ଲୋକସଭା ନିର୍ବାଚନରେ ସୋସିଆଲ ମିଡିଆ ନେଟୱାର୍କର ଲଢ଼େଇ
୨୦୧୯ ଲୋକସଭା ନିର୍ବାଚନରେ ସୋସିଆଲ ମିଡିଆର ବ୍ୟବହାର ପୂର୍ବ ନିର୍ବାଚନ ତୁଳନାରେ ବେଶ ଅଧିକ ରହିଛି। ରାଜନୈତିକ ଦଳମାନେ ସୋସିଆଲ ମିଡିଆରେ ପ୍ରଚାରକୁଦେଉଛନ୍ତି ଅଧିକ ଗୁରୁତ୍ୱ। ଭିଡିଓ ଷ୍ଟ୍ରିମିଂ, ଫଟୋ ସିରିଜ, ମେସେଜ, ମଜାକଥା, ସ୍ଲୋଗାନ ଇତ୍ୟାଦି ଅଧିକରୁ ଅଧିକ ଲୋକଙ୍କ ନିକଟକୁ ପଠାଇବା ପାଇଁ ପୂରା ରଣନୀତି ସହ ଅନେକ ଟିମ କାମ କରୁଛି। ଏହି ଟିମ ଦିନରୁ ଆରମ୍ଭ ହୋଇ ପ୍ରତି ବୁଥର ନେଟୱାର୍କ ସହ ଯୋଡି ହୋଇରହିଛି।

ସାମିଲ ଅଛନ୍ତି ୫୦ କୋଟି ଭାରତୀୟ
୨୦୧୪ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ଦେଶରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇଛି। ଏହି ସଂଖ୍ୟା ପାଖାପାଖି ୫୦ କୋଟିରେ ପହଞ୍ଚିଲାଣି। ସହରରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ପାଖାପାଖି ୩୦କୋଟି ରହିଛି। ଅନ୍ୟପଟେ ୨୦୧୪ରେ ମୋଟ ଇଣ୍ଟରନେଟ ବ୍ୟବହାକାରୀଙ୍କ ସଂଖ୍ୟା ୨୦କୋଟି ରହିଥିଲା।
ଫେସବୁକ ଆର୍ଡଭଟାଇଜମେଣ୍ଟ ପୋର୍ଟାଲ ଅନୁସାରେ ଚଳିତ ବର୍ଷ ଫେବୃୟାରୀ ୨୪ରୁ ମାର୍ଚ୍ଚ ୯ ମଧ୍ୟରେ ଭାରତୀୟମାନେ ରାଜନୈତିକ ବିଜ୍ଞାପନ ଉପରେ ୧୦କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।
ବଡ଼ କଥା ହେଉଛି ଏତେ ସଂଖ୍ୟକ ଲୋକଙ୍କୁ କିପରି ସୋସିଆଲ ମିଡିଆରେ ଯୋଡା ଯାଉଛି। ଏହାର ଉତ୍ତର ହେଉଛି ପ୍ରତିଟି ରାଜନୈତିକ ଦଳ ଏହି କାମ ପାଇଁ େସ୍ୱଚ୍ଛାସେବୀଙ୍କ ଉପରେ ଫୋକସ କରୁଛନ୍ତି। ବର୍ତ୍ତମାନ ସମୟରେ ଏମାନଙ୍କୁ ସୋସିଆଲ ମିଡିଆ ଆର୍ମି କୁହାଯାଉଛି। କୌଣସି ପୋଷ୍ଟକୁ ଭାଇରାଲ କରିବାରେ ଏମାନେ ନେଉଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା। ଏହି ଟିମ ପୋଷ୍ଟ ସବୁକୁ ଅଧିକରୁ ଅଧିକ ସୋସିଆଲ ମିଡିଆ ପ୍ଳାଟଫର୍ମ ମାଧ୍ୟମରେ ଲୋକଙ୍କ ନିକଟକୁ ପଠାଇବାର କାମ କରୁଛନ୍ତି।
