ମହାସଂଗ୍ରାମ-୨୦୧୯ର ମହାରଥୀ

୧୭ତମ ଲୋକସଭା ଗଠନ ପାଇଁ ମହାସଂଗ୍ରାମ-୨୦୧୯ର ବିଗୁଲ ବାଜି ସାରିଛି । ଏହି ନର୍ବାଚନ ମହାସଂଗ୍ରାମରେ ଅଲଗା ଅଲଗା ରାଜ୍ୟର ସମୀକରଣ ଅଲଗା ଅଲଗା ଥାଇପାରେ, କିନ୍ତୁ ରାଷ୍ଟ୍ରୀୟ ସ୍ତରରେ ମୁଖ୍ୟତଃ ଦୁଇଟି ମେଣ୍ଟ ମଧ୍ୟରେ ମୁକାବିଲା ହେବ। ବିଜେପି ନେତୃତ୍ୱାଧିନ ଏନ୍ଡିଏ ଏବଂ କଂଗ୍ରେସ ନେତୃତ୍ୱରେ ଥିବା ୟୁପିଏ ଏହି ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିବା ପାଇଁ ନିଜର ସବୁକିଛି ବାଜି ଲଗାଇଦେବେ । ଏପରି ସ୍ଥିତିରେ ବିଜେପି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ୧୧ଟି ବଡ ଚେହେରା ଉପରେ ସାରା ଦେଶର ନଜର ରହିଛି ।

ନରେନ୍ଦ୍ର ମୋଦୀ

୨୦୧୪ ନିର୍ବାଚନରେ ପୂର୍ବରୁ ଏନଡିଏ ନରେନ୍ଦ୍ର ମୋଦୀଙ୍କୁ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା । ସେତେବେଳେ ଅବକି ବାର ମୋଦୀ ସରକାରର ନାରା ଦେଇଥିଲା ବିଜେପି ନେତୃତ୍ୱାଧିନ ଏନଡିଏ । ସାମାଜିକ ଗଣମାଧ୍ୟମରେ ପ୍ରୟୋଗ କରି ଦେଶରେ ମୋଦୀ ଲହର ଖେଳିଯାଇଥିଲା । ଏହି ପାଞ୍ଚ ବର୍ଷ ମଧ୍ୟରେ ଅଢେଇ ଡର୍ଜନରୁ ଅଧିକ ନିର୍ବାଚନ ହୋଇସାରିଛି । ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ବିଜେପିର ଷ୍ଟାର ପ୍ରଚାରକ ରହିଛନ୍ତି । ଚଳିତ ନିର୍ବାଚନରେ ମୋଦିଙ୍କୁ ନେଇ ବିଜେପି ତାର ରଣନୀତି ପ୍ରସ୍ତୁତ କରି ‘ନା ମୁମକିନ ମୁମକିନ ହେ’ର ସ୍ଲୋଗାନ ଆରମ୍ଭ କରିଛି।

ରାହୁଲ ଗାନ୍ଧୀ

ଡିସେମ୍ବର ୨୦୧୭ରେ ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ । ନିଜର ପ୍ରଥମ ଭାଷଣରେ ରାହୁଲ କହିଥିଲେ ଆମେ କଂଗ୍ରେସକୁ ଭାରତର ସର୍ବପୁରାତନ ଏବଂ ଯୁବ ଦଳ କରିବାକୁ ଯାଉଛୁ । ଅଧ୍ୟକ୍ଷ ହେବାପରେ ରାହୁଲ ଗାନ୍ଧୀଙ୍କୁ ୨୦୧୮ରେ ଶେଷ ସମୟରେ କଂଗ୍ରେସକୁ ବଡ ସଫଳତା ମିଳିଥିଲା । କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଉପସ୍ଥାପିତ କରୁଥିବାବେଳେ ଅନ୍ୟ ବିରୋଧି ଦଳମାନେ ତାହା ଗ୍ରହଣ କରିବାକୁ ରାଜି ନୁହଁନ୍ତି। ଏବେ ଦଳ ରାହୁଲଙ୍କ ଉପରେ ନିର୍ଭର କରି ନିର୍ବାଚନୀ ରଣନୀତି ପ୍ରସ୍ତୁତ କରି ଆଗକୁ ବଢ଼ୁଛି।

