ନିର୍ବାଚନକୁ ପ୍ରଭାବିତ କରିବ ୫ଟି ପ୍ରସଙ୍ଗ

ନିର୍ବାଚନ କମିଶନଙ୍କ ଦ୍ୱାରା ୨୦୧୯ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇଉଠିଛନ୍ତି। ଚଳିତ ନିର୍ବାଚନରେ କିଏ ବିଜୟ ମୁକୁଟ ପିନ୍ଧିବ ତାହା ମିଡ଼ିଆ ଓ ସୋସାଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ନିର୍ବାଚନକୁ କେଉଁ ପ୍ରସଙ୍ଗ ପ୍ରଭାବିତ କରିବ ତାର ଲେଖାଯୋଖା ଆରମ୍ଭ ହୋଇଗଲାଣି। ଗତ ସାଧାରଣ ନିର୍ବାଚନରେ ବିକାଶ ଓ ଦୁର୍ନୀତି ମୁଖ୍ୟ ପ୍ରସଙ୍ଗ ହୋଇଥିଲା, ଯାହାକି ଚଳିତ ନିର୍ବାଚନରେ ଆଦୌ ଆଲୋଚନା ପରିସରରେ ନାହିଁ।

କିନ୍ତୁ ଏବେ ସରକାରଙ୍କ ମନୋଭାବକୁ ଲକ୍ଷ୍ୟ ଯାହା ଜଣାପଡ଼ୁଛି, ଏଥର ରାଷ୍ଟ୍ରୀୟ ସୁରକ୍ଷା ଓ ଦୃଢ଼ ନେତୃତ୍ୱ ପ୍ରସଙ୍ଗ ସବୁଠାରୁ ଆଗରେ ରହିଛି। ଏହା ପରେ ବି ଅନ୍ୟ ପ୍ରସଙ୍ଗ ମଧ୍ୟ ରହିଛି। ତେବେ ରାଜନୈତିକ ଦଳମାନେ ସେମାନଙ୍କ ଘୋଷଣା ପତ୍ରରେ କେଉଁ କେଉଁ ପ୍ରସଙ୍ଗରେ ପ୍ରତିଶ୍ରୁତି ଦେଉଛନ୍ତି ତାହାକୁ ପ୍ରସଙ୍ଗ କରି ନିର୍ବାଚନ ଲଢ଼ାଯିବ ବୋଲି ଜଣାପଡ଼ୁଛି।

ଋାଷ୍ଟ୍ରବାଦ ଓ ରାଷ୍ଟ୍ରୀୟ ସୁରକ୍ଷା

ନିର୍ବାଚନ ବିଶେଷଜ୍ଞଙ୍କ କହିବା ଅନୁସାରେ ଭାରତୀୟ ନିର୍ବାଚନ ଇତିହାସରେ ‘ରାଷ୍ଟ୍ରବାଦ’ ଓ ‘ରାଷ୍ଟ୍ରୀୟ ସୁରକ୍ଷା’କୁ ପ୍ରଥମ ଥର ପାଇଁ ପ୍ରସଙ୍ଗ ଭାବରେ ଗୁରୁତ୍ୱ ଦିଆଯାଇଛି। ବିଜେପି ନେତୃତ୍ୱାଧିନ ମୋଦି ସରକାର ଗତ ୫ବର୍ଷ ଭିତରେ ରାଷ୍ଟ୍ରବାଦକୁ ବହୁତ ଗୁରୁତ୍ୱ ଦେଉଛନ୍ତି। ଏବେ ବିରୋଧି ଦଳ ଓ ସମାଲୋଚକମାନଙ୍କୁ ବାରମ୍ୱାର ଆତଙ୍କୀ ଓ ପାକିସ୍ତାନ ସମର୍ଥକ ବୋଲି କୁହାଯାଉଛି। ଗତ ମାସରେ ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କୀ ଆକ୍ରମଣରେ ସିଆରପିଏଫର ୪୦ଜଣ ଯବାନ ସହିଦ‍୍‌ ହେବା ପରେ ରାଷ୍ଟ୍ରବାଦ ପ୍ରସଙ୍ଗ ଜୋରଦାର ହେବାରେ ଲାଗିଛି।

ବାଲାକୋଟ

ବାଲାକୋଟ ଆକ୍ରମଣ ପରେ ବିଜେପି ନିଜକୁ ରାଷ୍ଟ୍ରୀୟ ସୁରକ୍ଷାର ବଡ଼ ସୁରକ୍ଷାକର୍ତ୍ତା ଭାବେ ଉପସ୍ଥାପିତ କରିଛି। ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ନିର୍ଭୀକ ଓ ନିଷ୍ପତ୍ତି ନେଉଥିବା ନେତା ଭାବେ ପାକିସ୍ତାନକୁ ସମ୍ଭାଳିପାରିବ ବୋଲି ଉପସ୍ଥାପିତ କରିଛି। ରାଜନୀତି ବିଶେଷଜ୍ଞମାନଙ୍କ ମତରେ ବିରୋଧି ମହାମେଣ୍ଟକୁ ବିଜେପି ‘ରାଷ୍ଟ୍ରୀୟ ସୁରକ୍ଷା’ ପ୍ରସଙ୍ଗରେ ପରାଜିତ କରିପାରିବ।

