୍ର ସରକାରଙ୍କୁ। କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଇଲେକ୍ଟ୍ରୋରାଲ ବଣ୍ଡକୁ ରଦ୍ଦ କରିବା ପାଇଁ ଆଗତ ମାମଲାର ଶୁଣାଣି କିମ୍ବା ଏ ମାମଲାରେ କୌଣସି ପ୍ରକାରର ହସ୍ତକ୍ଷେପ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କରା ଯାଇଥିବା ଅନୁରୋଧକୁ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ଆଜି ସିଧାସିଧା ପ୍ରତ୍ୟାଖାନ କରି ଦେଇଛନ୍ତି। ଏଥିସହ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଏ ମାମଲାରେ ଯାହା ଶୁଣାଣି କରିବା କଥା ଆମେ କରି ସାରିଛୁ, ଏବଂ ଆସନ୍ତାକାଲି (ଶୁକ୍ରବାର) ଆମେ ଏହି ମାମଲାର ରାୟ ଶୁଣାଇବୁ।

ତେବେ, ଆଜି ଏହି ମାମଲାର ଶୁଣାଣି କାଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠଙ୍କୁ କହିଥିଲେ ଯେ ଗୋଟିଏ ରାଜନୈତିକ ଦଳ ନିର୍ବାଚନ ଲଢ଼ିବା ପାଇଁ କେଉଁଠୁ ପାଣ୍ଠି ସଂଗ୍ରହ କରୁଛି ଭୋଟରମାନଙ୍କର ତାହା ଜାଣିବା ଜରୁରୀ ନୁହେଁ। ତେଣୁ ଏହି ମାମଲାକୁ ନିର୍ବାଚନ ପରକୁ ରଖି ଦିଆଯାଉ। ହେଲେ, ଖଣ୍ଡପୀଠର ବିଚାରପତିମାନଙ୍କୁ ଏହା ପ୍ରଭାବିତ କରି ପାରି ନଥିଲା। ଖଣ୍ଡପୀଠର ବିଚାରପତିମାନେ କହିଥିଲେ ଯେ ଏଥିରେ ଅନେକ ତ୍ରୁଟି ବିଚ୍ୟୁତି ଯଦି ରାୟ ପ୍ରଦାନରେ ବିଳମ୍ବ ହୁଏ, ତେବେ କଳାଧନ ବିରୋଧରେ ଆରମ୍ଭ ହୋଇଥିବା ଅଭିଯାନ ବାଧାପ୍ରାପ୍ତ ହେବ। ତେଣୁ ଏହି ମାମଲାର ରାୟ ଆସନ୍ତାକାଲି (ଶୁକ୍ରବାର) ଶୁଣାଇବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି ସୁପ୍ରିମ୍‌ କୋର୍ଟ।

Leave a Reply

Your email address will not be published. Required fields are marked *