ବିଜେଡିର ନିର୍ବାଚନୀ ପର୍ଯ୍ୟଟନ ଅଭିଯୋଗ କେତେ ବାସ୍ତବତା

୫ବର୍ଷରେ ୧୩ଥର ଓଡ଼ିଶା ଆସିଛନ୍ତି ମୋଦୀ
ବାଜପେୟୀ ଆସିଥିଲେ ୫ଥର,
ମନମୋହନ, ରାଜୀବ ଥରେ

ରାଜ୍ୟ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳର ନିର୍ବାଚନ ବିଜ୍ଞାପନଗୁଡ଼ିକ ମୁଖ୍ୟତଃ ନକାରାତ୍ମକ। ଏଥିରେ ମୁଖ୍ୟତଃ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱକୁ ଦାୟୀ କରାଯାଇଆସୁଛି। କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଦାନା ଧରୁନଥିବା କାରଣରୁ ଏବେ ଏହାକୁ ଆହୁରି ଆକ୍ଷେପମୂଳକ କରି ବିଜେପି ନେତାମାନଙ୍କୁ ଟାର୍ଗେଟ କରୁଛି ବିଜେଡି।

ଏଭଳି ଗୋଟିଏ ବିଜ୍ଞାପନରେ ବିଜେପି କେନ୍ଦ୍ରୀୟ ନେତାମାନେ ଇଲେତ୍ତନ ଟୁରିଜିମ ପାଇଁ ଓଡ଼ିଶା ଆସିଥାଆନ୍ତି ବୋଲି ବିଜେଡି କହିଛି। ଏହା କେତେଦୂର ସତ?

ରାଜୀବ ଗାନ୍ଧୀ ୧୯୮୫-୯୦ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ। ସେ ୧୯୮୫ରେ ସସ୍ତ୍ରୀକ ଆସିଥିଲେ ଓଡ଼ିଶା ଗସ୍ତରେ। ତାଙ୍କ ଗସ୍ତ କଳାହାଣ୍ଡିକୁ ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚିତ କରିଦେଇଥିଲା। ସେ କଳାହାଣ୍ଡି ଗସ୍ତ ସମୟରେ ଫାନସ ଫୁଞ୍ଜିଙ୍କ ଘରକୁ ଯାଇଥିଲେ ସୋନିଆଙ୍କ ସହ। ଏକ ସାଧାରଣ ସଭାରେ ତାଙ୍କ ମନ୍ତବ୍ୟ ଆଜି ମଧ୍ୟ ଚର୍ଚ୍ଚାର ବିନ୍ଦୁ ହୋଇ ରହିଛି।ଗରିବଙ୍କ ପାଇଁ ଆସୁଥିବା ଅର୍ଥରୁ ଟଙ୍କାକରୁ ୮୫ ପଇସା ବାଟମାରଣା ହେଉଥିବା ସେ କହିଥିଲେ।

ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଭାବେ ୧୦ ବର୍ଷ ରହିଲେ। କେବଳ ୨୦୧୨ମସିହାରେ ଭାରତୀୟ ସାଇନ୍ସ କଂଗ୍ରେସ ଉଦଘାଟନ ଲାଗି ଆସିଥିଲେ ଓଡ଼ିଶା। ତାଙ୍କର ଟଙ୍କା କ’ଣ ଗଛରୁ ଫଳେ ମନ୍ତବ୍ୟ ଆଜି ବି ଭୁଲିନଥିବେ ଓଡ଼ିଶାର ନେତାମାନେ।

ଅଟଳ ବିହାରୀ ବାଜପେୟୀ ୬ ବର୍ଷ ପ୍ରଧାନମନ୍ତ୍ରୀ ଥିବା ଅବସରରେ ୫ଥର ଓଡ଼ିଶା ଆସିଛନ୍ତି । ଏଥିମଧ୍ୟରୁ ଥରେ ୧୯୯୯ରେ ମହାବାତ୍ୟା ବିଧ୍ୱସ୍ତ ଅଞ୍ଚଳ ଦେଖିବା ପାଇଁ ଆସିଥିଲେ ସେ । ୨୦୦୦ରେ ପାରାଦୀପ ତୈଳ ବିଶୋଧନାଗାରର ଶୁଭ ତାଙ୍କରି ହାତରେ ପଡ଼ିଥିଲା। ୨୦୦୨ରେ ଏମ୍ସର ଆଧାର ଶିଳା ରଖିଥିଲେ ବାଜପେୟୀ। ୧୯୯୮ରେ ତାଙ୍କର ପୁରୀ ମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ଆଜିଯାଏଁ ବି ଲୋକେ ଭୁଲିନାହାନ୍ତି।