ଅମିତ ଶାହ

ବିଜେପିର ଆଧୁନିକ ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହଙ୍କୁ ୨୦୧୪ରେ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶ ବିଜେପିର ପ୍ରଭାରୀ ନିଯୁକ୍ତ କରାଯାଇଥିଲା । ତାଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ଥିବା ୮୦ଟି ନିର୍ବାଚନ ଆସନରୁ ୭୩ଟିରେ ବିଜୟ ହାସଲ କରିଥିଲା । ସେହି ବର୍ଷ ଜୁଲାଇରେ ଅମିତ ଶାହା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ । ଏହି ପାଞ୍ଚ ବର୍ଷ ମଧ୍ୟରେ ୨୭ଟି ରାଜ୍ୟରେ ନିର୍ବାଚନ ହୋଇଛି, ଯେଉଁଥିରୁ ଦଳକୁ ୧୪ଟିରେ ବିଜୟ ହାସଲ ହୋଇଥିବାବେଳେ ୧୩ଟି ସ୍ଥାନରେ ପରାଜିତ ହୋଇଥିଲା । ବିଜେପି ଚଳିତ ନିର୍ବାଚନ ଅମିତ୍ ଶାହଙ୍କ ରଣନୀତି ଉପରେ ନିର୍ଭର କରି ଲଢ଼ୁଛି। ଏପରି କି ତାଙ୍କ ନିର୍ଦ୍ଦେଶରେ ନିର୍ବାଚନ ମଣ୍ଡଳୀର ସଂଗଠନ କାମ ମଧ୍ୟ ହୋଇଛି। ଏଥିରୁ ବିଜେପି ପୂର୍ବଭଳି ସଫଳତା ପାଇବ ବୋଲି ଆଶା କରୁଛି।

ପ୍ରିୟଙ୍କା ଗାନ୍ଧୀ

କଂଗ୍ରେସର ଷ୍ଟାର ପ୍ରଚାରକ ଥିବା ପ୍ରିୟଙ୍କା ଗାନ୍ଧୀ ସକ୍ରୀୟ ରାଜନୀତିରେ ଗତ ୨୩ ଜାନୁଆରୀରେ ପ୍ରବେଶ କରିଥିଲେ । ପ୍ରିୟଙ୍କାଙ୍କୁ ରାଷ୍ଟ୍ରୀୟ ମହାସଚିବ କରିବା ସହ ଉତ୍ତର ପ୍ରଦେଶର ୪୧ଟି ନିର୍ବାଚନ ଆସନର ଦାୟିତ୍ୱ ଦିଆଯାଇଛି । ପ୍ରଥମେ ପ୍ରିୟଙ୍କା କେବଳ ନିଜ ଭାଇ ରାହୁଲ ଗାନ୍ଧୀ ଏବଂ ମାଆ ସୋନିଆ ଗାନ୍ଧୀଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିଲେ ଏବେ ପୁରା ଉତ୍ତର ପ୍ରଦେଶ ସହ ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ପ୍ରଚାର କରିବେ । ରାଜନୀତିକୁ ଆସିବା ପରେ ପ୍ରିୟଙ୍କା ଯୁବ ଭୋଟରମାନଙ୍କୁ ଟାର୍ଗେଟ କରି ସେମାନଙ୍କ ଭୋଟ ହାସଲ କରିବାକୁ କାମ ଆରମ୍ଭ କରିଦେଇଛନ୍ତି। ପ୍ରିୟଙ୍କାଙ୍କ ଆଗମନ ପରେ କଂଗ୍ରେସ ଉତ୍ତର ପ୍ରଦେଶରେ ସଫଳତା ପାଇବ ବୋଲି ଆଶା କରୁଛି।

ଯୋଗୀ ଆଦିତ୍ୟାନଥ

୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଯୋଗୀ ଆଦିତ୍ୟନାଥ ବିଜେପିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ସବୁଠାରୁ ବଡ ପ୍ରଚାରକ ଭାରେ ଉଭା ହୋଇଛନ୍ତି । ଜଣେ ଫାୟରବ୍ରାଣ୍ଡ ହିନ୍ଦୁବାଦୀ ନେତାର ପରିଚୟ ସହ ଜଣେ ଭଲ ପ୍ରଶାସକ ଭାବେ ଯୋଗୀଙ୍କୁ ଦେଖାଯାଉଛି । ମାତ୍ର ଗତ ବର୍ଷ ହୋଇଥିବା ଗୋରଖପୁର, ଫୁଲପୁର, ଏବଂ କେରାନା ଲୋକସଭା ଉପନିର୍ବାଚନରେ ବିଜେପିର ପରାଜୟ ହୋଇଥିଲା । ଚଳିତ ନିର୍ବାଚନରେ ଯୋଗୀଙ୍କ ଭୂମିକାକୁ ବହୁ ଗୁରୁତ୍ୱର ସହ ଦେଖାଯାଉଛି । ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶ ବ୍ୟତୀତ ଅନ୍ୟ ରାଜ୍ୟମାନଙ୍କର ଆଦିତ୍ୟନାଥଙ୍କୁ ପାର୍ଟି ପ୍ରଚାର କାମରେ ଲଗାଯିବ।