ଉତ୍ତରପ୍ରଦେଶ କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆ ସଂଯୋଜକ ଦାୟିତ୍ୱ ନେଇଥିବା ବିକ୍ରମ ସେଠୀ କହିବା ଅନୁସାରେ ଆମକୁ ହ୍ୱାଟ୍ର୍ସ ଆପରେ ଯେଉଁ ଭିଡିଓ ଏବଂ ପୋଷ୍ଟ ମିଳିଥାଏ ଆମେ ତାକୁ ତୁରନ୍ତ ଫରୱାର୍ଡ କରିଥାଉ। ବିଶେଷ କରି ପ୍ରିୟଙ୍କା ଏବଂ ରାହୁଲଙ୍କ ରାଲି, ସଭା, ଭାଷଣର ଫଟୋ ଓ ଭିଡ଼ିଓ ଆମେ ସେୟାର କରିଥାଉ। ଫେସବୁକ ପେଜେସ ମଧ୍ୟ ସେୟାର କରିଥାଉ। ଉତ୍ତରପ୍ରଦେଶ ଭିତରେ ଆମର ଟିମରେ ୩୦ ହଜାରରୁ ଅଧିକ ସଦସ୍ୟ ଅଛନ୍ତି। ସେମାନଙ୍କୁ କୌଣସି ବେତନ ଦିଆଯାଇନଥାଏ। ସେମାନେ ନିଜ ଇଚ୍ଛାରେ ଏହି ଧାରାକୁ ଆଗକୁ ବଢାଇଥାଆନ୍ତି।
ସୂଚନାର ଆଦାନପ୍ରଦାନ ପାଇଁ କଂଗ୍ରେସ ଓ ବିଜେପି ସମେତ ସମସ୍ତ ରାଜନୈତିକ ଦଳ ସେହି ପ୍ରକ୍ରିୟାକୁ ଅନୁସରଣ କରିଥାଆନ୍ତି ଯାହାଦ୍ୱାରା ଭିଡିଓ, ମେସେଜ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିପାରିବ। ରାଷ୍ଟ୍ରୀୟ ଦଳମାନଙ୍କର ମୁଖ୍ୟ ଟିମ ଦିଲ୍ଲୀରେ ବସି ଏହିସବୁ ଗତିବିଧିକୁ ନିୟନ୍ତ୍ରଣ କରିଥାଏ। ପ୍ରତି ରାଜ୍ୟରେ ଏହି ଦଳମାନଙ୍କର ଏକ ଟିମ ହେଡ ରହିଥିଲା ବେଳେ ସେ ନିଜ ନିଜ ରାଜ୍ୟର ଜିଲ୍ଲାସ୍ତରୀୟ ଟିମକୁ ବାର୍ତ୍ତା ପହଞ୍ଚାଇଥାଆନ୍ତି। ଆଉ ଜିଲାସ୍ତରୀୟ ଟିମ ଏହାକୁ ବୁଥସ୍ତରରେ ପହଞ୍ଚାନ୍ତି। ସେହିପରି ବୁଥ ସ୍ତରର ଟିମ ମଧ୍ୟ ନିଜ ପ୍ରଚେଷ୍ଟାରେ ବାର୍ତ୍ତା ପ୍ରସ୍ତୁତ କରି ଏହାର ଅନୁମୋଦନ ନିମନ୍ତେ ସେଣ୍ଟ୍ରାଲ ଟିମକୁ ପଠାଇଥାଆନ୍ତି। ଏହି ବାର୍ତ୍ତା ସେଣ୍ଟ୍ରାଲ ଟିମ ଦ୍ୱାର ମନୋନୀତ ହେବା ପରେ ଦେଶବ୍ୟାପୀ ଭାଇରାଲ କରାଯାଇଥାଏ।
ଗତ ନିର୍ବାଚନ ତୁଳନାରେ ଏଥର ନିର୍ବାଚନରେ ବୁଥସ୍ତରକୁ ଅଧିକ ଫୋକସ କରାଯାଉଛି। ଉଭୟ ବିଜେପି ଏବଂ କଂଗ୍ରେସ ନିକଟରେ ମଜବୁତ ସୋସିଆଲ ମିଡିଆ ଆର୍ମି ରହିଛି। ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲ୍ୟବଙ୍କ କହିବା ଅନୁସାରେ ଆମ ନିକଟରେ ପାଖାପାଖି୧୨ଲକ୍ଷ ସ୍ବେଛାସେବୀ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆରେ ପ୍ରଚାର କାମ କରୁଛନ୍ତି।
ଅନ୍ୟପଟେ କଂଗ୍ରେସର ସୂଚନା ହେଉଛି ସେମାନଙ୍କ ନିକଟରେ ୩୦ହଜାର ସୋସିଆ ମିଡିଆ ପଦାଧିକାରୀ ଏବଂ ୮ଲକ୍ଷ ସୋସିଆଲ ମିଡିଆ େସ୍ୱଚ୍ଛାସେବୀ ଅଛନ୍ତି। ତେବେ ଏହି ସବୁ ଘଟଣା ସତ୍ତ୍ୱେ ବଡ଼ ପ୍ରଶ୍ନ ହେଉଛି ଯେ, ସୋସିଆଲ ମିଡିଆର ଏହି ଉପଯୋଗ ପ୍ରକୃତରେ କ’ଣ ଭୋଟରେ ବଦଳିପାରୁଛି।