ବେକାରୀ

ଆମ ଦେଶରେ ବେକାରୀ ସବୁବେଳେ ନିର୍ବାଚନୀ ପ୍ରସଙ୍ଗ ହେଉଛି। କିନ୍ତୁ ଚଳିତ ଥର ଏହି ପ୍ରସଙ୍ଗ ଅଲକା ଭାବେ ଦେଖାଯାଉଛି। କାରଣ ମୋଦି ସରକାର ସମୟରେ ନିଯୁକ୍ତି ସବୁଠାରୁ କମ‍୍‌ ରହିଛି। ତେଣୁ ବେକାରୀ ପ୍ରସଙ୍ଗରେ ବିଜେପିକୁ ଘେରିବା ପାଇଁ ବିରୋଧି ଦଳର ଅମୋଘ ଅସ୍ତ୍ର ହୋଇପାରେ।

କୃଷି

୨୦୧୪ ନିର୍ବାଚନରେ ବିଜେପି ବହୁମତ ପାଇ ସରକାର ଗଠନ କରିବାରେ ଗ୍ରାମୀଣ ଭାରତ ଓ କୃଷକମାନଙ୍କର ବହୁତ ବଡ଼ ଭୂମିକା ଥିଲା। କିନ୍ତୁ ଗତ ୫ବର୍ଷ ଭିତରେ ଏହି ଦୁଇ ଶ୍ରେଣୀର ଲୋକମାନେ ମୋଦି ସରକାରରେ ଅବହେଳିତ ହୋଇ ଅସନ୍ତୁଷ୍ଟ ହୋଇଛନ୍ତି। କୃଷକମାନେ ନିଜ ଉତ୍ପାଦନର ଲାଭ ତ ଦୂରର କଥା ଯେତିକି ମୂଳ ଧନ ଲଗାଉଛନ୍ତି ତାହା ପାଉନାହାନ୍ତି। ଏହାଛଡ଼ା ଋଣ ସମସ୍ୟାର କୌଣସି ସମଧାନ ମଧ୍ୟ ବାହାରିପାରୁନାହିଁ।

ମଜଭୂତ ବନାମ ମେଣ୍ଟ ନେତୃତ୍ୱ

ଚଳିତ ନିର୍ବାଚନରେ ମଜଭୂତ ବନାମ ମେଣ୍ଟ ନେତୃତ୍ୱ ପ୍ରସଙ୍ଗ ରହିବ। ୨୦୧୪ ନିର୍ବାଚନ ପୂର୍ବରୁ ଦେଶରେ ମେଣ୍ଟ ସରକାର ଚାଲୁଥିଲା। ୩୦ ବର୍ଷ ପରେ ବିଜେପି ୨୮୨ଟି ଆସନରେ ବିଜୟୀ ହୋଇ ବହୁମତ ପାଇ ସରକାର ଗଠନ କରିଥିଲା। ତେଣୁ ବିଜେପି ମେଣ୍ଟ ସରକାରକୁ ‘ମଜବୁର’ ସରକାର ବୋଲି ବର୍ଣ୍ଣନା କରୁଛି। ବିରୋଧି ଦଳର ମହାମେଣ୍ଟକୁ ମୋଦି ବ୍ୟଙ୍ଗତ୍ମକ ଛଳରେ ‘ମହାମିଲାବଟ’ ବୋଲି କହିବା ଆରମ୍ଭ କରିଦେଲେଣି। କାରଣ ମେଣ୍ଟ ସରକାର ଅମଳରେ କିଭଳି ଦୁର୍ନୀତି ହୁଏ ତାର ଉଦାହରଣ ବି ଦେଉଛନ୍ତି। ଦେଶର ଅର୍ଥବ୍ୟବସ୍ଥାର ପ୍ରଗତି ଓ ସୁରକ୍ଷା ପାଇଁ ମଜଭୂତ ସରକାରର ଆବଶ୍ୟକ ବୋଲି ମୋଦି ଯୁକ୍ତି କରୁଛନ୍ତି।

କିନ୍ତୁ ବିରୋଧି ଦଳ ମତରେ ସଂଖ୍ୟାଗରିଷ୍ଠ ଦଳର ସରକାର ହେଲେ ଏକଛତ୍ରବାଦ ଆରମ୍ଭ ହୋଇଥାଏ। ମହାମେଣ୍ଟର ସରକାର ଅଧିକ ଦାୟିତ୍ୱବାନ ହୋଇ କାମ କାରିଥାଏ। ସରକାର ମନଇଛା ନିଷ୍ପତ୍ତି ନେଇପାରେନାହି; ଯାହାକି ଦେଶର ହିତ ସାଧନ କରିଥାଏ।

ଦଳିତ-ଆଦିବାସୀ

ଦେଶର ପଛୁଆବର୍ଗ ବିରୋଧରେ ମୋଦି ସରକାର କାମ କରୁଛି ବୋଲି ଅଭିଯୋଗ ହୋଇଥାଏ। ବିଜେପି ଏହାକୁ ରାଜନୈତିକ ଅଭିଯୋଗ କହିଥାଏ। କିନ୍ତୁ ମୋଦି ସରକାର ସମୟରେ ଦଳିତ ଓ ଆଦିବାସୀମାନେ ଅବହେଳିତ ହୋଇଥିବାରୁ ସେମାନେ ବିଜେପି ଉପରେ ଅସନ୍ତୁଷ୍ଟ ହୋଇଛନ୍ତି। ମୋଦି ସରକାର ସମୟରେ ଦଳିତ ଓ ଆଦିବାସୀମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବା ସହିତ ସେମାନଙ୍କୁ ସୁରକ୍ଷା ଦେଉଥିବା ଆଇନକୁ କମଜୋର କରିବାକୁ ଉଦ୍ୟମ ମଧ୍ୟ କରାଯାଇଥିଲା।

ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :

Leave a Reply

Your email address will not be published.