ମାୟାବତୀ

ଦଳିତ ରାଜନୀତିକୁ ପାଥେୟ କରି ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ମାୟାବତୀ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ଅନୁସୂଚିତ ଜାତିରୁ ଆସୁଥିବା ମାୟାବତୀଙ୍କ ରାଜନୀତିରେ ଦବଦବା ରହିଥିବା ବେଳେ ଅନ୍ୟ ରାଜ୍ୟରେ ମଧ୍ୟ ଭୋଟ ବ୍ୟାଙ୍କ ରହିଛି । ଗତ ଲୋକସଭା ନିର୍ବାଚନର ଯଦି କଥା କହିବା ତେବେ ମୋଦୀ ଲହରୀ ଆଗରେ ବିଏସପିର ଖାତା ମଧ୍ୟ ଖୋଲି ନଥିଲା। କିନ୍ତୁ ଚଳିତଥର ଏସପି ସହ ମେଣ୍ଟ କରି ବିଏସପି ଅଧିକ ଶକ୍ତିଶାଳୀ ଦେଖାଯାଉଛି। ଏହି ମେଣ୍ଟ ଏଥର ବିଜେପିକୁ ଉତ୍ତର ପ୍ରଦେଶରେ କ୍ଷମତାରୁ ଦୂରେଇ ରଖିବ ବୋଲି ଆଲୋଚନା ହେଉଛି।

ଅଖିଳେଶ ଯାଦବ

ସମାଜାବାଦୀ ପାର୍ଟିରେ ରାଜନୈତିକ କନ୍ଦଳ ମଧ୍ୟରେ ଅଅଖିଳେଶ ଯାଦବ ଦଳର ନେତୃତ୍ୱ ନିଜ ଅଧନକୁ ନେଇଥିଲେ । ଏସପି ୨୦୧୪ ଲୋକସଭା ନିର୍ବାଚନରେ କିଛି କମାଲ କରିପାରିନଥିଲା । ଦଳ ମାତ୍ର ୫ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା । ଏହି ନିର୍ବାଚନରେ ୨୫ ବର୍ଷ ରାଜନୈତିକ ଶତ୍ରୁତାକୁ ଭୁଲି ଏସପି, ବିଏସପି ସହ ମେଣ୍ଟ କରିଛି । ଏହି ମେଣ୍ଟ ମାଧ୍ୟମରେ ଦଳିତ, ପଛୁଆ ବର୍ଗ ଓ ମୁସଲମାନ ଭୋଟକୁ ଏକାଠି କରି ନିଜର ହୃତଗୌରବ ଫେରି ପାଇବାକୁ ଅଖିଳେଶ ଆଶବାଦୀ।

ମମତା ବାନାର୍ଜୀ

ବିଜେପିର ନେତୃତ୍ୱରେ ଥିବା ଏନଡିଏର ବିରୋଧରେ ଏକଜୁଟ ହୋଇଥିବା ମହାମେଣ୍ଟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଟିଏ ବଡ ଚେହେରା ଭାବେ ଉଭା ହୋଇଛନ୍ତି । ୨୦୧୪ ଲୋକସଭା ନିର୍ବାଚନରେ ମୋଦୀ ଲହରୀ ସତ୍ତେବ ମମତାଙ୍କ ଦଳ ତୃଣମୂଳ କଂଗ୍ରେସ ୪୨ଟି ଆସନ ମଧ୍ୟରୁ ୩୪ଟିରେ ବିଜୟୀ ହୋଇଥିଲା । ୧୮ ଜାନୁଆରୀରେ କୋଲକାତାରେ ବିରୋଧୀଙ୍କ ଏକ ବିରାଟ ରାଲି ଆୟୋଜିତ କରି ମମତା ୧୫ରୁ ଅଧିକ ରାଜନୈତିକ ଦଳକୁ ଗୋଟିଏ ମଞ୍ଚରେ ଏକାଠି କରିଥିଲେ । ଏହି ରାଲି ମାଧ୍ୟମରେ ମମତା ନିଜକୁ ଜଣେ ସର୍ବ ଭାରତୀୟ ନେତ୍ରୀ ଭାବେ ଉପସ୍ଥାପିତ କରିବାକୁ ଚାହିଁଛନ୍ତି। କିନ୍ତୁ ଅନେକ ବିଜେପି ଓ କଂଗ୍ରେସ ବିରୋଧି ନେତା ଏଥିରେ ସହମତ ହୋଇପାରୁନାହାନ୍ତି।

