ଅଧିକ ରାଜନୈତିକ ହିଂସାକାଣ୍ଡ ଘଟିବାର ଆଶଙ୍କା

ରାଜ୍ୟରେ ପ୍ରଥମ  ଦୁଇ ପର୍ଯ୍ୟାୟ ଅପେକ୍ଷା ଶେଷ ଦୁଇ ପର୍ଯ୍ୟାୟ ନିର୍ବାଚନ ଓଡିଶାରେ ବେଶ୍‍ ସରଗରମ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ଅଧିକ ରାଜନୈତିକ ହିଂସାକାଣ୍ଡ ଘଟିବାର ଆଶଙ୍କା ମଧ୍ୟ କରାଯାଉଛି । ଚାରିଟି ଲୋକସଭା ସହିତ ତତ୍‍ ସଂଲଗ୍ନ ୨୮ଟି ବିଧାନସଭା ଆସନପାଇଁ ଏପ୍ରିଲ୍‍ ୧୧, ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବାପରେ ସେଥିରେ ନିୟୋଜିତ ନେତା ଓ ଛାମୁଆ କର୍ମୀମାନଙ୍କୁ ଉଭୟ ବିଜେଡି ଓ ବିଜେପି ଅନ୍ୟ ଅଞ୍ଚଳକୁ ପଠାଇଛନ୍ତି ।

ସେହିପରି ଏପ୍ରିଲ୍‍ ୨୩ ତାରିଖରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଭଳି ୬ଟି ଲୋକସଭା ସହିତ ତତ୍‍ ସଂଲଗ୍ନ ୪୨ଟି ବିଧାନସଭା ଆସନପାଇଁ ନିର୍ବାଚନ ହେବାକୁ ଯାଉଛି ।

ଏପ୍ରିଲ୍‍ ୨୯ ରେ ଶେଷ ପର୍ଯ୍ୟାୟ ନିର୍ବାଚନ ଓଡିଶାରେ ହେବ କେନ୍ଦ୍ରାପଡା, ଜଗତ୍‍ସିଂହପୁର, ଯାଜପୁର, ଭଦ୍ରକ, ମୟୁରଭଞ୍ଜ ଓ ବାଲେଶ୍ୱର ଭଳି ୬ଟି ଲୋକସଭା ଓ ତତ୍‍ ସଂଲଗ୍ନ ୪୨ଟି ବିଧାନସଭା ଆସନରେ ।

ଏଠାରେ ଉଲ୍ଲେଖନୀୟ ଯେ ଇତି ମଧ୍ୟରେ କେନ୍ଦୁଝର ଓ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଘଟି ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଏହାଛଡା ଅନେକ ସ୍ଥାନରେ ବିଭିନ୍ନ ଦଳର କର୍ମୀ ଓ ନେତାଙ୍କ ମଧ୍ୟରେ ବି ମାରପିଟ୍‍ ଲାଗିରହିଛି ।

ନିର୍ବାଚନ ପାଖେଇ ଆସୁଥିବାରୁ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଖୋରଧା, ଅନୁଗୁଳ ଆଦି ଜିଲ୍ଲାରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଏକ ପ୍ରକାର ମୁହାଁମୁହିଁ ଲଢେଇ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ପୁଲିସ୍‍ ପ୍ରଶାସନ ପାଇଁ ବଡ ଆହ୍ୱାନ ।

କନ୍ଧମାଳ ଲୋକସଭା କ୍ଷେତ୍ରରେ ମାଓବାଦୀଙ୍କ ହମଲା ଯୋଗୁଁ ଜଣେ ପୁଲିଂ କର୍ମଚାରୀ ଗୁଳିରେ ପ୍ରାଣ ହରାଇଥିବାବେଳେ ଆଉ ଗୋଟିଏ ଗାଡି ଜଳିଯାଇଛି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନବେଳେ ମାଓବାଦୀଙ୍କ ଡରରେ କେତେକ ସ୍ଥାନରେ ବି ଲୋକେ ଭୋଟ ଦେବାକୁ ଆସିନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଅଞ୍ଚଳ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଗତକାଲି ପ୍ରଚାରର ଶେଷ ପର୍ଯ୍ୟାୟରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଓ ସମର୍ଥକମାନେ ପିସିସି ସଭାପତି ତଥା କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ କରିଥିଲେ। ଅତର୍କିତ ଆକ୍ରମଣ ସାଙ୍ଗକୁ ଗୁଳିମାଡ଼ରେ ୨୦ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଆକ୍ରମଣକାରୀମାନେ ୧୦ଟି ଚାରିଚକିଆ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ଲୁଟ୍ପାଟ୍ କରିଥିବା ଅଭିଯୋଗ ହୋଇଥିଲା।