କିନ୍ତୁ ଓଡ଼ିଶା ଆସିବାରେ ରେକର୍ଡ କରିଛନ୍ତି ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ହୋଇନଥିବା ସମୟରେ ନିର୍ବାଚନ ପ୍ରଚାର ଲାଗି ୨୦୧୪ ସେ ବଲାଙ୍ଗୀର ଆସିଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୫ ଏପ୍ରିଲରେ ରାଉରକେଲା ଇସ୍ପାତ କାରଖାନା ସଂପ୍ରସାରଣ ଯୋଜନାର ଉଦଘାଟନ ସକାଶେ ସେ ଆସିଥିଲେ।

୨୦୧୬ରେ ପାରାଦୀପ ତୈଳ ବିଶୋଧନାଗାରର ଶୁଭ ଉଦଘାଟନ କଲେ ମୋଦୀ। ସେତେବେଳେ ପୁରୀ ଗସ୍ତରେ ମଧ୍ୟ ଯାଇଥିଲେ। ୨୦୧୬ ଜୁନରେ ବାଲେଶ୍ୱରରେ ବିକାଶ ଗୌରବ ଯାତ୍ରାରେ ଭାଗ ନେଇଥିଲେ । ୨୦୧୭ରେ ଓଡ଼ିଶାରେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ସେ ଯୋଗ ଦେଇଥିଲେ। ୨୦୧୮ରେ କଟକ ସମାବେଶ ଏବଂ ସେହି ବର୍ଷ ସେପ୍ଟେମ୍ୱରରେ ତାଳଚେର ସାର କାରଖାନା ଉଦଘାଟନ ଏବଂ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଉଦଘାଟନ କରିଥିଲେ ନରେନ୍ଦ୍ର ମୋଦୀ।

ଏହାପରେ ଖୋର୍ଦ୍ଧା, ବାରିପଦା ଓ ବଲାଙ୍ଗୀରକୁ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୋଦୀ ଆସିଥିଲେ। ଗତ ୫ ବର୍ଷ ମଧ୍ୟରେ ସେ ୧୩ଥର ଆସିଛନ୍ତି ଓଡ଼ିଶା। ତେବେ ବିଜୁ ଜନତା ଦଳର ଅଭିଯୋଗ ହେଲା, ମରୁଡ଼ି, ବାତ୍ୟା ବେଳେ ବିଜେପିର କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସନ୍ତି ନାହିଁ। କେବଳ ନିର୍ବାଚନ ପ୍ରଚାର ପାଇଁ ଟୁରିଷ୍ଟ ସାଜିଆସିଥା’ନ୍ତି।

ତେବେ କେନ୍ଦ୍ରମନ୍ତ୍ରୀମାନେ ନିୟମିତ ଭାବେ ଓଡ଼ିଶା ଆସୁଛନ୍ତି। ଗତ ୟୁପିଏ ସରକାର ଅମଳରେ ଯେତେଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସିଥିଲେ ତା’ଠୁ ଢେର କେନ୍ଦ୍ରମନ୍ତ୍ରୀ ଗତ ୫ବର୍ଷ ଭିତରେ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଯାଇଛନ୍ତି । କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ମରୁଡ଼ି ଏବଂ ଚକଡ଼ା ପୋକ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ଅବସରରେ ରାଜ୍ୟ କୃଷି ବିଭାଗ ଭୁଲ ଔଷଧ ଦେଉଥିବା ଅଭିଯୋଗ କରିଥିଲେ।

ମୋଦୀ ସରକାରଙ୍କ ଫୋକସରେ ଓଡ଼ିଶା ରହିଛି । ସେଥିପାଇଁ ବିଜେପି ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ବହୁବାର ଆସିଛନ୍ତି ଓଡ଼ିଶା। ଏହାଛଡ଼ା ରେଳମନ୍ତ୍ରୀ ସୁରେଶ ପ୍ରଭୁ, ପୀୟୂଷ ଗୋଏଲ, ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଦଳୀୟ କାର୍ଯ୍ୟକ୍ରମ ନୁହେଁ ସରକାରୀ କାର୍ଯ୍ୟକ୍ରମ ପାଇଁ ଆସିଛନ୍ତି ଓଡ଼ିଶା।

ତେଣୁ ବିଜେପିର କେନ୍ଦ୍ରୀୟ ନେତାମାନେ କେବଳ ନିର୍ବାଚନ ବେଳେ ଓଡ଼ିଶା ଆସନ୍ତି ବୋଲି କେଉଁ ଆଧାରରେ ବିଜୁ ଜନତା ଦଳ କହୁଛି କେଜାଣି?

Leave a Reply

Your email address will not be published.