ନୀତିଶ କୁମାର

୪୦ଟି ଲୋକସଭା ଆସନ ଥିବା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ଏନଡ଼ିଏର ବଡ ଚେହେରା । ବିଜେପି ସହ ୫୦-୫୦ର ଫର୍ମୁଲା ଉପରେ ଲଢୁଥିବା ଜେଡିୟୁର ଅଧ୍ୟକ୍ଷ ନୀତୀଶ କୁମାର ଏଠାରେ ଏନଡିଏର ବଡ ନେତା ଏବଂ ଷ୍ଟାର ପ୍ରଚାରକ । ମୁଖ୍ୟମନ୍ତ୍ରୀ ଭାବେ ଏହା ନୀତୀଶଙ୍କ ତୃତୀୟ କାର୍ଯ୍ୟକାଳ । ବର୍ଷ ବର୍ଷ ଧରି ବିହାରରେ ସେ ସୁଶାସନ କରି ବିହାରବାସୀଙ୍କ ଆଦର୍ଶ ନେତା ହୋଇ ପାରିଛନ୍ତି । ଚଳିତ ନିର୍ବାଚନରେ ତାଙ୍କ ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ । ଏପରିକି ଆଗାମୀ ନିର୍ବାଚନରେ ଏନଡ଼ିଏକୁ ସ୍ୱଷ୍ଟ ବହୁମତ ନ ମିଳିଲେ ତାଙ୍କୁ ପ୍ରଧାନମନ୍ତ୍ରୀ କରାଯିବାର ବହୁତ ସମ୍ଭାବନା ରହିଛି। କାରଣ ଅନେକ ନେତାମାନଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଥିବାରୁ ସେମାନଙ୍କ ସହଯୋଗ ପାଇବେ ବୋଲି ଏନଡ଼ିଏ ନେତାମାନେ ଆଶା ବାନ୍ଧିଛନ୍ତି।

ଚନ୍ଦ୍ରବାବୁ ନାଇଡୁ

ତେଲୁଗୁ ଦେଶମ ପାର୍ଟିର ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ବର୍ତ୍ତମାନ ମଧ୍ୟ ଆନ୍ଦ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଛନ୍ତି । ୨୫ ଲୋକସଭା ଆସନ ଥିବା ଆନ୍ଧ୍ରପ୍ରଦେଶରେ ତାଙ୍କ ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ ରହିଛି । ନାୟଡ଼ୁଙ୍କ ନେତୃତ୍ୱାଧିନ ଟିଡ଼ିପି ପୂର୍ବରୁ ଏନଡିଏରେ ଅଂଶଥିଲା । କିନ୍ତୁ ବିଶେଷ ରାଜ୍ୟ ମାନ୍ୟତା ଦାବି କରି ନାଇଡୁ ଏନଡିଏରୁ ଅଲଗା ହୋଇଥିଲେ ଏବଂ ବର୍ତ୍ତମାନ ମହାମେଣ୍ଟର ବଡ ଚେହେରା ହୋଇଛନ୍ତି । ସେ ବାରମ୍ୱାର ଚେଷ୍ଠା କରୁଥିଲେ ହେଁ ବିଜେପି ବିରୋଧି ନେତାମାନେ ଗୋଟିଏ ପ୍ଳାଟଫର୍ମ ଏଯାଏ ଆସି ପାରିନାହାନ୍ତି।

ନବୀନ ପଟ୍ଟନାୟକ

ବିଜୁ ଜନତା ଦଳର ପ୍ରମୁଖ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଶାରେ ନିଜର ଭୋଟ ବ୍ୟାଙ୍କ ରହିଛି । ଓଡିଶାର ବିକାଶକୁ ଏଜେଣ୍ଡା କହୁଥିବା ବିଜେଡି ଏନଡିଏ ଏବଂ ମହାମେଣ୍ଟରୁ ଅଲଗା ରହିଛି । କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରଖୁଥିବା ନବୀନଙ୍କ ବିଜେଡ଼ି ଆଗନିର୍ବାଚନରେ ପୂର୍ବଭଳି ସଫଳତା ଦୋହରାଇବ ବୋଲି ଅନୂମାନ କରାଯାଉଛି। ଯଦି କେନ୍ଦ୍ରରେ କୌଣସି ମେଣ୍ଟକୁ ସରକାର ଗଠନ ଦିଗରେ ଆବଶ୍ୟକ ସଂଖ୍ୟା ନ ମିଳେ ତେବେ ନବୀନଙ୍କ ଗୁରୁତ୍ୱ ଯଥେଷ୍ଠ ବୃଦ୍ଧି ପାଇବ।

ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :

Leave a Reply

Your email address will not be published. Required fields are marked *