ପିସିସି ସଭାପତିଙ୍କ କହିବା ଅନୁସାରେ, ସେମାନେ କାଲି ଅପରାହ୍ଣରେ ଗଡ଼ବାନ୍ଧଗୋଡ଼ା ଗ୍ରାମର ଦାନ୍ତିଆ ଗ୍ରାମରୁ ପ୍ରଚାର ସାରି ରାମଚନ୍ଦ୍ରପୁର ଆଡ଼କୁ ଫେରୁଥିଲେ। ଫେରିବା ବାଟରେ ପ୍ରାୟ ସାଢ଼େ ୫ଟାବେଳେ ତାଙ୍କୁ ଭଣ୍ତାରିପଡ଼ା ଛକ ନିକଟରେ କେତେକ ଯୁବକ ଅଟକାଇଥିଲେ। ଶୋଭାଯାତ୍ରାରେ ଥିବା ଗୋଟିଏ ଗାଡ଼ିର ଚାବି ନେଇଯିବା ସହିତ ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ। ସଂପୃକ୍ତ ଆକ୍ରମଣକାରୀ ଯୁବକମାନେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଫେରିଯିବାକୁ ଧମକ ଦେଇଥିଲେ।

ଏହି ସମୟରେ ଖବରପାଇ ରାମଚନ୍ଦ୍ରପୁର ଥାନା ଆଇଆଇସି ରାଜେନ୍ଦ୍ର କୁମାର ସ୍ବାଇଁ ସେଠାରେ ପହଞ୍ଚି ଗାଡ଼ିଗୁଡ଼ିକୁ ନେଇ ଆସିଥିଲେ। ସେଠାରୁ ତିନି କିଲୋମିଟର ଆସିବା ପରେ ନହଙ୍ଗିଛକ ନିକଟରେ ରାସ୍ତାରେ ଏକ ମେଟାଲ ଟ୍ରାକ୍ଟର ରଖି ଗାଡ଼ିଗୁଡ଼ିକୁ ପୁଣି ଅଟକାଇଥିଲେ। କେହି କିଛି ବୁଝିବା ପୂର୍ବରୁ ସମସ୍ତଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଥିଲା। ଗାଡ଼ିରେ ଥିବା କର୍ମୀମାନଙ୍କୁ ଘୋଷାଡ଼ି ଆଣି ଲୁହାରଡ୍, ଖଣ୍ତା, ଭୁଜାଲିରେ ଆକ୍ରମଣ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ସମସ୍ତଙ୍କ ମୋବାଇଲ ଓ ପର୍ସ ମଧ୍ୟ ଛଡ଼ାଇ ନେଇଯାଇଥିଲେ।

ଆକ୍ରମଣକାରୀମାନେ ନିରଞ୍ଜନଙ୍କ କାରର କାଚ ଭାଙ୍ଗିଦେଇଥିଲେ। ସେହି ଗାଡ଼ିରେ ବସିଥିବା କଂଗ୍ରେସର ପର୍ଯ୍ୟବେକ୍ଷକ ସାନଖେମୁଣ୍ତିର ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ମାଡ଼ ମାରିଥିଲେ। ଫଳରେ ସେ ଆହତ ହୋଇଥିଲେ। ନିରଞ୍ଜନଙ୍କୁ ମଧ୍ୟ ସେମାନେ ଗାଳିଗୁଲଜ କରି ଠେଲାପେଲା କରିଥିଲେ। ଶୋଭାଯାତ୍ରାରେ ଥିବା ୧୦ଟି ଗାଡ଼ିକୁ ଭାଙ୍ଗି ପକାଇଥିଲେ।

Leave a Reply

Your email address will not be published. Required fields are marked *